Odisha News

ଦାରିଙ୍ଗବାଡିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ : ଇକୋ ରିଟ୍ରିଟ ସହ ହିଲଭିୟୁ ପାର୍କ ବୁଲି ଦେଖିଲେ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୪/୧ : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରଥମ ଦାରିଙ୍ଗବାଡି ଗସ୍ତ ରେ ଆସି ସେ ପ୍ରଥମେ ଇକୋ ରିଟ୍ରିଟ ପରିସରରେ ପହଞ୍ଚିଥିଲେ। ସେଠାରେ ଇକୋ ରିଟ୍ରିଟ ବୁଲିବା ସହ ପର୍ଯ୍ୟଟକଙ୍କ ସହ ଆଲୋଚନା କରିଥିଲେ।
ତେବେ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଉନ୍ନତି କରିବାକୁ ପର୍ଯ୍ୟଟକମାନେ ନିବେଦନ କରିଥିଲେ। ଏଥିସହ ଇକୋ ରିଟ୍ରିଟରେ ବହୁତ ଭଲ ସେବା ମିଳୁଥିଲେ ମଧ୍ୟ ପ୍ରତିଦିନ ସନ୍ଧ୍ୟାରେ ଗୋଟିଏ ସାଂସ୍କୃତିକ ଟିମ୍ ଦ୍ବାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ତାହା ଆଦୃତ ହୋଇପାରୁନାହିଁ ବୋଲି ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତି କରି ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ।
ପରେ ଇକୋ ରିଟ୍ରିଟରୁ ମୁଖ୍ୟ ଶାସନ ସଚିବ ବାହାରି କଫି ବଗିଚା ଓ ହିଲଭିୟୁ ପାର୍କ ବୁଲି ପ୍ରଂଶସା କରିଥିଲେ।
କଫି ବଗିଚାରେ କାର୍ଯ୍ୟରତ ସ୍ବୟଂ ସହାୟକ ଗୋଷ୍ଠି ର ଜଣେ ଆଦିବାସୀ ମହିଳାଙ୍କୁ ଭେଟି ତାଙ୍କ ବିଷୟରେ ଭଲ ମନ୍ଦ ପଚାରି ବୁଝିବା ସହ ତାଙ୍କ ଦିଲ୍ଲୀ ଗସ୍ତ ବିଷୟରେ ପଚାରିଥିଲେ।
ମୁଖ୍ୟ ଶାସନଙ୍କ ଗସ୍ତ ସମୟରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ମାଛ ବ୍ୟବସାୟୀ ଙ୍କୁ ଅପହରଣ : ମାଡ଼ ମାରି ଟଙ୍କା ଓ ମୋବାଇଲ ଲୁଟ
ବାଲିଗୁଡା, ୧୪/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଇର୍ପିଗୁଡା ନିକଟରେ ଏକ ମାଛ ବ୍ୟବସାୟୀ ଙ୍କୁ ଅଟକାଇ ଅପହରଣ କରି ମାଡ଼ ମାରି ତା ଠାରୁ ଟଙ୍କା ଓ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି।
ଏ ନେଇ ପରିବାର ଲୋକ ଥାନା ର ଦ୍ୱାରସ୍ତ ହୋଇ ନ୍ୟାୟ ଭିକ୍ଷା କରି ସୁରକ୍ଷା ଦେବା ପାଇଁ ନିବେଦନ କରିଛନ୍ତି।
ପରିବାର ଲୋକେ ପରିବାରିକ ଗଣ୍ଡଗୋଳ ଯୋଗୁଁ ଏଭଳି ହୋଇଥିବା ଆଶଙ୍କା କରିଛନ୍ତି । ଘଟଣା ରୁ ପ୍ରକାଶ ଯେ ରେ ବାଲିଗୁଡ଼ା ନୂଆସାହି ନିବାସୀ ବାସୁଦେବ ବେହେରା (୫୦) ମାଛ ବ୍ୟବସାୟ ପାଇଁ କୁର୍ତ୍ତମଗଡ ଯାଇ ମଧ୍ୟାହ୍ନ ୧ ଟା ରେ ଫେରୁଥିବା ସମୟରେ ଇର୍ପିଗୁଡା ଘାଟି ରେ ଚାରି ଚକିଆ ଗାଡ଼ି ୪ ଜଣ ମୁଖା ପିନ୍ଧା ଦୂର୍ବୁତ ଆସି ଅଟକାଇ ତୁମ ନାମରେ ଗଞ୍ଜେଇ ମାମଲା ରହିଛି କହି ଅପହରଣ କରି ନେଇଥିଲେ।
ଦିର୍ଘ ରାସ୍ତା ଗାଡି ରେ ନେବା ପରେ ଏକ ନିର୍ଜନ ସ୍ଥାନରେ ରଖି ମାଡ଼ ମାରିବା ସହ ୧୦ ହଜାର ଟଙ୍କା ମୋବାଇଲ ଛଡାଇ ନେଇ ଯାଇଥିଲେ ।
ଯାହାରି ଫଳ ରେ ବସୁଦେବ ର ହାତ ଭାଙ୍ଗି ଯାଇଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇ ଦେହ ଓ କପଡା ସମ୍ପୂର୍ଣ୍ଣ ରକ୍ତାକ୍ତ ହୋଇଯାଇଥିଲା ।
ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ଦେଖିବା ପରେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେବାକୁ ପଡ଼ିବ ବୋଲି ପରିବାର ଲୋକେ କହିଛନ୍ତି ।
ଏ ନେଇ ବାଲିଗୁଡ଼ା ଥାନାରେ ପରିବାର ପକ୍ଷରୁ ବାଲିଗୁଡା ଥାନାରେ ଏତଲା ଦେବା ପରେ ଏତଲା କୁ ଭିର୍ତ୍ତି କରି କେଶ ନଂ.୧୦/୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ଥାନା ଅଧିକାରୀ ଶିବ ରଞ୍ଜନ ସିଂଙ୍ଘା ପ୍ରକାଶ କରିଛନ୍ତି ।
ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଅଭାବ

ବାଲିଗୁଡା, ୧୪/୦୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି। ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଥିବା ବେଳେ ଟିକାବାଲି ବ୍ଲକର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ।
ସରକାରୀ ମାନଦଣ୍ଡ ଅନୁସାରେ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହେଉଥିବା ବେଳେ ଆଗାମୀ ଦିନରେ ଏହା ଏକ ଭୟଙ୍କର ରୂପ ନେବାକୁ ଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ, ଟିକାବାଲି ବ୍ଲକରେ ମୋଟ ୭୮ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୧୦ ରୁ ଉର୍ଦ୍ଧ ଉଚ୍ଚ ବିଦ୍ୟାଳୟକୁ ମିଶାଇ ପାଖାପାଖି ୯୦ ଟି ବିଦ୍ୟାଳୟ ରହିଛି।
ସରକାରଙ୍କ ଶିକ୍ଷକ-ଛାତ୍ର ଅନୁପାତ (ରେସିଓ) ଅନୁଯାୟୀ, ବର୍ତ୍ତମାନ ଏହି ବ୍ଲକରେ ଅତି କମରେ ୨୯ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି।
ଶିକ୍ଷକ ଅଭାବରୁ ଅନେକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଭରସାରେ ଏକାଧିକ ଶ୍ରେଣୀ ଚାଲୁଥିବା ବେଳେ ପାଠପଢ଼ାର ମାନ ନିମ୍ନଗାମୀ ହେବାରେ ଲାଗିଛି। ଫଳରେ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି।
ପରିସ୍ଥିତି ସେତିକିରେ ସରିନାହିଁ, ଚଳିତ ଶିକ୍ଷା ବର୍ଷ ଶେଷ ହେବା ମାତ୍ରେ ଟିକାବାଲି ବ୍ଲକରୁ ପର୍ଯ୍ୟାୟ କ୍ରମେ ୧୩ ଜଣ ଅଭିଜ୍ଞ ଶିକ୍ଷକ ଅବସର ଗ୍ରହଣ କରିବାକୁ ଯାଉଛନ୍ତି।
ଏହି ଅବସର ପରେ ଶିକ୍ଷକ ଶୂନ୍ୟସ୍ଥାନ ସଂଖ୍ୟା ଆହୁରି ବଢ଼ିବା ସହ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଯଦି ତୁରନ୍ତ ନୂତନ ନିଯୁକ୍ତି ଦିଆନଯାଏ, ତେବେ ଆଗାମୀ ଶିକ୍ଷା ବର୍ଷରେ ସ୍କୁଲ ଗୁଡ଼ିକ କିଭଳି ଚାଲିବ, ସେନେଇ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି। ବ୍ଲକରେ ସୃଷ୍ଟି ହୋଇଥିବା ଏହି ସଙ୍କଟ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପି କେ ନାୟକ କହିଛନ୍ତି ଯେ, ଶିକ୍ଷକ ଅଭାବ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ଆଗାମୀ ଦିନର ସମସ୍ୟା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।
ସରକାରଙ୍କ ପକ୍ଷରୁ ନୂତନ ନିଯୁକ୍ତି କିମ୍ବା ବିକଳ୍ପ ବ୍ୟବସ୍ଥା କରାଗଲେ ହିଁ ସ୍ଥିତି ସୁଧୁରିବ ବୋଲି ସେ ପ୍ରକାଶ କରିଛନ୍ତି। ସରକାରଙ୍କ ୫-ଟି ଏବଂ ସ୍କୁଲ ରୂପାନ୍ତରଣ ଯୋଜନାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସେମାନଙ୍କ ଅଭିଯୋଗ ଅନୁଯାୟୀ, \”ସରକାର ସ୍କୁଲର ଭିତ୍ତିଭୂମି ସଜାଡ଼ିବା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି।
ଶିକ୍ଷକ ନଥିଲେ ପିଲାଙ୍କ ଭବିଷ୍ୟତ କ’ଣ ହେବ?\” ଯଦି ଶୀଘ୍ର ଶିକ୍ଷକ ନିଯୁକ୍ତି କରା ନ ଯାଏ ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ସ୍କୁଲ ଗୁଡିକରେ ତାଲା ପକାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
ଫେରାର ଥିବା ଆନ୍ତରାଜ୍ୟ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ
ବାଲିଗୁଡା,୧୪/୧: ସମଗ୍ର କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ବାରମ୍ବାର ଚାଲାଣ କରି ଜେଲ କୁ ଯାଇ ପୁଣି ହାଇକୋର୍ଟ ରୁ ବେଲ ଆଣି ଖୁଲମ ଖୁଲା ଭାବେ ପୁଣି ଗଞ୍ଜେଇ ଚାଲାଣ କରି ଫେରାର ଥିବା ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ କୁ ବାଲିଗୁଡା ପୋଲିସ ତାଙ୍କ ନିଜ ଘରୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଏହାକୁ ନେଇ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ଏକ ଖବର ଦାତା ସମ୍ମିଳନୀ କରି ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଞ୍ଚାୟତ ତିଲାପାଙ୍ଗା ଗ୍ରାମର ରାଜେଶ ଓରଫ ନକୁଳ ଦିଗାଳ (୩୯) ଙ୍କ ନାମରେ ପୂର୍ବରୁ ବାଲିଗୁଡ଼ା ଥାନାରେ ଦୁଇଟି, ଦାରିଙ୍ଗବାଡି ଥାନାରେ ଦୁଇଟି ଓ ନୟାଗଡ ଥାନାରେ ଗୋଟିଏ ଏପରି ୫ଟି ଗଞ୍ଜେଇ ଚୋରା ଚାଲାଣ ମାମଲାର କେଶ୍ ରହିଛି ଓ ଗୋଟିଏ ଗଞ୍ଜେଇ ମାମଲାରେ ପୁର୍ବରୁ ଜେଲ ଯାଇଥିଲା ଏବଂ ହାଇକୋର୍ଟ ରୁ ବେଲରେ ବାହାରକୁ ଆସିଥିଲା ।
ଗତ ୨୦୨୫ ମସିହା ଏପ୍ରିଲ ମାସ ୨୦ ତାରିଖରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ପରୁଭଟ୍ଟା ଜଙ୍ଗଲର ଗୋଟିଏ ସ୍ଥାନରେ ୪୧୫ କେଜି ଗଞ୍ଜେଇ ୨୦ ଟି ପ୍ଲାଷ୍ଟିକ୍ ବ୍ୟାଗରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ସେହି ସ୍ଥାନରେ ଚଢାଉ କରି ଗଞ୍ଜେଇକୁ ଜବତ କରିଥିଲେ ।
କିନ୍ତୁ ପୋଲିସକୁ ଚକମା ଦେଇ ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ସେହିଦିନ ଠାରୁ ବାଲିଗୁଡା ପୋଲିସ ଅଭିଯୁକ୍ତ ନକୁଳ କୁ ଖୋଜୁଥିଲା, ଏ ନେଇ ବାଲିଗୁଡ଼ା ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ ମଧ୍ୟ ଗଠନ କରି ନକୁଳ ର ନିଜ ଗାଁ ଘରୁ ସଫଳତା ର ସହ ଗିରଫ କରି ତାକୁ କୋର୍ଟ ଚାଲାଣ କରିଥିଲା ।
ଏତଦ ବ୍ୟତୀତ ଏହି ଗଞ୍ଜେଇ କାରବାର ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ଆହୁରି ଅଧିକ ତଦନ୍ତ କରାଯାଉଛି ବୋଲି ଏସଡିପିଓ ଶୁଭମ ଭୋସଲେ ସୁଚନା ଦେଇଛନ୍ତି ।ଏହି ସମୟରେ ଆଇଆଇସି ଶିବ ରଂଜନ ସିଂଘା ମଧ୍ୟ ଉପସ୍ଥିତ ଥିଲେ ।
ଫେବୃୟାରୀ ୩ ତାରିଖ ରୁ ଘୁ.ଉଦୟଗିରିରେ ଶୀତ ମହୋତ୍ସବ ତୁଷାର -୨୦୨୬
କନ୍ଧମାଳ, ୧୪/୧ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ଅଞ୍ଚଳ ର ଲୁପ୍ତ ପ୍ରାୟ କଳା, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ସହ ଏହାକୁ ଲୋକ ଲୋଚନ କୁ ଆଣିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆସନ୍ତା ଫେବୃୟାରୀ ୩ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ବ୍ୟାପୀ ଘୁ. ଉଦୟଗିରି ର କଳିଙ୍ଗ ମିନି ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହେବ ଶୀତ ମହୋତ୍ସବ ତୁଷାର -୨୦୨୬ ।
ବ୍ଲକ୍ ପ୍ରଶାସନ ଓ ସହରର ବୁଦ୍ଧିଜୀବୀ,ବ୍ୟବସାୟୀ, ସମାଜସେଵୀ ଙ୍କ ମିଳିତ ଉଦ୍ୟମରେ ଅୟୋଜନ କରାଯାଉଛି ।
ଏହି ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତେ ନିଷ୍ଠା ଓ ଆନ୍ତରିକତା ର ସହ ଜୋରଦାର ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।
ଏଥିପାଇଁ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳିନ‌ଥିବା ବେଳେ ସହର ବାସୀ ନିଜେ ଅର୍ଥ ସଂଗ୍ରହ କରି ଆୟୋଜନ କରୁଛନ୍ତି । ଶୀତ ଉତ୍ସବକୁ ଆକର୍ଷଣୀୟ ଓ ଯାକ ଜକମ ରେ ସଫଳତା ର ସହ ଅୟୋଜନ କରିବା ପାଇଁ ବିଡ଼ିଓ, ଏନ୍ ଏ ସି ନିର୍ବାହୀ ଅଧୂକାରୀ, ବିଧାୟକ, ଲୋକ ପ୍ରତିନିଧୂ, ବୁଦ୍ଧିଜୀବୀ, ସମାଜ ସେବୀ,ବ୍ୟବସାୟୀ, ଗଣ ମାଧ୍ୟମ ପ୍ରତିନିଧୂ ସମସ୍ତେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ କାର୍ଯ୍ୟ କରୁଛନ୍ତି ।
ମହୋତ୍ସବ ରେ ସ୍ଥାନୀୟ କଳାକାର ଙ୍କୁ ଅଗ୍ରାଧିକାର ଦିଆଯିବା ସହ ରାଜ୍ୟ ଓ ରାଜ୍ୟ ବାହାର କଳାକାର ଆସିବେ । ଏହା ସହ ମିନବଜାର ଓ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀର ବିଭିନ୍ନ ଷ୍ଟଲ ରହିବ ।
ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛି ଆୟୋଜକ କମିଟି ।

Related Posts