ବୌଦ୍ଧ ଜିଲ୍ଲାରେ ସଘନ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଶୁଭାରମ୍ଭ : ଜିଲ୍ଲାର ୪୨,୩୧୨ ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ ଲକ୍ଷ୍ୟ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୧୧ : ବୌଦ୍ଧ ଜିଲ୍ଲାରେ ଆଜି ରବିବାର ସକାଳ ୮ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ସଘନ ପଲ୍ସ ପୋଲିଓ ଟିକାକରଣ ଅଭିଯାନ (Intensified Pulse Polio Immunization – IPPI) ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ନିଜ ଶିଶୁ ପୁତ୍ରକୁ ପ୍ରଥମେ ଦୁଇ ବୁନ୍ଦା ପୋଲିଓ ଟିକା ପ୍ରଦାନକରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳଙ୍କ ସହଧର୍ମିଣୀ ଡାକ୍ତର ପୌଲିନ ପ୍ରଧାନ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ବାଉଁଶୁଣୀ ସିଏଚ୍ସି ମଧ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (DPM) ଗିରିଜା ପ୍ରସାଦ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଓ ଡାକ୍ତରମାନେ ଉପସ୍ଥିତ ଥିଲେ।
ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାର ୫ ବର୍ଷରୁ କମ୍ ବୟସର ମୋଟ ୪୨,୩୧୨ ଜଣ ଶିଶୁଙ୍କୁ ପୋଲିଓ ରୋଗରୁ ସୁରକ୍ଷା ଦେବା ପାଇଁ ଦୁଇ ବୁନ୍ଦା ମୁଖ୍ୟ ପୋଲିଓ ଟିକା (OPV) ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି।
ଏଥିପାଇଁ ଜିଲ୍ଲାରେ ୨୧୨ଟି ପୋଲିଓ ବୁଥ୍ ସ୍ଥାପନ କରାଯାଇଥିବା ବେଳେ ୮୪୮ ଜଣ ଟିକାକରଣ କର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହାସହ ୯ଟି ମୋବାଇଲ୍ ଟିମ୍ ଓ ୨୦ଟି ଟ୍ରାଞ୍ଜିଟ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ଅଭିଯାନର ସୁଚାରୁ ପରିଚାଳନା ପାଇଁ ମୋଟ ୫୦,୦୦୦ ଡୋଜ୍ ପୋଲିଓ ଟିକା ମହଜୁଦ ରଖାଯାଇଛି।
ପୋଲିଓ ଭଳି ଭୟାବହ ରୋଗରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ଏବଂ ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ଶିଶୁଙ୍କୁ ଟିକାକରଣର ପରିସରଭୁକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ନୂତନ ଡାକ୍ତରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରି ପରିବେଶ ସ୍ବଚ୍ଛ ରଖିବା ସହିତ ରୋଗୀ ମାନଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବାପାଇଁ ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ଜିଲ୍ଲାର ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ୫ ବର୍ଷରୁ କମ୍ ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ନିଶ୍ଚିତ ଭାବରେ ଦେଇ ପୋଲିଓମୁକ୍ତ ବୌଦ୍ଧ ଗଠନରେ ସହଭାଗୀ ହେବା ପାଇଁ ଜିଲ୍ଲାପାଳ ସମସ୍ତ ଅଭିଭାବକ ମାନଙ୍କୁ ନିବେଦନ କରିଛନ୍ତି ।




