Odisha News

ଖୋର୍ଦ୍ଧା : ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା, ୧୭/୧: ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ବିଶାଳ ଏକତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ଜୟୀ ରାଜଗୁରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଦେଶପ୍ରେମ ସଙ୍ଗୀତ ବାଦନରେ ପହଞ୍ଚିଥିଲା ।
ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି ଏକତା ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ସବୁଜ ପତାକା ଦେଖାଇ ପଦ ଯାତ୍ରାର ଶୁଭାରମ୍ଭ କରିଥିଲେ ।
ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉନ୍ନୟନ ଅଧିକାରୀ, ଶ୍ରୀମତୀ କ୍ଷୀରାଦ୍ୱୀ ତନୟା ସାହୁ, ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ,ବି ଜେ ବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିଭୁ ପ୍ରସାଦ ସେନାପତି , ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡ଼ାବିତ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପଦଯାତ୍ରାରେ ଯୋଗଦେଇ ଆନନ୍ଦ ଉଲ୍ଲାସ ସହକାରେ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲେ ।
ଟାଉନ୍ ହଲ୍ ଠାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ଯୁବକ ଯୁବତୀ ମାନଙ୍କୁ ଏକତା ମନ୍ତ୍ରରେ ଅଭିମନ୍ତ୍ରିତ କରି ସର୍ଦ୍ଧାର ଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ଉପଲକ୍ଷେ ଯୁବ ଉତ୍ସବ ଆୟୋଜିତ କରାଯାଇଥିଲା ।
ଉକ୍ତ ସମାରୋହକୁ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରି ନିଜ ଅଭିଭାଷଣରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଜଣେ ମହାନ ରାଷ୍ଟ୍ର ନାୟକ ଥିଲେ, ଭାରତର ବିଖଣ୍ଡିତ ଭୁଖଣ୍ଡକୁ ଏକତ୍ରିତ କରି ଅଖଣ୍ଡ ଭାରତ ନିର୍ମାଣରେ ସେ ଯେଉଁ ନିଃସ୍ଵାର୍ଥପର ତ୍ୟାଗ ତାହା ତାଙ୍କୁ ଚୀର ସ୍ମରଣୀୟ କରି ରଖିବ ବୋଲି ପ୍ରକାଶ କରିଥିଲେ ।
ସମାରୋହ କୁ ସମ୍ବୋଧିତ କରି ଶ୍ରୀ ବେଉରା ନିଜ ଅଭଭାଷଣରେ ଆହୁରି କହିଲେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଶ୍ରୀରାମଚନ୍ଦ୍ର, ସ୍ଵାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଭଳି ଜଣେ ମହାନ୍ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ।
ଛାତ୍ରଛାତ୍ରୀ ମାନେ ସର୍ଦ୍ଧାର ପଟେଲଙ୍କ ଜୀବନୀ ପଢ଼ି ରାଷ୍ଟ୍ରୀୟ ଏକତା ଅଖଣ୍ଡତା ବଜାୟ ରଖିବା ସହ ନିଜ ମଧ୍ୟରେ ଥିବା ପ୍ରଚଣ୍ଡ ସମ୍ବଳ ଶକ୍ତିକୁ ଜାଗ୍ରତ କରି ଶ୍ରୁଖଳିତ ଭାବେ ବ୍ୟକ୍ତିତ୍ୱର ବିକାଶ ଘଟାଇ ଜଣେ ଜଣେ ଭାସ୍କୋଡା ଗାମା ଭଳି ବୈଜ୍ଞାନିକ ହେବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅନୁଯାୟୀ ରାଷ୍ଟ୍ର, ରାଜ୍ୟ, ଜିଲ୍ଲା, ସମାଜ, ନିଜ ପରିବାର ଓ ନିଜର ଭବିଷ୍ୟତ ଗଠନ କରି ବିଶ୍ଵରେ ଏକ ଭାରତ, ଆତ୍ମନିର୍ଭର ଭାରତ ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣର ଭିଜନ କୁ ସାକାର କରିବା କୁ ଆହ୍ଵାନ ଦେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଙ୍କ ପୋରହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ମନୋବିଜ୍ଞାନୀ ଶ୍ରୀମତୀ ଶ୍ୱେତା ଅଗ୍ରୱାଲା ଯୋଗଦେଇଥିବା ବେଳେ ଡେପୁଟି କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର ଏକତା ପଦଯାତ୍ରା ର ଉଦେଶ୍ୟ ଆଭିମୁଖ୍ୟ ଉତ୍ଥାପନ କରି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ କ୍ଷ ପରେ ବିଭିନ୍ନ ପ୍ରକାର ଖେଳ ପଦର୍ଶନ କରାଯାଇଥିଲା।

Related Posts