Odisha News

ଧାନ ଓ କପା ଫସଲ ଉଜାଡ଼ିଲେ ହାତୀପଲ : ସୀମାନ୍ତ ଅଞ୍ଚଳରେ ୫ ହାତୀଙ୍କ ଉପଦ୍ରବ, ଭୟରେ ଚାଷୀ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା , ୩/୧୦ : କନ୍ଧମାଳ–କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ତୁମୁଡ଼ିବନ୍ଧ ବନାଞ୍ଚଳର ଲଙ୍କାଗଡ଼ ପଞ୍ଚାୟତର ବାରିଙ୍ଗିଲି ଓ ଅର୍ଜୁନପୁର ଗାଁରେ ୫ଟିକିଆ ହାତୀପଲ ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି।
ଗତ କିଛିଦିନ ହେଲା ହାତୀପଲ ଗାଁ ନିକଟବର୍ତ୍ତୀ ଚାଷଜମିରେ ପଶି ଧାନ ଓ କପା ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ବନ ବିଭାଗର ସୂଚନା ଅନୁଯାୟୀ, ହାତୀପଲ ଦ୍ୱାରା ଅଞ୍ଚଳର ୨ ଏକରରୁ ଊର୍ଦ୍ଧ୍ୱ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଏଥିସହ କପା ଚାଷ ମଧ୍ୟ ନଷ୍ଟ ହୋଇଥିବା ଚାଷୀମାନେ କହିଛନ୍ତି।
ଫଳରେ ଚାଷରେ ଲଗାଇଥିବା ଅର୍ଥ ଫେରିବ କି ନାହିଁ, ସେନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବାରୁ ସନ୍ଧ୍ୟା ପରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଖବର ପାଇ ତୁମୁଡ଼ିବନ୍ଧ ବନାଞ୍ଚଳର ବନ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଚାଷୀଙ୍କୁ ସତର୍କ ରହିବାକୁ ସଚେତନ କରୁଛନ୍ତି। ଏଥିସହ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ ମଧ୍ୟ କରାଯାଉଛି।
କନ୍ଧମାଳ–କଳାହାଣ୍ଡି ସୀମାନ୍ତ ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ଏହି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଦେଖିବାକୁ ମିଳେ। ତେବେ ଚାଷ ଅମଳ ସମୟରେ ହାତୀପଲ ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ବନ ବିଭାଗ ପକ୍ଷରୁ ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରାଯାଉଥିବା ବେଳେ କ୍ଷୟକ୍ଷତି ଆକଳନ ପରେ ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ସେବା ପକ୍ଷ ଅବସରରେ ବିଦ୍ୟାଳୟରେ ବୃକ୍ଷରୋପଣ
ବାଲିଗୁଡ଼ା, ୩/୧୦: ସେବା ପକ୍ଷ ପାଳନ ଅବସରରେ ବାଲିଗୁଡା ବ୍ଲକ ଚାଙ୍ଗୁରୁବାଲି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରାରୋପଣ କରାଯାଇଥିଲା।
ଏହି ଅବସରରେ କଳ୍ପନା କହଁର, ଶକ୍ତିକେନ୍ଦ୍ର ପ୍ରମୁଖ ସୀତାରାମ ବିଶୋୟୀ, ବୁଥ୍ ସଭାପତି ଦାମ ପ୍ରଧାନୀ, ବିଏଲଓ-୨ ଶୁଶାନ୍ତ ପାତ୍ର, ବୁଥ୍ କାର୍ଯ୍ୟକର୍ତ୍ତା ଓ ନାଏବ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ।
ଗଛ ଲଗାଇବା ସହ ଏହାର ଯତ୍ନ ନେବା ଏବଂ ପରିବେଶକୁ ସୁସ୍ଥ ଓ ସବୁଜ ରଖିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।
ବର୍ଜ୍ୟରୁ ସୃଜନର ବାର୍ତ୍ତା ଦେଲା ଗ୍ରୀଷ୍ମ ଶିବିର: ୬୦ ଶିକ୍ଷାର୍ଥୀ ଙ୍କୁ ଦିଆଗଲା ବିଭିନ୍ନ କୌଶଳ ପ୍ରଶିକ୍ଷଣ
ବାଲିଗୁଡା , ୩/୧୦: କେବଳ ପାଠପଢ଼ା ନୁହେଁ, ହାତକାମ ମାଧ୍ୟମରେ ନୂଆ କୌଶଳ ଶିଖିବା ଓ ଆତ୍ମନିର୍ଭର ହେବାର ବାର୍ତ୍ତା ନେଇ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକଦିବସୀୟ ଗ୍ରୀଷ୍ମ ଶିବିର ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଗିରିଜନ ଉଚ୍ଚ ବିଦ୍ୟାଳୟ, ଋତୁଙ୍ଗିଆର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।
ମୋହନ ଚରଣ ବିଷୋୟୀ, ପ୍ରଦୀପ କୁମାର ସାହୁ, ଅଭୟ କୁମାର ପ୍ରଧାନ, ପ୍ରମୋଦ କୁମାର ସାହୁ, ସରସ୍ୱତୀ ବିନ୍ଧାଣୀ ଓ ନୃସିଂହ ଚରଣ ପାତ୍ର ବିଭିନ୍ନ ବିଷୟରେ ସାଧନକର୍ମୀ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଶିବିରରେ ୬୦ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରି ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ନୂଆ ସାମଗ୍ରୀ ପ୍ରସ୍ତୁତିର କୌଶଳ ଶିଖିଥିଲେ।
ନଷ୍ଟ ହୋଇଥିବା ଏଲ୍‌ଇଡି ବଲ୍‌ବର ପୁନଃବ୍ୟବହାର, ପରିତ୍ୟକ୍ତ ପ୍ଲାଷ୍ଟିକରୁ ଖେଳଣା, ଝୋଟ ଓ ବାଉଁଶରୁ ବିଭିନ୍ନ ଘରୋଇ ଉପକରଣ ପ୍ରସ୍ତୁତି ସହ ସିଲେଇ କାମ ଆଦିରେ ଶିକ୍ଷାର୍ଥୀମାନେ ହାତକଳା ପ୍ରଶିକ୍ଷଣ ନେଇଥିଲେ।
ଏହି ଅବସରରେ ଅତିଥି ମାନେ କହିଥିଲେ ଯେ, ନୂତନ କୌଶଳ ଆହରଣ ଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହ ଭବିଷ୍ୟତରେ ବିଭିନ୍ନ ବୃତ୍ତିଗତ ସୁଯୋଗ ସୃଷ୍ଟି କରିଥାଏ। ଶିବିର ଶେଷରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଶେଷରେ ବରିଷ୍ଠ ଶିକ୍ଷକ ବାମଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Related Posts