Odisha News

ଆସନ୍ତା ଦୁଇଦିନ ବର୍ଷା ବଢ଼ିବ, ୨୪ରୁ ବର୍ଷା ପରିମାଣ ପୁଣି କମିବ

ଭୁବନେଶ୍ୱର ୨୨।୭ : ରାଜ୍ୟରେ ଆସନ୍ତା ଦୁଇଦିନ ବର୍ଷା ବଢ଼ିବ । ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ୨୪ରୁ ବର୍ଷା ପରିମାଣ ପୁଣି କମିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶାରେ ଚଳିତବର୍ଷ ମୌସୁମୀ ପ୍ରବାହ ଧିମା ରହିଛି । ଜୁଲାଇରେ ବର୍ଷା ବିଶେଷ ଭାବେ ହ୍ରାସ ପାଇଛି । ଜୁନ୍ ପହିଲାରୁ ଏଯାବତ୍ ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୭% କମ୍ ବର୍ଷା ରେକର୍ଡ ହୋଇଛି । ବିଶେଷକରି ଉପକୂଳ ଓଡ଼ିଶାରେ ବର୍ଷା ସବୁଠୁ କମ୍ ରହିଛି । ପୁରୀରେ ସ୍ୱାଭାବିକଠାରୁ ୪୯% କମ୍ ବର୍ଷା ହୋଇଥିବାବେଳେ ଖୋର୍ଦ୍ଧାରେ ସ୍ୱାଭାବିକ ତୁଳନାରେ ୪୨% କମ୍ ବର୍ଷିଛି ମୌସୁମୀ ।
ସେହିପରି କଟକରେ ୩୮%, ଯାଜପୁରରେ ୩୭%, କେନ୍ଦ୍ରାପଡ଼ାରେ ୩୬%, ବାଲେଶ୍ୱରରେ ୩୧%, ଭଦ୍ରକରେ ୨୨% ଓ ସୋନପୁରରେ ୨୪% କମ୍ ବର୍ଷା ହୋଇଛି ।
୩ଟି ଜିଲ୍ଲାରେ ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହୋଇଥିବାବେଳେ ବାକି ୨୦ଟି ଜିଲ୍ଲାରେ ବର୍ଷା ପରିମାଣ ଏବେ ସ୍ୱାଭାବିକ ଅଛି । ଆଉ କିଛି ଦିନ ବର୍ଷା ନହେଲେ ଅନେକ ଜିଲ୍ଲାରେ ବର୍ଷା ଅଭାବ ସ୍ଥିତି ଉପୁଜିବ । ପାଣିପାଗ ବିଭାଗ କହିଛି, ବୁଧବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼, ସମ୍ବଲପୁର, ସୋନପୁରରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁରୁବାର ରାଜ୍ୟର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଅପରପକ୍ଷରେ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଏବେ ବଡ଼ ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ । ଏବେ ଅଳ୍ପ ଅଳ୍ପ ବର୍ଷା ହେବ । ଯେତିକି ବର୍ଷା ହେବ, ସେଥିରେ ଉପକୂଳ ଓଡ଼ିଶାର ନିଅଣ୍ଟିଆ ସ୍ଥିତି ଭରଣା ହେବନି ।

-Sambad

Related Posts

Seo wordpress plugin by www.seowizard.org.