ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ , କାମ ତ୍ୱରାନ୍ୱିତ କରିବାକୁ ଦେଲେ ନିର୍ଦ୍ଦେଶ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୯/୫ : ଭାରତର ଶେଷ ସ୍ୱାଧୀନ ଦୁର୍ଗ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଚାଲିଛି।
ସୋମବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ଖୋରଧା ଗସ୍ତରେ ଆସି ନିର୍ମାଣସ୍ଥଳ ପରିଦର୍ଶନ କରିବା ସହ ନିର୍ମାଣ ଦାୟିତ୍ବରେ ଥିବା ଅଏଲ ଇଣ୍ଡିଆ ଫାଉଣ୍ଡେଶନ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ନିର୍ମାଣ ସ୍ଥଳରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିନବା ସହ କାମ ତ୍ବରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମଗିରି ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
କଳିଙ୍ଗ ପାଇକ ସଙ୍ଗଠନର ସଭାପତି ଭୀମସେନ ପ୍ରଧାନ, ମୁଖ୍ୟ ସଂଯୋଗକ ଶିଶିର ନାୟକ, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ଖୋରଧା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ ଯେ, ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ସ୍ବାଭିମାନ, ଅସ୍ମିତା ଓ ଗୌରବମୟ ଐତିହ୍ୟର ଅନନ୍ୟ ପ୍ରତୀକ। ଆଗାମୀ ଦିନରେ ଏହି ସ୍ମାରକୀ ଯୁବପିଢ଼ିଙ୍କୁ ସର୍ବଦା ଅନୁପ୍ରାଣିତ କରିବ।
ପାଇକ ସ୍ମାରକୀ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ ହେବ। ପାଇକବୀରଙ୍କ ବଳିଦାନ, ତ୍ୟାଗ, ଶୌର୍ଯ୍ୟ, ବୀରତ୍ୱର ଗାଥା ଏଥିରେ ସ୍ଥାନ ପାଇବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଏହାର ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହେବ, ସେଥିନପ୍ରତି ଗୁରୁତ୍ବ ଦିଆଯିବ। ବିଧାୟକ ଜଗଦେବ କହିଥିଲେ ଯେ, ପାଇକ ସ୍ମାରକୀ ଓଡ଼ିଆ ଜାତିର ପରିଚୟ। ପାଇକ ବୀରଙ୍କ ବୀରତ୍ବ ବହ୍ନି ସାରା ଭାରତ ବର୍ଷରେ ସ୍ବାଧୀନତାର ଅଗ୍ନିକୁ ପ୍ରଜ୍ଜଳତ କରିଥିଲା।
ପାଇକ ବୀରଙ୍କ ପାଇଁ ଏ ମାଟି ସର୍ବଦା ଗର୍ବିତ। ଏଠାରେ ଯେଉଁ ପାଇକ ସ୍ମାରକୀ ନିର୍ମାଣ ହେବ, ତାହା ସ୍ବାଭିମାନୀ ପାଇକଙ୍କ ବୀରତ୍ବର ଗାଥାର ପ୍ରତୀକ ସାଜିବ, ଯାହା ପରବର୍ତ୍ତୀ ପିଢି ପାଇଁ ପ୍ରେରଣାର ଉତ୍ସ ହେବ।
ପ୍ରକାଶ ଯେ, ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାଦଦେଶରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ପାଇକ ସ୍ମାରକୀ ନିର୍ମାଣ ଶିଳାନ୍ୟାସ ହୋଇଥିଲା। ପ୍ରଥମେ ପ୍ରସ୍ତାବିତ ଜମି ଏବଂ ପରେ ଜମି ହସ୍ତାନ୍ତରକୁ ନେଇ ଦୀର୍ଘ ବର୍ଷ ଧରି ଜଙ୍ଗଲ ବିଭାଗ ଏବଂ ରାଜସ୍ବ ବିଭାଗ ମଧ୍ୟରେ ଲାଗି ରହିଥିତବା ବିବାଦ ତୁଟୁଛି ।
ତତ୍କାଳୀନ ରାଜ୍ୟ ସରକାର ଏହାର ଫ୍ରି ପ୍ରିମିୟମରେ ଜମି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ହସ୍ତାନ୍ତର କରିଛନ୍ତି। ପ୍ରସ୍ତାବିତ ଜମିରୁ ୭୫୪ଗଛ ଏବଂ ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ଅନ୍ୟତ୍ର ଅପସାରଣ ପରେ ଏହାର ଚାରିପଟେ ପାଚେରି ନିର୍ମାଣ କରାଯାଇଛି ।
ଗତ ଜାନୁଆରୀରେ ନିର୍ମାଣ ଦାୟିତ୍ଵରେ ଥିବା ସଂସ୍ଥା ପକ୍ଷରୁ ସ୍ଥାନୀୟ ପାଇକ ସଙ୍ଗଠନ ମାନଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ହୋମଯଜ୍ଞ କରାଯାଇଥିଲା।
ପ୍ରଥମ ପର୍ଯ୍ୟାୟରେ ପାଚେରି ନିର୍ମାଣ ସରିବା ପରେ ପ୍ରସ୍ତୁତ ଡିପିଆର୍ ଅନୁଯାୟୀ ପର୍ଯ୍ୟାୟକ୍ରମେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।




