ଆଜି ହେଉଛି ବିଶ୍ୱ ପଖାଳ ଦିବସ
ଭୁବନେଶ୍ୱର, ୨୦/୩ : ଆଜି ହେଉଛି ବିଶ୍ୱ ପଖାଳ ଦିବସ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସଭାବେ ପାଳନ କରାଯାଏ । କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ପଖାଳ । ପ୍ରତିଦିନ ମହାପ୍ରଭୁଙ୍କ ନିକଟରେ ଲାଗି ହୁଏ ପଖାଳ । ଏହା ଛପନ ଭୋଗ ମଧ୍ୟରୁ ଗୋଟିଏ । କେବଳ ପ୍ରଭୁ ଜଗନ୍ନାଥ ନୁହଁନ୍ତି ପ୍ରତ୍ୟେକ ଓଡ଼ିଆ ପଖାଳ ପ୍ରିୟ । ଖାଲି ସେତିକି ନୁହେଁ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଅର୍ପଣ କରାଯାଏ । ଡହ ଡହ ଖରାରେ ଆସି ପଖାଳ ଟିକେ ଖାଇ ଦେଲେ ଆତ୍ମା ତୃପ୍ତ ହୋଇଯାଏ ।
ତେବେ ଆଜିର ଦିନରେ ଗାଁ ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱରର ବଡ଼ ବଡ଼ ରେସ୍ତୋରାଁରେ ପଖାଳ ପାଇଁ ସ୍ୱତନ୍ତ୍ର ପସରା ଖୋଲା ଯାଇଛି । ପଖାଳ ସାଙ୍ଗକୁ ଭଜା, ଆଳୁ ଭର୍ତ୍ତା,ବାଇଗଣ ଭର୍ତ୍ତା, ସାଗ ଭଜା, ମାଛ ଭଜା ଓ ବଡ଼ି ଚୁରା ପଖାଳ କଂସାର ମହତ୍ତ୍ୱକୁ ଆହୁରି ଦ୍ୱିଗୁଣିତ କରିଦିଏ ।
ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ଭାତକୁ ଭଲ ଭାବେ ଥଣ୍ଡା କରି ସେଥିରେ ପାଣି ଦେଇ ରାତିସାରା ରଖି ତା ପରଦିନ ଖିଆଯାଏ । କେହି କେହି ଏହାକୁ ସେହି ଦିନ ଖାଇ ଥାଆନ୍ତି ଯାହାକୁ ସଜ ପଖାଳ କୁହାଯାଏ । କେହି କେହି ତୁରନ୍ତ ଗରମ ଭାତକୁ ଧୋଇ ସେଥିରେ ଥଣ୍ଡା ପାଣି ଦେଇ ଖାଇଥାଆନ୍ତି । ଏହା ପଖାଳରେ ଦହି, ଲେମ୍ବୁ, ଆମ୍ବ କଷି ଅଦା ଆଦି ଖାଇ ଥାଆନ୍ତି । ଯାହାକି ପଖାଳର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ସେଥିପାଇଁ ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ପଖାଳରେ ପ୍ରୋବାଇଓଟିକ୍ ଗୁଣ ରହିଛି । ଯାହା ଶରୀରରେ ଗୁଡ଼୍ ବ୍ୟାକ୍ଟେରିଆ ବା ଭଲ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ ।
ତେବେ ଓଡ଼ିଶାରେ କେବଳ ପଖାଳ ଖିଆଯାଏ ନାହିଁ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମରେ ମଧ୍ୟ ପଖାଳ ଖିଆଯାଏ, କିନ୍ତୁ ଏହାର ଭିନ୍ନ ନାମ ରହିଛି । । ଆସାମରେ ଏହାକୁ \”ପୋଇତା ଭାତ\”, ପଶ୍ଚିମ ବଙ୍ଗରେ \”ପାନ୍ତା ଭାତ\”, ଝାଡ଼ଖଣ୍ଡ ଓ ବିହାରରେ \”ମାରା ଭାତ\” ଓ ଛତିଶଗଡ଼ରେ ପଖାଳ ବା \”ବୋରେ ଭାତ\” କହନ୍ତି । ଏମିତିକି ଦକ୍ଷିଣ ଭାରତରେ ମଧ୍ୟ ପଖାଳ ଭାତ ଖିଆଯିବାର ଦେଖାଯାଏ ।




