Odisha News

‘ଟାଟା ହଟାଅ, ଓଡ଼ିଶା ବଞ୍ଚାଅ’ ଠିକା କର୍ମଚାରୀଙ୍କ ଛଟେଇ ପ୍ରତିବାଦରେ ବିଶାଳ ଶୋଭାଯାତ୍ରା; ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ଆନ୍ଦୋଳନକାରୀଙ୍କ ଯାତ୍ରା

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୬/୧୦: ଖୋରଧା ବିଦ୍ୟୁତ୍ ଡିଭିଜନ ଅଧୀନରେ ଥିବା ୧୮ଟି ସେକ୍ସନରେ କାର‌୍ୟ୍ୟରତ ଠିକା କର୍ମଚାରୀଙ୍କ ଛଟେଇକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।
ଏହାର ପ୍ରତିବାଦରେ ‘ଟାଟା ହଟାଅ, ଓଡ଼ିଶା ବଞ୍ଚାଅ’ ନାରା ଦେଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି କର୍ମଚାରୀମାନେ।
ଚାରି ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ଟାଟା ପାୱାର କୌଣସି ଠିକା କର୍ମଚାରୀଙ୍କୁ ଛଟେଇ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ଅକ୍ଟୋବର ମାସରେ ଶହ ଶହ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି।
ଏହି ଛଟେଇର ପ୍ରତିବାଦରେ ସୋମବାର ଖୋରଧା ବିଦ୍ୟୁତ୍ ଡିଭିଜନ କାର୍ଯ୍ୟାଳୟଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା।
ଆନ୍ଦୋଳନକାରୀମାନେ ଦଣ୍ଡ ପ୍ରଣାମ କରିବା ସହ ଘଣ୍ଟ ବଜାଇ ନିଜର ପ୍ରତିବାଦ ଜଣାଇଥିଲେ। ଠିକା କର୍ମଚାରୀଙ୍କ ଦୁର୍ଦ୍ଦଶା ଓ ଜୀବିକା ସୁରକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସେମାନେ ଯାତ୍ରା ଆରମ୍ଭ କରିଥିବା କହିଛନ୍ତି।
ଛଟେଇ ବନ୍ଦ ନହେଲେ ଓଡ଼ିଶାର ଯୁବକ ଓ ଶ୍ରମିକମାନେ ଜୀବିକା ଅର୍ଜନ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେବେ ବୋଲି ଆନ୍ଦୋଳନକାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ରାଜ୍ୟରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଜୀବିକା ସୁରକ୍ଷିତ ନ ରହିଲେ ଯୁବବର୍ଗଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବ ବୋଲି ସେମାନେ ମତ ଦେଇଛନ୍ତି।
କର୍ମଚାରୀଙ୍କ ଛଟେଇ ସହ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ମଧ୍ୟ ଅତିରିକ୍ତ ଆର୍ଥିକ ବୋଝ ଲଦାଯାଉଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।
ପୂର୍ବରୁ ନୂତନ ସର୍ଭିସ୍ ତାର ବଦଳାଇବା ସେବା ମାଗଣାରେ ମିଳୁଥିବାବେଳେ ବର୍ତ୍ତମାନ ଏଥିପାଇଁ ୧,୧୨୮ ଟଙ୍କା ଦେବା ସହ ଉପଭୋକ୍ତାଙ୍କୁ ନିଜ ଖର୍ଚ୍ଚରେ ତାର କିଣିବାକୁ ପଡ଼ୁଥିବା ସେମାନେ କହିଛନ୍ତି।
ଏହାଦ୍ୱାରା ସାଧାରଣ ଉପଭୋକ୍ତା ଆର୍ଥିକ ଭାବେ ଅଧିକ ଚାପର ସମ୍ମୁଖୀନ ହେଉଥିବା ସେମାନଙ୍କ ଅଭିଯୋଗ।
ଏଥିସହ ଉପଭୋକ୍ତାଙ୍କ ଇଚ୍ଛା ବିରୋଧରେ ସ୍ମାର୍ଟ ମିଟର ଲଗାଯାଉଥିବା ଏବଂ ଏହା ମାଧ୍ୟମରେ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଥିବା ନେଇ ମଧ୍ୟ ଆନ୍ଦୋଳନକାରୀ ମାନେ ଅଭିଯୋଗ ଉଠାଇଛନ୍ତି।
ବିଦ୍ୟୁତ୍ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ଉପଭୋକ୍ତାଙ୍କ ସମସ୍ୟାର ସମାଧାନ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।
ଓଡ଼ିଆ ଅସ୍ମିତାର ସୁରକ୍ଷା କଥା କହୁଥିବା ରାଜ୍ୟ ସରକାର ଠିକା କର୍ମଚାରୀଙ୍କ ଛଟେଇ ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ସମସ୍ୟା ପ୍ରତି କାହିଁକି ନିରବ ରହିଛନ୍ତି ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି।
ଛଟେଇ ବନ୍ଦ କରିବା, ଠିକା କର୍ମଚାରୀଙ୍କ ଜୀବିକା ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ପଡ଼ୁଥିବା ଅତିରିକ୍ତ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Related Posts