Odisha News

କଳାହାଣ୍ଡିରେ ଲାଞ୍ଚ କାରବାରରେ ଲାଗୁନି ବ୍ରେକ୍ ! ଦୁଇ ଦିନରେ ଦୁଇ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ

ଜୁନାଗଡ଼/ କଳାହାଣ୍ଡି,୨୧/୧୧ : କଳାହାଣ୍ଡି ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶନିବାର ଜୁନାଗଡ଼ ଏନ୍‌ଏସିର ଏମ୍‌ଆଇଏସ୍ ଆସିଷ୍ଟାଣ୍ଟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଜଣେ ଆବାସ ଯୋଜନା ହିତାଧିକାରୀଙ୍କ ଘର ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଶେଷ ବିଲ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ କର୍ମଚାରୀ ୭ ହଜାର ଟଙ୍କା ଦାବି କରିଥିଲେ। ଏନେଇ ହିତାଧିକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।
ଶନିବାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଧିକ ପଚରାଉଚରା ଓ ତଦନ୍ତ ପାଇଁ ଭବାନୀପାଟଣାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଛନ୍ତି।
ପ୍ରକାଶ ଥାଉକି, ଏହାର ଦୁଇ ଦିନ ପୂର୍ବରୁ ଗୁରୁବାର ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଓ ତାଙ୍କ ଡ୍ରାଇଭର ପଙ୍କଜ ସିପକା ୧୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ।
ଜମିର କିସମ ପରିବର୍ତ୍ତନ ଓ ସଂଶୋଧିତ ପଟ୍ଟା ପ୍ରଦାନ ମାମଲାରେ ଏହି ଘଟଣା ଘଟିଥିଲା। ଶୁକ୍ରବାର ଜାମିନ ନ ମିଳିବାରୁ ତହସିଲଦାର ଓ ତାଙ୍କ ଡ୍ରାଇଭର ଜେଲ ଯାଇଥିଲେ।
ଲଗାତାର ଦୁଇ ଦିନରେ ଜିଲାର ଦୁଇଟି ସରକାରୀ କାର‌୍ୟ୍ୟାଳୟର କର୍ମଚାରୀ ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ଜିଲାର ଚର୍ଚ୍ଚାର ବିଷୟ ହୋଇଛି।

Related Posts