Odisha News

ବାଙ୍ଗାଲୋର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଅଚ୍ୟୁତ ସାମନ୍ତ

ଗତ ୧୪ ତାରିଖରେ ବାଙ୍ଗାଲୋରଠାରେ ଗ୍ୟାସ ସିଲିଣ୍ଡର ଫାଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।  ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ସୋସିଆଲ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗ କରି ସେମାନଙ୍କ ମୃତ ଶରୀରକୁ ବାଙ୍ଗାଲୋରରୁ ଆମ୍ବୁଲାନସ ଯୋଗେ ସେମାନଙ୍କ ଗ୍ରାମକୁ ଆଣିବା ବ୍ୟବସ୍ଥା କରାଇଥିଲେ।  ଏଥିପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବାଙ୍ଗାଲୋର ପ୍ରଶାସନକୁ ଶ୍ରୀ ସାମନ୍ତ ସାଧୁବାଦ ଜଣାଇଛନ୍ତି।  ପରେ ବିଧି ଅନୁସାରେ ସେମାନଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା।  ଏହି ଦୁର୍ଘଟଣାରେ ଜିଲ୍ଲାର ଦାରିଙ୍ଗିବାଡି ବ୍ଲକ ଗାହକିଆ ଗ୍ରାମର ବାରଣୀ ପ୍ରଧାନ, ମମତା ପ୍ରଧାନ ଓ କୋଟଗଡ ବ୍ଲକ ଶ୍ରୀରାମପୁର ଗ୍ରାମର ଉଦାମ ସୁନାମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦାରିଙ୍ଗିବାଡି ବ୍ଲକ ଗାହକିଆ ଗ୍ରାମର ଅଞ୍ଜଳି ପ୍ରଧାନ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।  ଏହି ଘଟଣାରେ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ଶ୍ରୀ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ କିସ ଫାଉଣ୍ଡେସନ ପକ୍ଷରୁ ସେମାନଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମୃତକଙ୍କ ପରିବାରକୁ ଚିଠି ଲେଖି ଜଣାଇଛନ୍ତି।  ଏହା ସହ ସେମାନଙ୍କ ପରିବାରର କେହି ପିଲା କିଟ୍ ଓ କିସ୍ ରେ ପାଠ ପଢିବା ପାଇଁ ଇଚ୍ଛୁକ ଥିଲେ ବିନା ଦେୟରେ ସେମାନଙ୍କ ଯୋଗ୍ୟତା ଅନୁସାରେ ପାଠ ପଢି ପାରିବେ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି।  ଶ୍ରୀ ସାମନ୍ତଙ୍କ ସହାୟତା ପାଇଁ ମୃତକଙ୍କ ପରିବାର ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.