Odisha News

୧୨ ବର୍ଷ ହେଲା ଖୋଲିନି ମଲ୍ଲୀପୁର ପ୍ରାଣୀ ସହାୟକ ଚିକିତ୍ସା କେନ୍ଦ୍ର; ଉଦ୍‌ଘାଟନ ପରେ ଖତ ଖାଉଛି ସରକାରୀ କୋଠା

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୪/୧୧ : ଗୋଟିଏ ପଟେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପ୍ରାଣୀ ସମ୍ପଦର ବିକାଶ, ପଶୁପାଳକଙ୍କ ଆର୍ଥିକ ସମୃଦ୍ଧି ଏବଂ ଗୋପାଳନ ଓ ପଶୁପାଳନକୁ ପ୍ରୋତ୍ସାହନ ଦେବା ଲାଗି ବିଭିନ୍ନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
ଅନ୍ୟପଟେ ଖୋରଧା ଜିଲ୍ଲାରେ ଏକ ସରକାରୀ ପ୍ରାଣୀ ସହାୟକ ଚିକିତ୍ସା କେନ୍ଦ୍ର ଉଦଘାଟନ ହେବାର ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ନହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିବା ଘଟଣା ପ୍ରାଣୀ ସମ୍ପଦ ବିଭାଗର କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ତତ୍ପରତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି।
ଖୋରଧା ପଞ୍ଚାୟତ ସମିତି ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୬ କିଲୋମିଟର ଦୂର ମଲ୍ଲିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିଆଳ ଖେଳ ପଡ଼ିଆ ନିକଟ ରାସ୍ତାକଡ଼ରେ ଏହି କେନ୍ଦ୍ରଟି ନିର୍ମାଣ କରାଯାଇଛି। ୨୦୧୪ ମସିହା ରେ ତତ୍କାଳୀନ ଜଟଣୀ ଏବଂ ଖୋରଧା ବିଧାୟକ ମିଳିତ ଭାବରେ ଏହାକୁ ଉଦଘାଟନ କରିଥିଲେ।
କିନ୍ତୁ ବିଡ଼ମ୍ବନାର ବିଷୟ, ଉଦଘାଟନର ଦୀର୍ଘ ୧୨ ବର୍ଷ ପରେ ମଧ୍ୟ ଏହି ଚିକିତ୍ସା କେନ୍ଦ୍ରଟି ସାଧାରଣ ଲୋକଙ୍କ କୌଣସି କାମରେ ଆସୁନାହିଁ। ପଶୁପାଳକମାନଙ୍କୁ ନିଜ ଗ୍ରାମ ନିକଟରେ ପ୍ରାଣୀ ଚିକିତ୍ସା ଓ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମିତ ଏହି ସରକାରୀ କୋଠାଟି ଏବେ ଅବହେଳାର ଶିକାର ହୋଇଛି।
କେନ୍ଦ୍ର ପରିସରରେ ଲତାବୁଦା ଓ ଅନାବନା ଗଛଲତା ମାଡ଼ିଯାଇଥିବା ବେଳେ କୋଠାଟି ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଅବ୍ୟବହୃତ ଅବସ୍ଥାରେ ରହିଛି। ସ୍ଥାନୀୟ ଅଞ୍ଚଳରେ ଏହା ମଦ୍ୟପଙ୍କ ଆଶ୍ରୟସ୍ଥଳୀ ଓ ଅସାମାଜିକ କାର‌୍ୟ୍ୟକଳାପର ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଏହି ଅଞ୍ଚଳର ଅନେକ ପରିବାର ଗାଈ, ଗୋରୁ, ଛେଳି ଓ ଅନ୍ୟାନ୍ୟ ଗୃହପାଳିତ ପଶୁପକ୍ଷୀଙ୍କୁ ନେଇ ଜୀବିକା ନିର୍ବାହ କରୁଛନ୍ତି। ନିକଟରେ ପ୍ରାଣୀ ସହାୟକ କେନ୍ଦ୍ର ଥାଇ ମଧ୍ୟ ତାହାର ସୁବିଧା ନମିଳିବାରୁ ଗୃହପାଳିତ ପଶୁଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ଖୋରଧାକୁ ଯିବାକୁ ପଡ଼ୁଛି।
ଏହାଦ୍ୱାରା ଗରିବ ଓ କ୍ଷୁଦ୍ର ପଶୁପାଳକମାନେ ଅଯଥା ଖର୍ଚ୍ଚାନ୍ତ ହେବା ସହ ଜରୁରୀ ସମୟରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଏହି ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ଏକ ସରକାରୀ କୋଠା ନିର୍ମାଣ ଓ ଉଦ୍‌ଘାଟନ ପାଇଁ ଯେଉଁ ଅର୍ଥ ବ୍ୟୟ ହୋଇଥିଲା, ତାହାର ଉଦ୍ଦେଶ୍ୟ ଯଦି ପୂରଣ ନହୁଏ, ତେବେ ସେହି ନିର୍ମାଣର ସାର୍ଥକତା କ\’ଣ ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଖୋରଧା ଜିଲ୍ଲାର ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମହାସମାରୋହରେ ପ୍ରାଣୀ ମହୋତ୍ସବ ଓ ପ୍ରାଣୀ ସମ୍ପଦ ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଏଭଳି ସମୟରେ ଗ୍ରାମାଞ୍ଚଳରେ ନିର୍ମିତ ପ୍ରାଣୀ ସହାୟକ କେନ୍ଦ୍ରଟି ୧୨ ବର୍ଷ ଧରି ଅକାମୀ ହୋଇ ପଡ଼ିରହିବା ବିଭାଗର ବାସ୍ତବ କାର୍ଯ୍ୟକାରିତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
କେବଳ ଉତ୍ସବ, ସଭାସମିତି ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଦେଲେ ପ୍ରାଣୀ ସମ୍ପଦର ବିକାଶ ସମ୍ଭବ ନୁହେଁ; ଗ୍ରାମାଞ୍ଚଳରେ ନିର୍ମିତ ଚିକିତ୍ସା ଭିତ୍ତିଭୂମିକୁ କାର‌୍ୟ୍ୟକ୍ଷମ କରିବା ମଧ୍ୟ ବିଭାଗର ଗୁରୁଦାୟିତ୍ୱ।
ତେଣୁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଏହି କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ଏହାକୁ ସଫାସୁତୁରା କରି କାର୍ଯ୍ୟକ୍ଷମ କରିବା, ଆବଶ୍ୟକ କର୍ମଚାରୀ ନିଯୁକ୍ତି ଏବଂ ନିୟମିତ ପ୍ରାଣୀ ଚିକିତ୍ସା ସେବା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
୧୨ ବର୍ଷ ତଳେ ଯେଉଁ ଜନସେବାର ସ୍ୱପ୍ନ ନେଇ ଏହି କେନ୍ଦ୍ରର ଉଦଘାଟନ ହୋଇଥିଲା, ତାହା କେବେ ବାସ୍ତବ ରୂପ ନେବ, ଏବେ ତାହା ହିଁ ବଡ଼ ପ୍ରଶ୍ନ।

Related Posts