ପ୍ରବଳ ବର୍ଷା ଆଶଙ୍କା, ୩ ଦିନ ବନ୍ଦ ରହିବ ସ୍କୁଲ : ୨୨ ରୁ ୨୪ ସେପ୍ଟେମ୍ବର ଯାଏଁ ଶିଶୁ ବାଟିକାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ବନ୍ଦ ରହିବ , ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୨/୯ : ଖୋରଧା ଜିଲ୍ଲାରେ ଆଗାମୀ ଦିନ ଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଭୀଷଣ ପାଣିପାଗର ପୂର୍ବାନୁମାନ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ଜିଲ୍ଲାର ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଘରୋଇ ପରିଚାଳିତ ବିଦ୍ୟାଳୟରେ ୩ ଦିନ ପାଇଁ ପାଠପଢ଼ା ବନ୍ଦ ରହିବ। ସେପ୍ଟେମ୍ବର ୨୨ରୁ ୨୪ ତାରିଖ ପର୍ୟ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁ ହେବ।
ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ ନାହିଁ। ତେବେ ଏହି ଛୁଟି କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବେଳେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ନିୟମିତ ଭାବେ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହିବେ।
ଭୀଷଣ ପାଣିପାଗ ସମୟରେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ସହଯୋଗ ଯୋଗାଇବା ଓ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବା ଲାଗି ବିଦ୍ୟାଳୟଗୁଡ଼ିକୁ ପ୍ରସ୍ତୁତ ରଖିବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
ଖୋରଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଶିକ୍ଷା,ଖୋରଧା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୧ରେ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଖରାପ ପାଣିପାଗର ପ୍ରଭାବରେ ରାସ୍ତାଘାଟରେ ଜଳବନ୍ଦୀ, ଯାତାୟାତରେ ବାଧା, ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ଅନ୍ୟାନ୍ୟ ସମସ୍ୟା ଦେଖାଦେଇପାରେ। ଏଭଳି ସମ୍ଭାବ୍ୟ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ଏଡ଼ାଇବା ପାଇଁ ବିଦ୍ୟାଳୟ ବନ୍ଦ ରଖାଯାଇଛି।
ନିର୍ଦ୍ଦେଶନାମାରେ ତେବେ ଏକ ବିଶେଷ ବ୍ୟତିକ୍ରମ ରଖାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ହୋଇଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୨ରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଅନୁଷ୍ଠିତ ହେବ।
ଜିଲ୍ଲାର ୧୩ଟି ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ। ସ୍କୁଲ ବନ୍ଦ ନିର୍ଦ୍ଦେଶ ଯୋଗୁଁ ପରୀକ୍ଷାରେ କୌଣସି ବାଧା ନ ଉପୁଜିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା କରିବେ।
ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଦାୟିତ୍ୱରେ କୌଣସି ଛୁଟ ଦିଆଯାଇନାହିଁ। ସମସ୍ତ ଶିକ୍ଷକ ଓ କର୍ମଚାରୀ ନିଜ ନିଜ ବିଦ୍ୟାଳୟରେ ନିୟମିତ ଉପସ୍ଥିତ ରହିବେ। ଏହି ୩ ଦିନ ମଧ୍ୟରେ କୌଣସି କର୍ମଚାରୀଙ୍କୁ ସାଧାରଣ ଛୁଟି ବା ଉଖ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
ବିଶେଷକରି ଭୀଷଣ ବର୍ଷା ସମୟରେ ବିଦ୍ୟାଳୟ ଭବନ, ପାନୀୟଜଳ ବ୍ୟବସ୍ଥା, ବିଦ୍ୟୁତ୍ ବ୍ୟବସ୍ଥା, ଶୌଚାଳୟ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧାକୁ ସୁରକ୍ଷିତ ଓ କାର୍ଯ୍ୟକ୍ଷମ ରଖିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। କୌଣସି ସ୍ଥାନରେ ବର୍ଷାଜଳ ପ୍ରବେଶ କିମ୍ବା ବିଦ୍ୟାଳୟ ଭବନ ପ୍ରତି ବିପଦ ଦେଖାଦେଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ସୂଚିତ କରାଯାଇଛି।
ଭୀଷଣ ପାଣିପାଗ ଯୋଗୁଁ ଯଦି କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜେ, ସେଥିପାଇଁ ବିଦ୍ୟାଳୟଗୁଡ଼ିକୁ ୨୪ ଘଣ୍ଟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି। ପ୍ରଧାନଶିକ୍ଷକମାନେ ଶିକ୍ଷକ ଓ କର୍ମଚାରୀଙ୍କ ରୋଷ୍ଟର ଡ୍ୟୁଟି ପ୍ରସ୍ତୁତ କରିବେ। ଫଳରେ ଯେକୌଣସି ସମୟରେ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବିଦ୍ୟାଳୟ ଖୋଲାଯାଇପାରିବ ଏବଂ ସ୍ଥାନୀୟ ପ୍ରଶାସନକୁ ଆବଶ୍ୟକ ସହଯୋଗ ଦିଆଯାଇପାରିବ।
ଜରୁରୀ ପରିସ୍ଥିତିରେ ବିଦ୍ୟାଳୟ ଭବନକୁ ଆଶ୍ରୟସ୍ଥଳ କିମ୍ବା ଅନ୍ୟାନ୍ୟ ପ୍ରଶାସନିକ କାର୍ୟ୍ୟରେ ବ୍ୟବହାର କରିବାର ଆବଶ୍ୟକତା ପଡ଼ିଲେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ମଧ୍ୟ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ କୁହାଯାଇଛି।
ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, ଖୋରଧା ସମସ୍ତ ପ୍ରଧାନଶିକ୍ଷକ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ସ୍ଥାନୀୟ ପାଣିପାଗ ଓ ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ସମୟରେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ସେମାନଙ୍କୁ କୁହାଯାଇଛି।
ନିର୍ଦ୍ଦେଶନାମାର ନକଲ ଖୋରଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସମେତ ରାଜ୍ୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଅବଗତି ନିମନ୍ତେ ପଠାଯାଇଛି। ଏପରିକି ପାଣିପାଗରେ ପରିବର୍ତ୍ତନ ହେଲେ ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶକୁ ମଧ୍ୟ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁସରଣ କରିବେ।
ଭୀଷଣ ବର୍ଷାର ପୂର୍ବାନୁମାନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନିରାପଦ ଯାତାୟାତ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ୩ ଦିନିଆ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ବେଳେ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପ୍ରଶାସନିକ ଦାୟିତ୍ୱ ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।




