ଜଳୁଛି ଇଟାଭାଟି ବଢୁଛି ତାତି: ପ୍ରଶାସନର କଟକଣା ନାହିଁ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୨/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ ପ୍ରଥମ ସପ୍ତାହରୁ ହିଁ ସବୁଦିନର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ଫେବୃଆରୀ ମାସ ଶେଷ ସପ୍ତାହରୁ ତାପମାତ୍ରା ଅଚାନକ ବୃଦ୍ଧି ପାଇଥିବା ବେଳେ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ଼ ସହର ତତଲା ତାୱାରେ ପରିଣତ ହେଲାଣି । ଗ୍ରୀଷ୍ମ ଆରମ୍ଭରୁ ଖରା ଜନସାଧାରଣଙ୍କୁ କଲବଲ କରିବା ଆରମ୍ଭ କରିଥିବାରୁ ଆଗକୁ ଅବସ୍ଥା ଅସମ୍ଭାଳ ହେବାର ଆଶଙ୍କା ଦେଖାଦେଇଛି ।
ସମଗ୍ର କନ୍ଧମାଳ ଜିଲ୍ଲା ରେ ବ୍ୟାପକ ଜଙ୍ଗଲହାନୀ ସହ ବେଆଇନ ଇଟାଭାଟି ତାପମାତ୍ରା ବୃଦ୍ଧି ପ୍ରମୁଖ କାରଣ ବୋଲି ପରିବେଶବିତ ମାନେ ଅଭିଯୋଗ କରିଛନ୍ତି ।
ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବେଆଇନ ମାଟିରେ ତିଆରି ଇଟାଭାଟି କୁଟୀର ଶିଳ୍ପରେ ପରିଣତ ହୋଇଛି। ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ବାଲିଗୁଡା, କ.ନୂଆଗାଁ, ଦାରିଙ୍ଗବାଡି, ତୁମୁଡିବନ୍ଧ ଓ କୋଟଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ମାଳମାଳ ଇଟାଭାଟି ଗଢ଼ି ଉଠିଛି । ମାଟି ତିଆରି ଇଟା ବ୍ୟବହାର ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କଟକଣା ଜାରି କରାଯାଇ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମାଟି ଇଟାଭାଟିକୁ ବେଆଇନ ଘୋଷଣା ସହ ସରକାର ପାଉଁଶ ଇଟାକୁ ପ୍ରୋତ୍ସାହନ ଯୋଗାଇଛନ୍ତି ।
ତେବେ ଜିଲ୍ଲାର ବିଭିନ୍ନ ତହସିଲ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ପାଉଁଶ ଇଟା ବଦଳରେ ବେଆଇନ ଇଟାଭାଟି ମାଲିକଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ମିଳୁଛି । ବେଆଇନ ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଛି । ଅନ୍ୟପକ୍ଷେ ଇଟାଭାଟି ମାଲିକ ଚଢ଼ା ଦରରେ ମାଟିଇଟା ବିକ୍ରି କରି ଲାଭବାନ ହେଉଛନ୍ତି । ରାଜ୍ୟ ତଥା ଜିଲ୍ଲା ତଥା ଜିଲ୍ଲା ବାହାର ଶ୍ରମିକଙ୍କୁ ଅଣାଯାଇ ଇଟା ତିଆରିରେ ନିୟୋଜିତ କରାଯାଇଛି । ମାଟିରେ ଇଟା ତିଆରି ପରେ ଜଙ୍ଗଲରୁ ଗଛର କାଠ କାଟି ଇଟା ପୋଡ଼ାଯାଉଛି ।
ନିୟମିତ ଶହ ଶହ ଟ୍ରାକ୍ଟର ଇଟା ପରିବହନରେ ନିଯୋଜିତ କରାଯାଇଛି । ମାଟି ଇଟାର ଚାହିଦା ଥିବାରୁ ଜିଲ୍ଲାର ଗ୍ରାମାଞ୍ଚଳ ସହ ସହରରେ ଚାଲିଥିବା କୋଠାବାଡ଼ି ନିର୍ମାଣ ପାଇଁ ଆବଶ୍ୟକ ଇଟା ଅଧିକାଂଶ ଇଟା ମାଟି ଇଟାଭାଟିରୁ ଆସୁଛି । ବର୍ଷ ତମାମ୍ ଏଠାରେ ବେଆଇନ ଇଟା ତିଆରି ଚାଲିଛି । ଦିନ ରାତି ଇଟା ତିଆରି ସହ ପାହାଡ଼ ଭଳି ଇଟା ଗଦା କରାଯାଉଛି ।
କେତେକ ଅସାଧୁ କର୍ମଚାରୀ ଓ ଇଟାଈଟି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁ ବେଆଇନ ଇଟାଭାଟି ଉପରେ ରୋକ ଲଗାଇବାରେ ପ୍ରଶାସନ ବିଫଳ ହେଉଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ଏନେଇ ଜିଲ୍ଲାପାଳ ଦୃଷ୍ଟି ଦେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି କ୍ଷ