Odisha News

ଗଜପତି: ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ଗଜପତି ଜିଲ୍ଲା ଶାଖା ବୈଠକ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୫: ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ସାଇଲାମ କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷ ଠାରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଏକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା-ଶାଖା ସମ୍ମିଳନୀର ସଭାପତି ଡଃ ସିଦ୍ଧେଶ୍ୱର ମିଶ୍ର ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଅଭିବୃଦ୍ଧି ପାଇଁ ଅଧିକରୁ ଅଧିକ ସାହିତ୍ୟ କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ଉପରେ କହିଥିଲେ ।
କାର୍ଯ୍ୟକ୍ରମରେ ସମ୍ମିଳନୀର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀଙ୍କ ସମେତ ପଣ୍ଡିତ ନରସିଂହ ଗୌଡ଼ ଏବଂ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସିନ ରହି ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟର ସ୍ଥିତି ଓ ଭାଷା ବଞ୍ଚିଲେ ଜାତି ବଞ୍ଚିବ ବୋଲି କହିବା ସହ ଓଡ଼ିଆ ଭାଷା ସାହିତ୍ୟର ସୁଦୃଢତା ଓ ତାର ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ତାର ବହୁଳ ବ୍ୟବହାର ଦିଗରେ ପ୍ରାଧାନ୍ୟତା ଦେବା ଉପରେ ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠିତ ଏହି ବୈଠକ କାର୍ଯ୍ୟକ୍ରମରେ ଶ୍ରୀ ସଚ୍ଚିଦାନନ୍ଦ ସାମଲ , ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ଶ୍ରୀ ହର ପ୍ରସାଦ ସୁଆର ,ଶ୍ରୀ ମୂରଲୀ ପରିଚ୍ଛା ଓ ଶ୍ରୀମତୀ ସବିତା ପଣ୍ଡିତ ପ୍ରମୁଖ ଯୋଗ ଦେଇ ନିଜ ମାତୃଭାଷା ଓ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଆମ ଛୋଟ ପିଲା ମାନଙ୍କୁ ଉତ୍ତମ ସଂସ୍କାର ଦେବା ସହ ଓଡ଼ିଆ ଭାଷା ସାହିତ୍ୟର ଗତାନୁଗତିକ ଶ୍ରୀବୃଦ୍ଧି ଦିଗରେ ଆଚରଣ ଓ ଉଚ୍ଚାରଣ ପାଇଁ ଆମର ମାନସିକତା ପରିବର୍ତ୍ତନର ଆବଶ୍ୟକତା ଜରୁରୀ ବୋଲି କହିଥିଲେ ।
ବୈଠକ ଆଲୋଚନା ବେଳେ ଓଡ଼ିଆ ଭାଷା ଓ ସାହିତ୍ୟର କଳେବର ଶ୍ରୀବୃଦ୍ଧି ପାଇଁ ପ୍ରତି ମାସର ଶେଷ ରବିବାର ଦିନ ବୈଠକ ରଖି ସାହିତ୍ୟ ଆଲୋଚନା ଓ କବିତା ପାଠ ପ୍ରଭୃତି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା ।
ଏଥି ସମେତ ଆଗାମୀ ମେ ୨୫ ତାରିଖ ଦିନ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି\’ଙ୍କ ୫୦ ତମ ଶ୍ରାଦ୍ଧବାର୍ଷିକୀ ପାଳନ ସକାଶେ ଉପସ୍ଥିତ ସମସ୍ତେ ମତ ଦେଇଥିଲେ ।
ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲାଶାଖା ସମ୍ମିଳନୀର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ସଂଯୋଜନା କରିଥିବା ବେଳେ ଶେଷରେ ଶ୍ରୀ ଗୌରାଙ୍ଗ ଗୌଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନିମନ୍ତ୍ରିତ ଅତିଥି ସମ୍ମିଳନୀର ରାଜ୍ୟ ସଭାପତି କବି ଶ୍ରୀ ପ୍ରଶାନ୍ତ ମିଶ୍ର ଅସୁସ୍ଥତା ଯୋଗୁଁ ବୈଠକରେ ଯୋଗ ଦେଇ ନ ପାରି ଏ ଦିଗରେ ନିଜର ଶୁଭେତ୍ସା ବାର୍ତ୍ତା ପଠାଇ ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶାଖା ସମ୍ମିଳନୀର ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା , ମିନା ଓ କବିତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.