Odisha News

ବୌଦ୍ଧରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୧୧ :
ବୌଦ୍ଧ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା (MOPSM-୨୦୨୬) ସ୍ଥାନୀୟ କଚେରୀ ପଡ଼ିଆଠାରେ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦିଲୀପ କୁମାର କବିରାଜ, ବଲାଙ୍ଗୀରର ମତ୍ସ୍ୟ ଉପନିର୍ଦ୍ଦେଶକ ଜୟଶ୍ରୀ ରାଉତରାୟ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିସା ବେହେରା ଏବଂ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତପନ କୁମାର ଦ୍ୱିବେଦୀ ପ୍ରମୁଖ ଯୋଗଦେଇଥିଲେ।
ପ୍ରାରମ୍ଭରେ ଡାକ୍ତର କବିରାଜ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା, ସବସିଡି ଏବଂ ଆର୍ଥିକ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ।
ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଓଡ଼ିଶାରେ ୭୦ ପ୍ରତିଶତ ହିତାଧିକାରୀ ପ୍ରାଣୀସମ୍ପଦ ବିଭାଗ ମାଧ୍ୟମରେ ସହାୟତା ପାଇଛନ୍ତି।
ବୌଦ୍ଧ ଜିଲ୍ଲା ଧୀରେ ଧୀରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଗ୍ରସର ହେଉଛି। ବର୍ତ୍ତମାନ ଜିଲ୍ଲାରୁ ପ୍ରତିଦିନ ଓମଫେଡ୍ ମାଧ୍ୟମରେ ପ୍ରାୟ ୯,୫୦୦ ଲିଟର ଏବଂ ଅନ୍ୟାନ୍ୟ କମ୍ପାନୀ ମାଧ୍ୟମରେ ମୋଟ ୨୦,୦୦୦ ଲିଟର କ୍ଷୀର ବିପଣନ ଓ ଯୋଗାଣ ହେଉଛି।
ଏହି ଅବସରରେ ଜିଲ୍ଲାପାଳ ଚାଷୀ ଓ ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଜିଲ୍ଲାର ଯୁବକମାନେ ଅନ୍ୟ ରାଜ୍ୟକୁ ଚାକିରି ଖୋଜିବା ପାଇଁ ଯିବା ପରିବର୍ତ୍ତେ ନିଜ ଅଞ୍ଚଳରେ କୃଷି, ମତ୍ସ୍ୟଚାଷ ଓ ପଶୁପାଳନକୁ ଆଧାର କରି ଉଦ୍ୟୋଗୀ ହେବାକୁ ଆଗେଇ ଆସନ୍ତୁ। ନିଜେ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ସୁଯୋଗ ଯୋଗାଇ ଦିଅନ୍ତୁ।
ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଉପଲବ୍ଧ ସବସିଡି ଓ ଆର୍ଥିକ ସହାୟତାର ସୁଯୋଗ ନେଇ ଯୁବପିଢ଼ି ଆତ୍ମନିର୍ଭରଶୀଳ ହେବା ସହିତ ବୌଦ୍ଧ ଜିଲ୍ଲାର ଆର୍ଥିକ ଓ ସାମାଜିକ ବିକାଶରେ ଭାଗୀଦାର ହୁଅନ୍ତୁ।
ଏ ଦିଗରେ ଜନପ୍ରତିନିଧି ଓ ସାମ୍ବାଦିକମାନେ ଯୁବକମାନଙ୍କୁ ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହିତ ଚାଷୀମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ସମସ୍ତ ଅଧିକାରୀ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦାସ ନିଜ ବକ୍ତବ୍ୟରେ କହିଥିଲେ ଯେ ଚାଷୀମାନେ ଗ୍ରାମୀଣ ଅର୍ଥନୀତିର ମୁଖ୍ୟ ଆଧାର। ସରକାର ଓ ପ୍ରଶାସନ ଚାଷୀମାନଙ୍କ ସମସ୍ୟା ଓ ଅସୁବିଧାକୁ ଗୁରୁତ୍ୱର ସହ ବୁଝିବା ସହିତ ସେମାନଙ୍କୁ ସମସ୍ତ ସୁବିଧା ଓ ସହଯୋଗ ଯୋଗାଇଦେବା ଆବଶ୍ୟକ।
ଚାଷୀମାନେ ଯେପରି କୌଣସି କ୍ଷେତ୍ରରେ ହଇରାଣ ନ ହୁଅନ୍ତି, ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ। ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେଲେ ଗ୍ରାମୀଣ ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ।
ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯିବା ସହ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଓ ସବସିଡି ପ୍ରଦାନ କରାଯାଇଥିଲା।
ମତ୍ସ୍ୟ ବିଭାଗ ପକ୍ଷରୁ ବୌଦ୍ଧ ବ୍ଲକର ଝଣ୍ଟୁ ଛୁଟିଙ୍କୁ ବାୟୋଫ୍ଲକ୍ ମାଛଚାଷ ପାଇଁ ୩,୫୩,୬୪୦ ଟଙ୍କା ଏବଂ ହରଭଙ୍ଗା ବ୍ଲକର ବଶିଷ୍ଠ ବାରିକଙ୍କୁ ଜୀବନ୍ତ ମାଛ ପରିବହନ ଯାନ ପାଇଁ ୪,୦୦,୦୦୦ ଟଙ୍କାର ସବସିଡି ଚେକ୍ ପ୍ରଦାନ କରାଯାଇଥିଲା।
ବୌଦ୍ଧ ବ୍ଲକର ଲକ୍ଷ୍ମଣ ମଲ୍ଲିକଙ୍କୁ ମାଛଧରା ଜାଲ ଏବଂ ହରଭଙ୍ଗା ବ୍ଲକର ଅନିତା ମହାକୁଡ଼ଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ବାୟୋଫ୍ଲକ୍ ମାଛଚାଷ ପାଇଁ ଗୋ-ଏହେଡ୍ ଅନୁମୋଦନ ପତ୍ର ପ୍ରଦାନ କରାଯାଇଥିଲା।
ବୌଦ୍ଧ ବ୍ଲକର ଉଦ୍ୟୋଗୀ ମାଛ ଚାଷୀ ରଘୁନାଥ ତ୍ରିପାଠୀଙ୍କୁ ୫,୦୦୦ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମଇଁଷି ଉଦ୍ୟୋଗୀ ବିକାଶ ଯୋଜନାରେ ୪ ଜଣ ହିତାଧିକାରୀଙ୍କୁ ଗୋ-ଏହେଡ୍ ଅନୁମୋଦନ ପତ୍ର ପ୍ରଦାନ କରାଯାଇଥିଲା।
କଣ୍ଟାମାଳ ବ୍ଲକ ତାଳପଡ଼ାର ଶ୍ରୀମତୀ ବେବି ମେହେରଙ୍କୁ ଉଦ୍ୟୋଗୀ କୁକୁଡ଼ା ଚାଷୀ ଭାବେ ସମ୍ମାନିତ କରିବା ସହ ୫,୦୦୦ ଟଙ୍କାର ନଗଦ ପୁରସ୍କାର ଦିଆଯାଇଥିଲା। ହରଭଙ୍ଗା ବ୍ଲକ ଦନ୍ତାପାଲି ଗ୍ରାମର ମା\’ ମାହେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଗୋଶାଳା ସହାୟତା ଯୋଜନାରେ ୩,୧୭,୦୦୦ ଟଙ୍କା ଏବଂ କଣ୍ଟାମାଳ ବ୍ଲକ ବାଉଳପୁରର ସୁଚିତ୍ରା କ୍ଷେତୀଙ୍କୁ ୩୨ ଗୋଟେରୀ ଯୋଜନାରେ ୯୫,୪୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।
ମେଳା ପରିସରରେ ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଅନ୍ୟାନ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ଓ କାର‌୍ୟ୍ୟକ୍ରମ ସମ୍ପର୍କିତ ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯାଇଥିଲା। ଏଥିସହିତ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ସମ୍ପଦର ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୫୦୦ ଜଣ ଚାଷୀ ଏହି ମେଳାରେ ଯୋଗଦେଇ ଷ୍ଟଲ୍ ପରିଦର୍ଶନ କରିବା ସହ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ। ମତ୍ସ୍ୟଚାଷ ଓ ପଶୁପାଳନର ଆଧୁନିକ ପଦ୍ଧତି, ନୂତନ ଜ୍ଞାନକୌଶଳ ଏବଂ ବିଭିନ୍ନ ସରକାରୀ ଯୋଜନାର ସୁଯୋଗ ସମ୍ପର୍କରେ ସେମାନେ ଉପଯୋଗୀ ପରାମର୍ଶ ଗ୍ରହଣ କରିଥିଲେ।
ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିସା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମେଳାର ସଫଳ ଆୟୋଜନରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ। ମତ୍ସ୍ୟଚାଷ, ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ କ୍ଷେତ୍ରରେ ଆଗ୍ରହୀ ଯୁବକ, ମହିଳା ଓ ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନା, ସବସିଡି ଓ ବୈଷୟିକ ସହାୟତାର ସୁଯୋଗ ନେଇ ନିଜକୁ ସ୍ୱାବଲମ୍ବୀ କରିବା ସହ ଜିଲ୍ଲାର ଅର୍ଥନୈତିକ ବିକାଶରେ ସହଭାଗୀ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।

Related Posts