Odisha News

ଜିଲ୍ଲା ସ୍ତରୀୟ କର୍ମଶାଳା “ଆସ ଜାଣିବା ଆମ ବଜେଟ”

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୨୩/୪: ଆଜି “ଆସ ଜାଣିବା ଆମ ବଜେଟ” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସୃଜନ ସମ୍ମିଳନୀ କକ୍ଷରେ ଦିବା ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ତଥା ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ଜିଲ୍ଳା ପରିଷଦ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଳା ପଞ୍ଚାୟତ ଅଧିକାରୀ ଝାଡେଶ୍ୱର ଦାସ ଏବଂ ବିଶେଷଜ୍ଞ ଭାବେ ଅଟୋନମସ କଲେଜର ଅଧ୍ୟାପକ(ଅର୍ଥନୀତି) ଆଶୁତୋଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
କର୍ମଶାଳାର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା। ଏହି କର୍ମଶାଳାର ପ୍ରାରମ୍ଭରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରାରମ୍ଭିକ ଭାଷଣ ରଖିଥିଲେ।
ଅଟୋନମସ କଲେଜର ଅଧ୍ୟାପକ ଆଶୁତୋଷ ମିଶ୍ର ୨୦୨୬-୨୭ରେ ବଜେଟ ଉପରେ ପ୍ରକାଶିତ ସମସ୍ତ ତଥ୍ୟକୁ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ, ଯଥା – ଓଡ଼ିଶା ପାଇଁ କେନ୍ଦ୍ରୀୟ ବଜେଟରେ ରେଲୱେ ପ୍ରୋଜେକ୍ଟ ପାଇଁ ୧୦୯୨୮କୋଟି ଟଙ୍କା ଆବଣ୍ଟନ ହୋଇଛି ଯାହା ଓଡିଶା ରାଜ୍ୟର ଭିତ୍ତିଭୂମି ଏବଂ ଶିଳ୍ପର ଅଭିବୃଦ୍ଧି ଦିଗରେ ସହାୟକ ହେବ ।
ବାର୍ଷିକ ବଜେଟ ୨୦୨୬-୨୭ ର କେନ୍ଦ୍ରବିନ୍ଦୁ ହେଉଛି ଗରିବ, ଯୁବ, ଅନ୍ନଦାତା ଏବଂ ନାରୀଶକ୍ତି (GYAN) ।
ଏହି ବଜେଟ ବିକଶିତ ଓଡିଶା ପାଇଁ ଭିଜନ-୨୦୩୬ ଏବଂ ୨୦୪୭ କୁ ସାକାର କରିବା ଦିଗରେ ଏକ ଦୃଢ ଏବଂ ସଂକଳ୍ପ ବଦ୍ଧ ପଦକ୍ଷେପ । ଏହି ବଜେଟ ପୂର୍ବ-ପଶ୍ଚିମ ମାଲବାହି କରିଡର ଲୋଜିସ୍ଟିକ ବ୍ୟବସ୍ଥାକୁ ସୁଧାରିବ ଏବଂ ଶିଳ୍ପ କ୍ଲଷ୍ଟରକୁ ପ୍ରମୁଖ ବଜାର ସହ ଯୋଡିବ ।
ଜାତୀୟ ଜଳପଥ -୫ ର ବିକାଶ ତାଳଚେର, ଅନୁଗୁଳ, ପାରାଦ୍ୱୀପ ଏବଂ ଧାମରା ମଧ୍ୟରେ ଆନ୍ତରିକ ଜଳ ପରିବହନକୁ ସୁଦୃଢ କରିବ ଏବଂ ବନ୍ଦର ଆଧାରିତ ଉନ୍ନତି କୁ ସମର୍ଥନ କରିବ ।
ଗରିବ ମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା / ବାର୍ଦ୍ଧକ୍ୟ ଭତ୍ତା / ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା / ଆଦିବାସୀ ମାନଙ୍କ ପାଇଁ ଧରିତ୍ରୀ ଆଵା ଜନଜାତିୟ ଗ୍ରାମ ଉତକର୍ଷ ଅଭିଯାନ / ଜନ ଆଶ୍ରୟ ଭବନ/ ଅନ୍ତ୍ୟୋଦୟ ଗୃହ ଯୋଜନା / ବସୁଧା ଯୋଜନା ଆଦି ଏହି ବଜେଟରେ ସାମିଲ କରାଯାଇଛି ।
ସେହିପରି ଯୁବବର୍ଗଙ୍କ ପାଇଁ ଖେଳ / ଶିକ୍ଷା ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ / ଗୋଦାବରୀଶ ମିଶ୍ର ମୋଡେଲ ସ୍କୁଲ ପ୍ରୋଗ୍ରାମ / ଭି ଭି ଜି ରା ମ ଜି ଯୋଜନା / ଡାଲଖାଇ ସ୍କିମ ଆଦି ଯୋଜନା ଏହି ବଜେଟରେ ସାମିଲ କରାଯାଇଛି । ଅନ୍ନଦାତାଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା / ସି ଏମ କିଷାନ ଯୋଜନା / ଶ୍ରୀ ଅନ୍ନ ଅଭିଯାନ ଆଦି ଯୋଜନା ଏହି ବଜେଟ ରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ନାରୀ ମାନଙ୍କ ପାଇଁ ସୁଭଦ୍ରା ଯୋଜନା / ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା / ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା / ସମୃଦ୍ଧ ଅଙ୍ଗନବାଡି ଯୋଜନା / ମମତା ଯୋଜନା /ପି ଏମ ପୋଷଣ ଯୋଜନା / ମିଶନ ଶକ୍ତି ଆଦି ଯୋଜନା ଏହି ବଜେଟରେ ସାମିଲ କରାଯାଇଛି ।
ବିଶେଷ କରି ନୟାଗଡ଼ ଜିଲ୍ଲା ପାଇଁ ଏକ ଓଡିଶା ଫାର୍ମା ପାର୍କ ଓ ହୋମିଓପାଥି ମେଡିକାଲ କଲେଜର ସ୍ଥାପନା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।
ମାନ୍ୟବର ବିଧାୟକ କର୍ମଶାଳାରେ ଉଦବୋଧନରେ କହିଲେ ଯେ ଆମେ ବଜେଟ ବିଷୟରେ ଜାଣିବା ଦରକାର । ସମସ୍ତ ବିଭାଗୀୟ ଅଧିକାରୀ ମାନେ ଜାଣିଲେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇପାରିବେ ।
ଜିଲ୍ଲା ପରିଷଦ ଅଧକ୍ଷ କହିଲେ ଯେ ଯେଉଁ ରାଜ୍ୟର ବିତ୍ତିୟ ଶୃଙ୍ଖଳା ଯେତେ ଭଲ ସେ ଦେଶ ସେତିକି ଉନ୍ନତ । ଆଗରୁ କିଛି କିଛି ଲୋକ ଟ୍ୟାକ୍ସ ଦେଉଥିଲେ, ଏବେ ସମସ୍ତେ ଟିକସ ଦାତା ଅଟନ୍ତି । ସରକାରଙ୍କ ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଏକ ବଡ ବଜେଟ ।
ସରକାରଙ୍କ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସ୍ୱାଗତ ଯୋଗ୍ୟ । ଜିଲ୍ଲାପାଳ ମଧ୍ୟ ଏହି କର୍ମଶାଳାର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।
ସେହିପରି ଉପ-ଜିଲ୍ଲାପାଳ ବଜେଟର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ସମସ୍ତ ବିଭାଗୀୟ ଅଧିକାରୀ / ସମସ୍ତ ବିଡ଼ିଓ / ଅଙ୍ଗନବାଡିର ସିଡିପିଓ / ଲାଇନ ବିଭାଗୀୟ ଅଧିକାରୀ /ଗଣ ମାଧ୍ୟମର ପ୍ରତିନିଧିମାନେ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଧନ୍ୟବାଦ ପ୍ରଦାନ କରି ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରିଥିଲେ ।

Related Posts