ବାତ୍ୟା ‘ଅର୍ଣ୍ଣବ’ର କରାଳ ରୂପ : ଭୂସ୍ଖଳନରେ ଦମ୍ପତିଙ୍କ ସହ ୭ ମାସର ଶିଶୁପୁତ୍ରର ମୃତ୍ୟୁ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୩୦/୧୦ : ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପ ଯେ ଏତେ ଭୟଙ୍କର ହୋଇପାରେ, ତାହାର ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଡାଙ୍ଗେଶି ଗ୍ରାମରୁ। ପ୍ରବଳ ବର୍ଷା ପରେ ପାହାଡ଼ରୁ ମାଡ଼ି ଆସିଥିବା ମାଟି, ପଥର ଓ ପଙ୍କରେ ଗୋଟିଏ ହସଖୁସିର ପରିବାର ମାଟିରେ ମିଶିଯାଇଛି।
ଏହି ଭୂସ୍ଖଳନରେ ଏକାସାଙ୍ଗରେ ଜୀବନ ହରାଇଛନ୍ତି ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ମାତ୍ର ୭ ମାସର ଶିଶୁପୁତ୍ର।
ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଥିବା ବେଳେ ଡାଙ୍ଗେଶି ଗ୍ରାମରେ ଶୋକର ବାତାବରଣ ଖେଳିଯାଇଛି।
ସୂଚନା ଅନୁସାରେ, ରାଇକିଆ ଥାନା ଅଧୀନ ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେଶି ଗ୍ରାମର ଅଚ୍ୟୁତ ପ୍ରଧାନ (୩୦), ପତ୍ନୀ ମାନସୀ ପ୍ରଧାନ (୨୭) ଓ ସେମାନଙ୍କର ୭ ମାସର ଶିଶୁପୁତ୍ର ଘରେ ରହୁଥିଲେ।
ଗୁରୁବାର ସକାଳେ ବାତ୍ୟାଜନିତ ପ୍ରବଳ ବର୍ଷା ଯୋଗୁଁ ଅଚ୍ୟୁତଙ୍କ ଘର ନିକଟସ୍ଥ ପାହାଡ଼ରୁ ହଠାତ୍ ବିପୁଳ ପରିମାଣର ମାଟି, ପଙ୍କ, ବାଲି ଓ ପାଣି ଧସି ଆସିଥିଲା। ଏହି ଭୟଙ୍କର ଜଳସ୍ରୋତ ଘରକୁ ସମ୍ପୂର୍ଣ୍ଣ ଭାବେ ମାଟି ତଳେ ପୋତି ଦେଇଥିଲା।
ଘଟଣା ପରଠାରୁ ତିନିଜଣଙ୍କର କୌଣସି ପତ୍ତା ମିଳିନଥିଲା। ପ୍ରଥମେ ସେମାନେ ନିଖୋଜ ଥିବା ନେଇ ଗ୍ରାମବାସୀ ଆଶଙ୍କା କରିଥିଲେ।
ପରେ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ଖୋଜାଖୋଜି ଆରମ୍ଭ ହୋଇଥିଲା। ତେବେ ପ୍ରବଳ ବର୍ଷା, ମାଟି ଅତଡ଼ା ଓ ଅବିରତ ଜଳସ୍ରୋତ ଉଦ୍ଧାର କାର୍ୟ୍ୟକୁ ବାଧାପ୍ରାପ୍ତ କରିଥିଲା।
ଦୀର୍ଘ ସମୟର ଉଦ୍ୟମ ପରେ ଗୁରୁବାର ସନ୍ଧ୍ୟାରେ ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମାଟି ଓ ପଙ୍କ ତଳୁ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଗୋଟିଏ ପଟେ ବାତ୍ୟାର ପ୍ରକୋପ, ଅନ୍ୟପଟେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ବିପଦ ଡାଙ୍ଗେଶି ଗ୍ରାମର ଏହି ପରିବାରକୁ ଛାରଖାର କରିଦେଇଛି। ଯେଉଁ ଘରେ ଗତକାଲି ପର୍ଯ୍ୟନ୍ତ ପରିବାରର ହସଖୁସି ଶୁଣିବାକୁ ମିଳୁଥିଲା, ଆଜି ସେଠାରେ କେବଳ ମାଟିର ଗଦା ଓ ନିରବତା। ବିଶେଷକରି କଅଁଳ ଶିଶୁର ମୃତ୍ୟୁ ଘଟଣାକୁ ଆହୁରି ମର୍ମସ୍ପର୍ଶୀ କରିଦେଇଛି।
ଘଟଣା ସମ୍ପର୍କରେ ଖବର ପାଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ ମାଣିକେଶ୍ୱର ପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତ ତିନିଜଣଙ୍କ ପାଇଁ ଜଣକ ପିଛା ୪ ଲକ୍ଷ ଟଙ୍କା ହିସାବରେ ମୋଟ ୧୨ ଲକ୍ଷ ଟଙ୍କାର ସରକାରୀ କ୍ଷତିପୂରଣ ଘୋଷଣା କରିଛନ୍ତି।
ସେହିପରି ବାତ୍ୟା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ ପରିବାରଗୁଡ଼ିକୁ ମଧ୍ୟ ଉଚିତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ପ୍ରକାଶ କରିଛନ୍ତି। ପ୍ରକୃତିର ଏହି ତାଣ୍ଡବ କେବଳ ତିନୋଟି ଜୀବନ ନେଇନାହିଁ, ବରଂ ଗୋଟିଏ ପରିବାରର ସମଗ୍ର ଭବିଷ୍ୟତକୁ ଶେଷ କରିଦେଇଛି।
ଏହି ଅଘଟଣ ପରେ ପାହାଡ଼ ପାଦଦେଶରେ ବସବାସ କରୁଥିବା ଅନ୍ୟ ପରିବାରଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।
ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷୟକ୍ଷତି ଆକଳନ ଆରମ୍ଭ,: କୃଷି ଅଧିକାରୀଙ୍କ ସହ ସାଂସଦଙ୍କ ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ
ବାଲିଗୁଡ଼ା, ୩୦/୧୦ : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବିଶେଷକରି ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନ ଯୋଗୁଁ କୃଷିଜାତ ଫସଲର କ୍ଷତି ହୋଇଥିବା ଆଶଙ୍କା କରାଯାଉଛି।
ଏହାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତିର ଆକଳନ ପାଇଁ କୃଷି ବିଭାଗର ଅଧିକାରୀଙ୍କ ସହ ସାଂସଦଙ୍କ କୃଷି ବିଭାଗୀୟ ପ୍ରତିନିଧି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକର ଦାସିଙ୍ଗବାଡ଼ି, ସୋନପୁର, ଗଦାପୁର ଓ ବ୍ରାହ୍ମଣୀଗାଁ ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ ଚାଷ ଜମି ବୁଲି ଫସଲର ସ୍ଥିତି ଓ ବାତ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା।
ଏହି ପରିଦର୍ଶନରେ ଦାରିଙ୍ଗବାଡ଼ି ଗୋଷ୍ଠୀ କୃଷି ଅଧିକାରୀ ଶଶାଙ୍କ କୁମାର ମଲ୍ଲିକ, ସହକାରୀ କୃଷି ଅଧିକାରୀ ଅଶ୍ଳେଷା ରଥ ଏବଂ ବୈଷୟିକ କୃଷି ସହାୟକ ଅଧିକାରୀ ଅରୁଣ କୁମାର ପ୍ରଧାନ ଉପସ୍ଥିତ ରହି କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିଥିଲେ।
ଏଥିସହ ଦାରିଙ୍ଗବାଡ଼ି ବ୍ଲକର ସାଂସଦଙ୍କ କୃଷି ବିଭାଗୀୟ ପ୍ରତିନିଧି ଶ୍ୟାମ ମହାଙ୍କୁଡ ମଧ୍ୟ ସାମିଲ ହୋଇଥିଲେ।
ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଗାଁ ଗାଁରେ ବିଜେପି କାର୍ୟ୍ୟକର୍ତ୍ତା,: ପ୍ରଭାବିତ ପରିବାରଙ୍କ ଘରେ ପହଞ୍ଚି ଦୁଃଖ ଓ ସମସ୍ୟା ବୁଝିଲେ ଦଳୀୟ ପ୍ରତିନିଧି
ବାଲିଗୁଡ଼ା, ୩୦/୧୦ : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ଘରଦ୍ୱାର ସମେତ ଲୋକଙ୍କ ଧନସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।
ଏଭଳି ସ୍ଥିତିରେ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତିର ବାସ୍ତବ ଚିତ୍ର ଅନୁଧ୍ୟାନ କରିଛନ୍ତି ଦାରିଙ୍ଗବାଡ଼ି ଭାଜପା ମଣ୍ଡଳର କାର୍ଯ୍ୟକର୍ତ୍ତା। କନ୍ଧମାଳ ଜିଲ୍ଲା ଭାଜପା ଉପସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଦଳ ବିଭିନ୍ନ କ୍ଷତିଗ୍ରସ୍ତ ପରିବାରଙ୍କ ଘରକୁ ଘର ଯାଇ ସ୍ଥିତି ପରଖିଥିଲେ।
ଏହି ଗସ୍ତରେ ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ମିଟୁ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରୁଦ୍ର ନାରାୟଣ ବେହେରା, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମହେନ୍ଦ୍ର ପ୍ରସାଦ ଦାସ, ଏସ୍ଟି ମୋର୍ଚ୍ଚା ମଣ୍ଡଳ ସଭାପତି ରଜନୀକାନ୍ତ ପ୍ରଧାନ, ଏସ୍ସି ମୋର୍ଚ୍ଚା ମଣ୍ଡଳ ସଭାପତି କୁନାଲ ନାୟକ, ମଣ୍ଡଳ ଉପସଭାପତି ଯୁବରାଜ ପ୍ରଧାନ ଓ କୃଷକ ମୋର୍ଚ୍ଚା ସଭାପତି ସୁବଳ ନାୟକଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
ଗସ୍ତ ସମୟରେ ବାତ୍ୟା ଓ ଅତିବୃଷ୍ଟି ଯୋଗୁଁ କେଉଁ ପରିବାରର ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି, କାହାର ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହୋଇଛି, ସେ ସମ୍ପର୍କରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସେମାନଙ୍କ ଅସୁବିଧା ଓ ବର୍ତ୍ତମାନର ଜୀବନଯାପନ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁର୍ଦ୍ଦଶାକୁ ବୁଝିବା ସହ ସମସ୍ୟାଗୁଡ଼ିକୁ ଗୁରୁତ୍ୱ ଦେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
ବାତ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ପରିବାରଙ୍କ କ୍ଷୟକ୍ଷତିର ଉଚିତ ଆକଳନ ଓ ସହାୟତା ପ୍ରସଙ୍ଗ ଏବେ ଗୁରୁତ୍ୱ ବହନ କରୁଛି।
ଜିଲ୍ଲାସ୍ତରୀୟ କର୍ମଶାଳା ରେ ଗଣତନ୍ତ୍ରର ସୁରକ୍ଷା ଓ ଅରାଜକତା ବିରୋଧରେ ବିଜେପିର ରଣହୁଙ୍କାର
ବାଲିଗୁଡା, ୩୦/୧୦ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଜି.ଉଦୟଗିରି ଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଓ ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ଉପରେ ଆଲୋଚନା ହୋଇଥିଲା।
ଏହି କର୍ମଶାଳା ରେ ବିଜେପିର ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଉପସ୍ଥିତ ରହିଥିଲେ।
ଏଥିସହ ଜିଲ୍ଲା ବିଜେପିର ବିଭିନ୍ନ ପଦାଧିକାରୀ, ଦଳୀୟ ନେତା ଓ କର୍ମୀମାନେ ମଧ୍ୟ କର୍ମଶାଳାରେ ସାମିଲ ହୋଇଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ମୌଳିକ ସମସ୍ୟା, ଗ୍ରାମୀଣ ଭିତ୍ତିଭୂମିର ବିକାଶ, ରାସ୍ତାଘାଟ, ପାନୀୟ ଜଳ ଯୋଗାଣ ଓ ଜନସାଧାରଣଙ୍କ ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା।
ଉପସ୍ଥିତ ଦଳୀୟ ପଦାଧିକାରୀ ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଲୋକଙ୍କ ଅଭିଯୋଗ ଅତିଥିମାନଙ୍କ ଦୃଷ୍ଟିକୁ ଆଣିଥିଲେ।
ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ କହିଥିଲେ। ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ସମନ୍ୱୟ ରଖି କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲାରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ସକ୍ରିୟ କରିବା ସହ ଲୋକଙ୍କ ନିକଟରେ ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ପହଞ୍ଚାଇବା ଏହି କର୍ମଶାଳାର ଅନ୍ୟତମ ଉଦ୍ଦେଶ୍ୟ ରହିଥିଲା। ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ କର୍ମଶାଳାଟି ସମାପନ ହୋଇଥିଲା।
କନ୍ଧମାଳରେ ବର୍ଷା ବିପର୍ଯ୍ୟୟ: ଦମ୍ପତିଙ୍କ ସହ ଶିଶୁର ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ : ୩ ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ଘୋଷଣା
କନ୍ଧମାଳ, ୩୦/୧୦: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ମଧ୍ୟରେ ରାଇକିଆ ବ୍ଲକର ଡାଙ୍ଗେଶି ଗ୍ରାମରେ ଘଟିଥିବା ତିନି ଜଣଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଶୋକବାର୍ତ୍ତା ଦେଇ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେଶି ଗ୍ରାମର ଅଚ୍ୟୁତ ପ୍ରଧାନ, ତାଙ୍କ ପତ୍ନୀ ଅନୀଷା ପ୍ରଧାନ ଏବଂ ସେମାନଙ୍କ ଶିଶୁସନ୍ତାନଙ୍କ ଦୁଃଖଦ ପ୍ରାଣହାନି ତାଙ୍କୁ ଗଭୀର ମର୍ମାହତ କରିଛି।
ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି। ଏହି ଅମୂଲ୍ୟ ଜୀବନହାନିରେ ପରିବାରକୁ ଆଶ୍ୱାସନା ଦେବା ଉଦ୍ଦେଶ୍ୟ ରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ୪ ଲକ୍ଷ ଟଙ୍କା ଲେଖାଏଁ, ମୋଟ ୧୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।
ଅନ୍ୟପକ୍ଷରେ, ପ୍ରବଳ ବର୍ଷାରେ ଡାଙ୍ଗେଶି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ପ୍ରାୟ ୧୫ଟି ଘର ଧୋଇ ଯାଇଥିବା ଜଣାପଡ଼ିଛି।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଓ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ବିପର୍ଯ୍ୟୟର ସ୍ଥିତି ଅନୁଧ୍ୟାନ କରିଥିଲେ।
ଏଥିସହ କ୍ଷତିଗ୍ରସ୍ତ ଅଞ୍ଚଳର ପରିସ୍ଥିତି ଓ ପ୍ରଭାବିତ ପରିବାରଙ୍କ ସ୍ଥିତି ସମ୍ପର୍କରେ ତଦାରଖ କରାଯାଇଥିଲା। ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟରେ ଜୀବନହାନି ସହ ବାସଗୃହ ନଷ୍ଟ ହେବା ଘଟଣା ଗ୍ରାମବାସୀଙ୍କୁ ଗଭୀର ଦୁଃଖରେ ପକାଇଥିବା ବେଳେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଓ ଥଇଥାନ ବ୍ୟବସ୍ଥା ଯୋଗାଇଦେବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
କନ୍ଧମାଳର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ପଦକ୍ଷେପ : ରାଇକିଆରେ ଡାକ୍ତରୀ ଦଳ ନିୟୋଜିତ
କନ୍ଧମାଳ, ୩୦/୧୦: ବନ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ।
ବନ୍ୟା ପ୍ରଭାବିତ ରାଇକିଆ ଅଞ୍ଚଳର ଲୋକଙ୍କୁ ତ୍ୱରିତ ଓ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଫୁଲବାଣୀ ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ କରାଯାଇଛି।
ମେଡିକାଲ କଲେଜର କମ୍ୟୁନିଟି ମେଡିସିନ ବିଭାଗ ପକ୍ଷରୁ ପଠାଯାଇଥିବା ଏହି ଡାକ୍ତରୀ ଦଳ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ବନ୍ୟା ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବେ।
ବିଶେଷ କରି ବନ୍ୟା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥିବା ଲୋକଙ୍କୁ ଆବଶ୍ୟକୀୟ ଚିକିତ୍ସା ସହ ବିଶେଷଜ୍ଞ ପରାମର୍ଶ ଓ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ।
ବନ୍ୟା ପରେ ଦୂଷିତ ଜଳ ଓ ପରିବେଶ ଯୋଗୁଁ ଜଳବାହିତ ରୋଗ ସମେତ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ।
ଏହାକୁ ଦୃଷ୍ଟିରେ ରଖି ଡାକ୍ତରୀ ଦଳ ପକ୍ଷରୁ ରୋଗ ନିରାକରଣ ଓ ପ୍ରତିରୋଧ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ।
ଏଥିସହିତ ବ୍ୟକ୍ତିଗତ ସ୍ୱଚ୍ଛତା, ପାନୀୟ ଜଳର ବିଶୁଦ୍ଧତା, ପରିବେଶ ପରିଚ୍ଛନ୍ନତା ଏବଂ ସଂକ୍ରାମକ ରୋଗରୁ ନିଜକୁ ରକ୍ଷା କରିବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।
ବନ୍ୟା ବିପର୍ଯ୍ୟୟ ପରେ କେବଳ ତୁରନ୍ତ ଚିକିତ୍ସା ନୁହେଁ, ବରଂ ଆଗାମୀ ଦିନରେ ସମ୍ଭାବ୍ୟ ରୋଗର ମୁକାବିଲା ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ଏକ ବଡ଼ ଆହ୍ୱାନ।
ଏଭଳି ସ୍ଥିତିରେ ମେଡିକାଲ କଲେଜ ପକ୍ଷରୁ ଡାକ୍ତରୀ ଦଳ ନିୟୋଜନକୁ ଏକ ସମୟୋଚିତ ପଦକ୍ଷେପ ଭାବେ ଦେଖାଯାଉଛି।




