ବଜ୍ରାଘାତରେ ଚାଲିଗଲା ଦୁଇ ଜଣକ ଜୀବନ, ଜଣେ ଆହତ

ବାଲେଶ୍ୱର, ୧୦/୮ : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ରାଇପୀତାମ୍ବର ଗାଁର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ। ଆହତ ଜଣଙ୍କ ହେଉଛନ୍ତି ସେହି ଗାଁର ସୁରେନ୍ଦ୍ର ସାହୁ।
ଏମାନେ ଆଜି ଅପରାହ୍ଣରେ ବିଲକୁ କାମ କରିବାକୁ ଯାଇଥିଲେ। ତେବେ ସେହି ସମୟରେ ପ୍ରବଳ ଘଡ଼ଘଡ଼ି ସହିତ ବିଜୁଳି ମାରିଥିଲା। ଆଉ ସେଥିରେ ବସନ୍ତ ଓ ନରେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସୁରେନ୍ଦ୍ର ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।