ଖୋରଧା ଜିଲ୍ଲାରେ ୨୦୨୭ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ କାର୍ଯ୍ୟସୂଚୀ ଘୋଷଣା :ପାଞ୍ଚଟି ବିଧାନସଭା କ୍ଷେତ୍ରରେ ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ, ସ୍ଥାନାନ୍ତରଣ ଓ ନାମ ସଂଶୋଧନ ପ୍ରସ୍ତାବ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୩।୧୧: ଆଗାମୀ ୨୦୨୭ ମସିହାର ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ଖୋରଧା ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ସ୍ପେଶାଲ ସମରି ରିଭିଜନ୍-୨୦୨୭) ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।
ଏହି ପ୍ରକ୍ରିୟାରେ ଜିଲ୍ଲାର ପାଞ୍ଚଟି ବିଧାନସଭା କ୍ଷେତ୍ରରେ ଭୋଟର ତାଲିକା ସଂଶୋଧନ ସହିତ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ, ଆବଶ୍ୟକସ୍ଥଳେ ସ୍ଥାନାନ୍ତରଣ ଏବଂ ନାମରେ ଥିବା ତ୍ରୁଟି ସଂଶୋଧନ କରାଯିବ।
ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ସମଗ୍ର କାର୍ଯ୍ୟକ୍ରମ ସମ୍ପନ୍ନ ହେବ। ଏଥିରେ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଂଗତ ପୁନର୍ବିନ୍ୟାସ, ଚିଠା ଭୋଟର ତାଲିକା ପ୍ରକାଶନ, ଦାବି ଓ ଆପତ୍ତି ଗ୍ରହଣ ଏବଂ ଏହାର ଫଇସଲା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ଆଦି ପ୍ରକ୍ରିୟା ଅନ୍ତର୍ଭୁକ୍ତ ରହିଛି।
ଖୋରଧା ଜିଲ୍ଲାରେ ୧୧୧-ଜୟଦେବ (ଅନୁସୂଚିତ ଜାତି), ୧୧୫-ଜଟଣୀ, ୧୧୬-ବେଗୁନିଆ, ୧୧୭-ଖୋରଧା ଏବଂ ୧୧୮-ଖୋରଧା ନାମରେ ପାଞ୍ଚଟି ବିଧାନସଭା କ୍ଷେତ୍ର ରହିଛି।
ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ପ୍ରସ୍ତାବ ଅନୁଯାୟୀ, ଜୟଦେବ, ବେଗୁନିଆ ଏବଂ ଖୋରଧାର ଦୁଇଟି ବିଧାନସଭା କ୍ଷେତ୍ରରେ କୌଣସି ମତଦାନ କେନ୍ଦ୍ର ସ୍ଥାନାନ୍ତରଣ ପ୍ରସ୍ତାବ ନାହିଁ।
ତେବେ ଜଟଣୀ ବିଧାନସଭା କ୍ଷେତ୍ରରେ ତିନୋଟି ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରହିଛି।
ସେଥିମଧ୍ୟରୁ ୩୭ ନମ୍ବର ମତଦାନ କେନ୍ଦ୍ର ବର୍ତ୍ତମାନ ବନ୍ତଳସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାଲୁଥିବାବେଳେ ଉକ୍ତ ବିଦ୍ୟାଳୟଟି ବନ୍ଦ ହୋଇଯାଇଥିବାରୁ ଏହାକୁ ବନ୍ତଳ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତରଣ ପାଇଁ ପ୍ରସ୍ତାବ ରହିଛି।
ସେହିପରି ୧୪୫ ନମ୍ବର ମତଦାନ କେନ୍ଦ୍ର ତମାଣ୍ଡୋର ନରଗୋଡ଼ାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସିଜୁପୁଟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏବଂ ୨୨୩ ନମ୍ବର ମତଦାନ କେନ୍ଦ୍ର ବାଲିଛକ ସାହିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ରାଜାବଜାରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରଣ ପାଇଁ ପ୍ରସ୍ତାବ ଦିଆଯାଇଛି।
ବିଦ୍ୟାଳୟ ବନ୍ଦ ହେବା ଏବଂ ମତଦାନ କେନ୍ଦ୍ର ସମ୍ପର୍କିତ ତଥ୍ୟରେ ଥିବା କିଛି ଅସଙ୍ଗତିକୁ ଦୂର କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ କେତେକ ମତଦାନ କେନ୍ଦ୍ରର ନାମରେ ଥିବା ବନାନଗତ ଓ ନାମକରଣ ସମ୍ପର୍କିତ ତ୍ରୁଟି ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ରହିଛି।
ଜଟଣୀ ବିଧାନସଭା କ୍ଷେତ୍ରର ସିମୁଳିପାଟଣାସ୍ଥିତ ୫୧ ଓ ୫୨ ନମ୍ବର, ଦଳୁଆ ଆଶ୍ରମ ସ୍କୁଲସ୍ଥିତ ୪୬ ନମ୍ବର ଏବଂ ଜଟଣୀର କୁମାଖାତିଆ ସ୍ଥିତ ୨୫୧ ଓ ୨୫୨ ନମ୍ବର ମତଦାନ କେନ୍ଦ୍ରର ନାମ ସଂଶୋଧନ ପ୍ରସ୍ତାବ ଦିଆଯାଇଛି।
ଏହା ସହିତ ବାଛରାସ୍ଥିତ ସୁଶୀଳା ଦେବୀ ପ୍ରଗତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ୨୭୯, ୨୮୦, ୨୮୧ ଓ ୨୮୨ ନମ୍ବର ମତଦାନ କେନ୍ଦ୍ରର ନାମରେ ମଧ୍ୟ ସଂଶୋଧନ ପ୍ରସ୍ତାବ ରହିଛି। ଜୟଦେବ, ବେଗୁନିଆ ଏବଂ ଖୋରଧାର ଦୁଇଟି ବିଧାନସଭା କ୍ଷେତ୍ରରେ ମତଦାନ କେନ୍ଦ୍ରର ନାମ ସଂଶୋଧନ ପାଇଁ କୌଣସି ପ୍ରସ୍ତାବ ନାହିଁ।
ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ସହିତ ନକଲି ଓ ଅଯୋଗ୍ୟ ଭୋଟରଙ୍କ ନାମ ଚିହ୍ନଟ କରି ନିୟମ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା।
ଏହି କାର୍ଯ୍ୟରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆରଓ) ଏବଂ ବୁଥ୍ସ୍ତରୀୟ ଅଧିକାରୀ (ବିଏଲଓ)ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ।
ଭୋଟରମାନେ ନିଜ ନାମ ଓ ଅନ୍ୟାନ୍ୟ ତଥ୍ୟ ଭାରତୀୟ ନିର୍ବାଚନ ଆୟୋଗଙ୍କ ଅଧିକାରିକ ୱେବ୍ସାଇଟ୍ https://voters.eci.gov.in/ମାଧ୍ୟମରେ ଯାଞ୍ଚ କରିପାରିବେ।
ଏଥିସହ ନିଜ ଅଞ୍ଚଳର ବୁଥ୍ସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ମଧ୍ୟ ଭୋଟର ତଥ୍ୟ ସମ୍ପର୍କରେ ଜାଣିପାରିବେ।
ସମଗ୍ର ପ୍ରକ୍ରିୟାକୁ ସ୍ୱଚ୍ଛ, ଶୃଙ୍ଖଳିତ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ, ସେମାନଙ୍କ ପ୍ରତିନିଧି ଏବଂ ନିର୍ବାଚନ ଅଧିକାରୀଙ୍କ ସକ୍ରିୟ ସହଯୋଗ ଲୋଡ଼ାଯାଇଛି। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିଯୁକ୍ତ ବୁଥ୍ସ୍ତରୀୟ ଏଜେଣ୍ଟ (ବିଏଲଏ)ମାନେ ମଧ୍ୟ ଭୋଟର ତଥ୍ୟ ଯାଞ୍ଚ ଓ ତାଲିକାର ସଠିକତା ରକ୍ଷା କରିବାରେ ସହଯୋଗ କରିବେ।
ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା ଜିଲ୍ଲାର ଭୋଟର ତଥ୍ୟ ଅଧିକ ସୁଦୃଢ଼ ହେବା ସହ ଆଗାମୀ ୨୦୨୭ ନିର୍ବାଚନୀ ପ୍ରକ୍ରିୟା ପୂର୍ବରୁ ଭୋଟର ତାଲିକାକୁ ସଠିକ୍, ସମ୍ପୂର୍ଣ୍ଣ ଓ ଅଦ୍ୟତନ ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ, ଖୋରଧା ପ୍ରତାପ ଚନ୍ଦ୍ର ବେଉରା ଗଣମାଧ୍ୟମକୁ ଏହି ସଂଶୋଧନ ପ୍ରକ୍ରିୟା ଏବଂ ମତଦାନ କେନ୍ଦ୍ରଗୁଡ଼ିକର ପ୍ରସ୍ତାବିତ ପୁନର୍ବିନ୍ୟାସ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ସୂଚନା ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସ୍ୱୀଟି ସୋରେନ୍, ଡେପୁଟି କଲେକ୍ଟର ରଞ୍ଜନ ମହାନ୍ତି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର (ନିର୍ବାଚନ) ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ।




