ବାଲିଅନ୍ତା କନେଷ୍ଟବଳ ହତ୍ୟାକାଣ୍ଡ ଘଟଣା: ପୀଡ଼ିତାଙ୍କ ସାଙ୍ଗର ବୟାନ ରେକର୍ଡ କଲେ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର, ୮/୫ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ରାମଚନ୍ଦ୍ରପୁର ବ୍ରିଜ୍ ନିକଟରେ ଘଟିଥିବା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଉତ୍ତେଜିତ ଜନତା ଜଣେ ଯୁବକଙ୍କୁ ଏମିତି ନିର୍ମମ ଭାବେ ପିଟିଥିଲେ ଯେ, ଶେଷରେ ତାର ଜୀବନ ଚାଲିଯାଇଛି। ଏହି ଘଟଣାକୁ ନେଇ ଏବେ ଆଇନଶୃଙ୍ଖଳା ଉପରେ ଉଠିଛି ବଡ଼ ପ୍ରଶ୍ନ।
ଘଟଣା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଅଭିଯୋଗକାରୀ ଯୁବତୀ। ସେ କହିଛନ୍ତି, “ମୁଁ ଓ ମୋ ସାଙ୍ଗ ସ୍କୁଟିରେ ମାଉସୀ ଘରକୁ ଯାଉଥିଲୁ। ପଛରୁ ଦୁଇ ଯୁବକ ଆସି ଆମ ଗାଡ଼ିକୁ ଧକ୍କା ଦେଇଥିଲେ। ପରେ ଅସଦାଚରଣ କରିବା ସହ ମୋ ଡ୍ରେସ୍ ଚିରି ଦେଇଥିଲେ। ମୋ ସହ ଥିବା ସାଙ୍ଗକୁ ନିଶାସକ୍ତ ଯୁବକ ନିର୍ଧୂମ ପିଟିଥିଲା। ଆମେ ସେମାନଙ୍କୁ ଆଗରୁ କେବେ ଦେଖିନଥିଲୁ।”
ଯୁବତୀଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସିବା ପରେ ସେ ବଞ୍ଚିଯାଇଥିଲେ। କିନ୍ତୁ ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ଯେ, ଲୋକେ ସୌମ୍ୟରଞ୍ଜନଙ୍କୁ ଧରି ନିର୍ମମ ଭାବେ ପିଟିଥିଲେ। ଅଭିଯୋଗ ଅନୁସାରେ, ପୋଲିସ୍ ଉପସ୍ଥିତିରେ ମଧ୍ୟ ତାଙ୍କ ହାତଗୋଡ଼ ବାନ୍ଧି ବାଉଁଶରେ ଝୁଲାଇ ମାଡ଼ ମାରାଯାଇଥିଲା। ପରେ ଗାଡ଼ିରେ ଲଦି ଗାଁ ଭିତରକୁ ନେଇଯାଇଥିଲା।
ଘଟଣା ପରେ ପୋଲିସ ଡିଜି, ଡିସିପି ଓ ମହିଳା କମିଶନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପର୍ୟ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଖୋଜୁଛି ପୁଲିସ।
ବାଲିଅନ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲାରେ ମୃତକଙ୍କ ଘର ମୌଜପୁର ଗ୍ରାମରେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ବାଲିଅନ୍ତା ପୋଲିସ କେସ୍ ନଂ-୨୧୨/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆକ୍ରୋଶ ସୃଷ୍ଟି ହୋଇଥିବାବେଳେ ମହିଳା କମିସନ ଅଧ୍ୟକ୍ଷା କହିଛନ୍ତି, “ସାକ୍ଷ୍ୟ, ପ୍ରମାଣ ଓ ବୟାନ ଆଧାରରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଯିଏ ଦୋଷୀ, ସେ ଯେତେ ପ୍ରଭାବଶାଳୀ ହେଉ ଥାଉ ନା କାହିଁକି କାହାକୁ ମଧ୍ୟ ଛାଡ଼ାଯିବ ନାହିଁ।”
କମିସନ ଟିମ୍ ପ୍ରଥମେ ଅଭିଯୋଗକାରୀ ଯୁବତୀଙ୍କ ଘରକୁ ଯାଇ ତାଙ୍କର ବୟାନ ରେକର୍ଡ କରିଥିଲେ। ପରେ ମୃତ ସୌମ୍ୟରଞ୍ଜନଙ୍କ ପରିବାର ସହ ମଧ୍ୟ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିଲେ। ଘଟଣା ଦିନ କ’ଣ ଘଟିଥିଲା, ସେନେଇ ଯୁବତୀ ମଧ୍ୟ ମୁହଁ ଖୋଲିଥିବା ଜଣାପଡ଼ିଛି। ଏପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କଠୋର ମନୋଭାବ ଦେଖାଇଛନ୍ତି। ସେ ଡିଜିପିଙ୍କ ସହ ଆଲୋଚନା କରି ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।




