ଅଙ୍ଗନବାଡ଼ି କର୍ମୀଙ୍କ କଥା ଶୁଣିଲେ ସରକାର; ଏଣିକି ଦରମା ମିଳିବ ଏତିକି ଟଙ୍କା
ଭୁବନେଶ୍ବର, ୨୭/୧୧: ସରକାରୀ ମାନ୍ୟତା ଦାବି, ଦରମା ବୃଦ୍ଧି ଭଳି ୭ ଦଫା ଦାବି ନେଇ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଥିବା ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କୁ ଆଶ୍ବସ୍ତି। ସରକାର ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି।
ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭା ପରିସରରେ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅଙ୍ଗନବାଡ଼ି କର୍ମଚାରୀଙ୍କ ମାସିକ ଦରମା ୧୦ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୫ ହଜାରରୁ ୬ ହଜାର ଟଙ୍କାକୁ ବୃଦ୍ଧି ହୋଇଛି ।
ଖାଲି ସେତିକି ନୁହେଁ, ମୃତ୍ୟୁକାଳୀନ ଅନୁକମ୍ପାମୂଳକ ରାଶି ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ସହ ଅଙ୍ଗନବାଡ଼ି କର୍ମୀ ଅବସରକାଳୀନ ଆର୍ଥିକ ସହାୟତା ରାଶି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ସେହିଭଳି ଏହାକୁ ସହାୟିକାମାନଙ୍କ ପାଇଁ ୫୦ ହଜାର ଟଙ୍କାରୁ ୧ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି।
ତେବେ ଏହି ସରକାରଙ୍କ ଘୋଷଣା ପରେ ଆନ୍ଦୋଳରୁ ଉଠିଛନ୍ତି ଅଙ୍ଗନବାଡ଼ି କର୍ମୀ। ପ୍ରାୟ ୪ ଦିନ ଖୋଲା ଆକାଶ ତଳେ ଶୀତ କାକରରେ ପଡ଼ି ଆନ୍ଦୋଳନ କରିଥିଲେ କର୍ମୀ ।
ସେମାନଙ୍କ ମୁଖ୍ୟ ଦାବି ମଧ୍ୟରେ ଥିଲା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମାସିକ ୩୦ ହଜାର ଓ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦରମା । ସରକାରୀ ମାନ୍ୟତା ଦାବ, ଅବସରକାଳୀନ ଭତ୍ତା ଓ ମୃତ୍ୟୁକାଳୀନ ସହାୟତା ସମେତ ୭ ଦଫା ଦାବି ।




