ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଗୁରୁବାରରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ, ଅକ୍ଟୋବର ୨୬ରୁ ଘରକୁ ଘର ବୁଲିବେ ବିଏଲଓ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୩୧/୮ : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ତ୍ରୁଟି ସୁଧାରିବାକୁ ବଡ଼ ପଦକ୍ଷେପ ନେଇଛି ରାଜ୍ୟ ନିର୍ବାଚନ କମିଶନ (SEC)। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ସେପ୍ଟେମ୍ବର ୩ରୁ ୧୧ ପର୍ୟ୍ୟନ୍ତ ଘରକୁ ଘର ବୁଲି ସ୍ୱତନ୍ତ୍ର ପାଇଲଟ୍ ସର୍ଭେ କରାଯିବ।
ଏହି ସର୍ଭେ ବିଏମସିର ତିନୋଟି ୱାର୍ଡରେ ହେବ। ୧୦ ନମ୍ବର ୱାର୍ଡ (ଭୁବନେଶ୍ୱର-ଉତ୍ତର), ୩୫ ନମ୍ବର ୱାର୍ଡ (ଭୁବନେଶ୍ୱର-ମଧ୍ୟ) ଓ ୫୨ ନମ୍ବର ୱାର୍ଡ (ଭୁବନେଶ୍ୱର-ଏକାମ୍ର) ଅଞ୍ଚଳରେ BLO ଓ ଅନ୍ୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରଙ୍କ ସୂଚନା ଯାଞ୍ଚ କରିବେ।
ରାଜ୍ୟ ନିର୍ବାଚନ କମିଶନଙ୍କ କହିବା ଅନୁସାରେ, ଗୋଟିଏ ପରିବାରର ସଦସ୍ୟ ଭିନ୍ନ ଭିନ୍ନ ବୁଥରେ ନାମ ଥିବା, ଘର ନମ୍ବରରେ ଅସଙ୍ଗତି ଓ ଗୋଟିଏ ୱାର୍ଡର ଭୋଟର ଅନ୍ୟ ୱାର୍ଡରେ ଭୋଟ ଦେବା ଭଳି ସମସ୍ୟାକୁ ଏହି ସର୍ଭେରେ ଚିହ୍ନଟ କରାଯିବ। ସହରାଞ୍ଚଳରେ ଅନେକ ପୋଲିଂ ବୁଥର ସ୍ପଷ୍ଟ ଭୌଗୋଳିକ ସୀମା ନଥିବାରୁ ଯାତ୍ରୀମାନେ ଅସୁବିଧାରେ ପଡ଼ୁଥିବା ମଧ୍ୟ କମିଶନ ସ୍ୱୀକାର କରିଛି।
ପାଇଲଟ୍ ସର୍ଭେ ପରେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ୟ୍ୟନ୍ତ ସାରା ଓଡ଼ିଶାରେ ବ୍ୟାପକ ଘରକୁ ଘର ଯାଞ୍ଚ ଅଭିଯାନ ଚାଲିବ। ଏହା ମାଧ୍ୟମରେ ପଞ୍ଚାୟତ ଓ ସହରାଞ୍ଚଳର ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ସଠିକ୍ ଓ ବ୍ୟବସ୍ଥିତ କରିବା ଲକ୍ଷ୍ୟ ରହିଛି। ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ନାଗରିକଙ୍କୁ ସର୍ଭେ ଦଳକୁ ସମ୍ପୂର୍ଣ୍ଣ ସହଯୋଗ କରି ସଠିକ୍ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି।




