Odisha News

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୬ : କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ଠିକାଦାର, ବ୍ୟବସାୟୀ ତଥା ବାଲିଗୁଡା ସ୍ଥିତ ପାଟଖଣ୍ଡା ଫୁଏଲସ ର ପ୍ରତିଷ୍ଠାତା ସିମାଞ୍ଚଳ ଆଚାର୍ଯ୍ୟ (୭୦) ଙ୍କ ବୁଧବାର ସକାଳେ ବାଲିଗୁଡା ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି ।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଏକା ଧାରରେ ଜଣେ ମେଳାପୀ, ପରୋପକାରୀ, ବନ୍ଧୁ ବସ୍ଥଳ,ତଥା ବିଚକ୍ଷଣ ରାଜନୀତିଜ୍ଞ ଭାବେ ବେଶ ଜଣାଶୁଣା ଥିବା ସହ ତାଙ୍କ ରାଜନୀତି କ୍ୟାରିଅର ଆରମ୍ଭ ରୁ ଶେଷ ପର‌୍ୟ୍ୟନ୍ତ ସେ କଂଗ୍ରେସ ଦଳ ରେ ନିଷ୍ଠାପର ଭାବେ କାର୍ଯ୍ୟ କରି ରାଜ୍ୟ ତଥା ଜିଲ୍ଲା ସ୍ତରରେ ବିଭିନ୍ନ ପଦ ପଦବୀ ରେ ରହି ଆସିଥିଲେ ।
ତାଙ୍କ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନେ ଗଭୀର ମର୍ମାହତ ହୋଇଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ,ବୋହୂ, ନାତି, ନାତୁଣୀ ସମେତ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ମୃତ୍ୟୁ ଖବର ପାଇ ବନ୍ଧୁ ପରିଜନ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସ୍ବର୍ଗତ ଆଚାର୍ଯ୍ୟଙ୍କ ମର ଶରୀର କୁ ନିଜ ବାସଭବନ ଠାରୁ ଏକ ବିରାଟ ପଟୁଆର ରେ ସମଗ୍ର ସହର ପରିକ୍ରମା କରିବା ସମୟରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟଳୟ ସମ୍ମୁଖରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ ।
ପରିବାର ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ଠାରେ ବଡ଼ ପୁଅ ମାନସ ରଞ୍ଜନ ଆଚାର୍ଯ୍ୟ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଥିଲେ ।
ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକର ମୃତ୍ୟୁ
ବାଲିଗୁଡା, ୧୧/୬ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଧବାର ଦିନ ଗୋଟିଏ ଚଳନ୍ତା ଟ୍ରାକ୍ଟର ରୁ ଖସି ପଡ଼ି ଜଣେ ନାବାଳକ ର ମୃତ୍ୟୁ ଘଟଣା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ମୃତ ନାବାଳକ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ଜୁଙ୍ଗିଆ ପଞ୍ଚାୟତ ର ପଦାସାହି ନିବାସୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ପୁଅ ଗ୍ରେସ କୁମାର୍ ମଲ୍ଲିକ (୧୫) ।
ସୂଚନା ଅନୁଯାୟୀ ଗ୍ରେସ ଋତୁଙ୍ଗିଆ ହାଇସ୍କୁଲ ରେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ ।
ଖରାଛୁଟି କଟାଇବା ପାଇଁ ଘରକୁ ଆସିଥିଲେ । ବୁଧବାର ଦିନ ବଡିଭୋର୍ ରୁ ବାପା ବିଲରେ ହଳ କରିବାକୁ ଯାଇ ଥିଲେ । ସକାଳୁ ନିଜ ନିତ୍ୟ କର୍ମ ସାରି ଗ୍ରେସ୍ ଗାଁ ମୁଣ୍ଡ ରେ ବୁଲାବୁଲି କରୁଥିବା ବେଳେ ତାଜୁଙ୍ଗିଆ ରୁ ଏକ ଟ୍ରାକ୍ଟର ମହାଗୁଡ଼ି ଅଭିମୁଖେ ଯାଉଥିବା ଦେଖି ସେହି ଟ୍ରାକ୍ଟର ରେ ଚଢ଼ି ଯାଇଥିଲେ ।
ହେଲେ କିଛି ବାଟ ଆସିବା ପରେ ମହାଗୁଡ଼ି ପହଞ୍ଚିବା ପୂର୍ବରୁ ଟୁଙ୍ଗୁଡ଼ୁମହା ସାହି ନିକଟ ରେ ଥିବା ହମ୍ପସ ରେ ଗାଡ଼ି ବ୍ରେକ ମାରିବାରୁ ସେ ଟ୍ରାକ୍ଟର ରୁ ଛିଟିକି ପଡ଼ି ଯାଇ ଥିଲେ ।
ଗୁରୁତର ଅବସ୍ଥାରେ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଏସଆଇ ଭୋଳାନାଥ ପଣ୍ଡା ମେଡିକାଲ ରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।
ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ
ବାଲିଗୁଡ଼ା, ୧୧/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ୫ ଡକାୟତ ଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ ।
ବାଲିଗୁଡ଼ା-ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ହୋଇଥିଲା ଡ଼କାୟତି । ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ । ଦୁର୍ବୃତ୍ତ ଚୋରି ସାମଗ୍ରୀ ଉଦ୍ଧାର ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ୩ଟି ବାଇକ୍,୪ଟି ମୋବାଇଲ୍ ଫୋନ୍ ସମେତ ୨୦ ହଜାର ଟଙ୍କା ଜବତ ହୋଇଛି ।
ସୂଚନା ଅନୁଯାୟୀ ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ଟା ସମୟରେ ଅଜୟ କୁମାର ନାମକ ଜଣେ ବ୍ୟକ୍ତି ନିଜ ମୋଟରସାଇକେଲ ଯୋଗେ ବାରଖମାରୁ ବାହାରି ବଲାଙ୍ଗୀର ଯାଉଥିଲେ ।
ଯିବା ବାଟରେ ଡାବୁଡାକା ଘାଟିରେ ଦୁଇଟି ମୋଟରସାଇକେଲରେ ୫ଜଣ ଦୁର୍ବୃତ୍ତ ହଠାତ୍ ଆସି ଅଜୟ ଙ୍କୁ ଅଟକାଇ ମାଡ଼ ମାରିବା ସହ ସେ ଧରିଥିବା ନଗଦ ୨୦ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ ତାଙ୍କ Hero HF Deluxe ମୋଟରସାଇକେଲ ଛଡ଼ାଇ ନେଇଯାଇଥିଲେ । ଅଜୟ କୁମାର ସେଠାରୁ ଫେରି ବାରଖମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ।
କେଶ ନଂ.୧୪୪/୨୬ ର ଅଭିଯୋଗ ପ୍ରକାରେ ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ତ୍ୱରିତ ପଦକ୍ଷେପ ନେବା ସହ ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳର ଅଜିତ୍ ସାହୁ ଓ ଆଶିଷ ପଟେଲ, ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳର ରାଜନାଥ ଅମାତ୍, ସୁବର୍ଣ୍ଣପୁର ଜିଲ୍ଲା ଏସ.ରାମପୁର ଥାନା ଅଞ୍ଚଳର ରିତିକ୍ ଖମାରୀ ଓ ଶିବ ପଟେଲ୍ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Related Posts