Odisha News

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପତ୍ନୀ

ବଲାଙ୍ଗୀର,୨୦/୧୨: ମୋ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପତ୍ନୀ ସୁଷମା ମଙ୍ଗଳବାର ଅପରାହ୍ଣରେ ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ମୋ ସ୍ବାମୀ ମାନସିକ ଭାବେ ବହୁତ ଶକ୍ତିଶାଳୀ। ସେ ଆତ୍ମହତ୍ୟା କରିବା ମୁଁ ସହଜରେ ଗ୍ରହଣ କରିପାରୁନାହିଁ। ତାଙ୍କୁ ଯୋଜନା ଅନୁସାରେ ହତ୍ୟା କରାଯାଇଛି।
ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଦାୟୀ। ଜେଲରେ କଡ଼ା ସୁରକ୍ଷା ଭିତରେ ଥାଇ ସେ କିପରି ଆତ୍ମହତ୍ୟା କଲେ ? ଏଥି ପାଇଁ ପୁଲିସ ଦାୟୀ। କିଏ କରିଛି ମୁଁ କହି ପାରିବିନି। ଗତକାଲି ୧୧ ଟାରେ ଘରକୁ ଫୋନ କରି ସବୁ ପଚାରିଥିଲେ। ମୋର ନ୍ୟାୟ ଦରକାର୍। ସେ କେବେ ଆତ୍ମ ହତ୍ୟା କରିନାହାନ୍ତି। ତାଙ୍କୁ ପ୍ଲାନ୍ କରି ହତ୍ୟା କରାଯାଇଛି, ଯେଉଁମାନେ ମୋ ସ୍ବାମୀଙ୍କୁ ରଖିଥିଲେ ସେମାନେ ସୁରକ୍ଷା ଦେଇ ନାହାନ୍ତି। ମୋର ସୁରକ୍ଷା ଦରକାର୍ ବୋଲି ସେ କହିଛନ୍ତି।
ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି। ଏହି ଘଟଣାର ତଦନ୍ତ ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏନେଇ ପୁଲିସ ଡିଜି ନିର୍ଦେଶ ସୁନୀଲ କୁମାର ବଂଶଲ ଦେଇଛନ୍ତି।
ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିବା ପରେ ସମ୍ବଲପୁର ଜେଲ୍ ଡିଆଇଜି ତଦନ୍ତ ପାଇଁ କଣ୍ଟାବାଞ୍ଜି ଯାଇଛନ୍ତି। ଡିଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୩ ଜଣ ଅଧିଗାରୀଙ୍କ ସମେତ ୧୦ ଜଣିଆ ଟିମ୍ ଗଠନ ହୋଇଛି। ସେମାନେ ସିନ୍ଧେକେଲା ପୁଲିସ ଷ୍ଟେସନରେ ଗୋବିନ୍ଦ ସାହୁ ନାଁରେ ହୋଇଥିବା ମାମଲା ୯୭/୨୧ର ତଦନ୍ତ କରିବେ। ଏହି ଟିମ୍କୁ ସିଆଇଡି-କ୍ରାଇମ୍ବ୍ରାଞ୍ଚ ଫରେନ୍ସିକ ଓ ସାଇବର ଏକ୍ସପର୍ଟ ସହଯୋଗ କରିବେ।
ଅନ୍ୟପଟରେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ନିଜ ଆଡୁ ମାମଲା କରି ରାଜ୍ୟ ମାନବାଧିକାର କମିସନ (ଓଏଚ୍ଆରସି) ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଡିଜି ଓ ବଲାଙ୍ଗୀର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts

Seo wordpress plugin by www.seowizard.org.