ପିଇବା ପାଣି କୂଅରେ କୁକୁରର ମୃତଦେହ : ଗ୍ରାମରେ ତୀବ୍ର ଉତ୍ତେଜନା ; ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଦାବୀ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୦/୧୧ : ଜଳ ହିଁ ଜୀବନ। ହେଲେ ଯେଉଁ ଜଳ ଉପରେ ଗୋଟିଏ ଗ୍ରାମର ଶତାଧିକ ଲୋକଙ୍କ ଜୀବନ ନିର୍ଭରଶୀଳ, ସେହି ପାନୀୟ ଜଳର ଉତ୍ସକୁ ଦୂଷିତ କରିଦେବା ଭଳି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ବାତ୍ୟା ‘ଅକ୍ୱାନ୍’କୁ ନେଇ ଲୋକେ ଆତଙ୍କିତ ଥିବାବେଳେ ଏବେ ପିଇବା ପାଣିର ସଙ୍କଟ ମାଣ୍ଡୁବାଡ଼ି ଗ୍ରାମବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ମାଣ୍ଡୁବାଡ଼ି ଗ୍ରାମରେ ଘଟିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କେହି ଦୁର୍ବୃତ୍ତ ଗ୍ରାମର ଏକମାତ୍ର ପାନୀୟ ଜଳ କୂଅରେ କୁକୁରର ମୃତଦେହ ଫିଙ୍ଗି ଦେଇଛି। ଫଳରେ କୂଅର ପାଣି ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବା ବେଳେ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି।ସୂଚନାନୁଯାୟୀ, ମାଣ୍ଡୁବାଡ଼ି ଗ୍ରାମରେ ମାତ୍ର ଗୋଟିଏ କୂଅ ରହିଛି। ଏହି କୂଅ ଉପରେ ପ୍ରାୟ ୫୦ଟି ପରିବାରର ୧୫୦ରୁ ଅଧିକ ଲୋକ ନିର୍ଭର କରନ୍ତି। ପିଇବା ପାଣି, ରୋଷେଇ ଓ ଦୈନନ୍ଦିନ ଘରୋଇ କାର୍ୟ୍ୟ ସହିତ ଚାଷ କାମ ପାଇଁ ମଧ୍ୟ ଏହି କୂଅର ଜଳ ବ୍ୟବହାର ହୋଇଥାଏ। ଏଭଳି ସ୍ଥିତିରେ କୂଅରେ କୁକୁରର ମୃତଦେହ ମିଳିବା ଗ୍ରାମବାସୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଶୁକ୍ରବାର ସକାଳେ ଗ୍ରାମର କେତେକ ମହିଳା ପ୍ରତିଦିନ ଭଳି ପାଣି ଆଣିବାକୁ କୂଅ ନିକଟକୁ ଯାଇଥିବା ବେଳେ ପାଣି ଭିତରେ କୁକୁରର ମୃତଦେହ ଭାସୁଥିବା ଦେଖିଥିଲେ। ଏହା ଦେଖି ସେମାନେ ଭୟଭୀତ ହେବା ସହ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପ୍ରଚାରିତ ହେବା ପରେ ଗ୍ରାମର ଲୋକେ କୂଅ ନିକଟରେ ଏକାଠି ହୋଇଥିଲେ। କିଏ ଏଭଳି କାଣ୍ଡ ଘଟାଇଲା, ଏହା ପଛରେ କାହାର ଉଦ୍ଦେଶ୍ୟ ରହିଛି, ତାହାକୁ ନେଇ ଗ୍ରାମରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ, ଏକମାତ୍ର ଜଳଉତ୍ସ ଦୂଷିତ ହୋଇଯିବା ପରେ ଏବେ ପ୍ରାୟ ୧୫୦ ଜଣ ଲୋକ କେଉଁଠୁ ପିଇବା ପାଣି ସଂଗ୍ରହ କରିବେ, ତାହା ବଡ଼ ପ୍ରଶ୍ନ ହୋଇଛି। ବିଶେଷକରି ମହିଳା ଓ ଛୋଟ ପିଲାଙ୍କ ପାଇଁ ଏହି ସମସ୍ୟା ଅଧିକ ଚିନ୍ତାଜନକ ହୋଇପଡ଼ିଛି। ଦୂଷିତ ପାଣି ବ୍ୟବହାର କଲେ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ କୂଅର ପାଣି ବ୍ୟବହାର ନକରିବାକୁ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଳଏନେଇ ଗ୍ରାମର ପ୍ରଦୀପ ବଳିୟାର ସିଂ ଓ ବାସୁ ବଳିୟାର ସିଂ ପ୍ରମୁଖ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣାର ସମାଧାନ ଓ ତୁରନ୍ତ ପ୍ରଶାସନିକ ସହାୟତା ପାଇଁ ଗ୍ରାମର ଏକ ପ୍ରତିନିଧି ମଣ୍ଡଳୀ ଦାରିଙ୍ଗବାଡ଼ି ଯାଇ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ଜଣାଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ତିନୋଟି ପ୍ରମୁଖ ଦାବି ଉଠିଛି। ପ୍ରଥମତଃ, ତୁରନ୍ତ ଟ୍ୟାଙ୍କର ଯୋଗେ ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯାଉ। ଦ୍ୱିତୀୟତଃ, କୂଅରୁ ମୃତଦେହକୁ ବାହାର କରି ବିଧିବଦ୍ଧ ଭାବେ କୂଅକୁ ସଫା ଓ ବିଶୋଧନ କରାଯିବା ସହ ଜଳର ମାନ ପରୀକ୍ଷା କରାଯାଉ। ତୃତୀୟତଃ, ଏଭଳି ଅମାନବୀୟ ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଉପଯୁକ୍ତ ଆଇନଗତ ପଦକ୍ଷେପ ନିଆଯାଉ। ସରକାର ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଆଜି ମଧ୍ୟ ଗୋଟିଏ କୂଅ ଉପରେ ୫୦ ପରିବାର ନିର୍ଭର କରିବା ଗ୍ରାମାଞ୍ଚଳର ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏବେ ବାତ୍ୟା ଆଶଙ୍କା ମଧ୍ୟରେ ଏହି ସମସ୍ୟାର ତୁରନ୍ତ ସମାଧାନ କରି ମାଣ୍ଡୁବାଡ଼ିବାସୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ଦାରିଙ୍ଗବାଡ଼ି ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।
ସ୍ୱାସ୍ଥ୍ୟକେନ୍ଦ୍ରରେ ଅଲ୍ଟ୍ରାସାଉଣ୍ଡ ମେସିନ୍ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ
ବାଲିଗୁଡ଼ା, ୨୦/୧୧ : ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ବି ଅତ୍ୟାବଶ୍ୟକ ଚିକିତ୍ସା ସୁବିଧା ଓ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।
ଏହି ସମସ୍ୟାର ସମାଧାନ ତଥା ଡାକ୍ତରଖାନାରେ ଉନ୍ନତ ଚିକିତ୍ସାସେବା ସୁନିଶ୍ଚିତ କରିବା ଦାବିରେ ସ୍ୱର ଉଠାଇଛନ୍ତି ସମାଜସେବୀ ଅମନ ଚନ୍ଦ୍ର ନାୟକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ।
ଏହି ମର୍ମରେ ଗୁରୁବାର କନ୍ଧମାଳ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ରଙ୍କୁ ସାକ୍ଷାତ କରି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ଏଥିସହିତ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। ଦାବିପତ୍ରରେ ମୁଖ୍ୟତଃ ଡାକ୍ତରଖାନାକୁ ଅଲ୍ଟ୍ରାସାଉଣ୍ଡ ମେସିନ୍ ଯୋଗାଇବା, ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବିଶେଷଜ୍ଞ ଡାକ୍ତର ପଦବୀଗୁଡ଼ିକୁ ପୂରଣ କରିବା ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ନିୟମିତ ଉପସ୍ଥିତି ଓ ଚିକିତ୍ସାସେବା ସୁନିଶ୍ଚିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଯାଇଛି।
ବିଶେଷକରି ଗର୍ଭବତୀ ମହିଳା, ପ୍ରସୂତି ଓ ଅନ୍ୟ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଥିବା ସ୍ଥିତିରେ ସ୍ଥାନୀୟ ଡାକ୍ତରଖାନାରେ ଆବଶ୍ୟକୀୟ ଯନ୍ତ୍ରପାତି ଓ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ଅତ୍ୟନ୍ତ ଜରୁରୀ ବୋଲି ଦାବି ଉଠାଇଛନ୍ତି ଅଞ୍ଚଳବାସୀ । ଘୁ.ଉଦୟଗିରି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏହାର ଆଖପାଖ ଗ୍ରାମାଞ୍ଚଳର ବହୁ ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ତେଣୁ ଏଠାରେ ଆବଶ୍ୟକ ଚିକିତ୍ସା ସୁବିଧା ଓ ବିଶେଷଜ୍ଞ ଡାକ୍ତର ନଥିବା ଯୋଗୁଁ ରୋଗୀମାନେ ଅନ୍ୟ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି।
ଏହା ସାଧାରଣ ଲୋକଙ୍କ ପାଇଁ ଅଯଥା ଖର୍ଚ୍ଚ ଓ ଯାତାୟାତ ଜନିତ ଅସୁବିଧା ବଢ଼ାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଅଲ୍ଟ୍ରାସାଉଣ୍ଡ ମେସିନ୍ ଯୋଗାଣ, ଖାଲି ପଦବୀ ପୂରଣ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ନିୟମିତ ସେବା ପାଇଁ ଶୀଘ୍ର ଠୋସ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏହାଦ୍ୱାରା ଘୁ.ଉଦୟଗିରି ଓ ଆଖପାଖ ଅଞ୍ଚଳର ରୋଗୀମାନେ ନିଜ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି।
ବାତ୍ୟା ମୁକାବିଲା ପାଇଁ କନ୍ଧମାଳରେ ବିଜେଡିର ତତ୍ପରତା; ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଲେ ପଦ୍ମନାଭ ବେହେରା
କନ୍ଧମାଳ, ୨୦/୧୧ : ସମ୍ଭାବ୍ୟ ବାତ୍ୟାକୁ ନେଇ ସାରା ରାଜ୍ୟରେ ଚିନ୍ତା ଓ ଆଶଙ୍କା ଦେଖାଦେଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ବିପଦଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚିଛି ବିଜୁ ଜନତା ଦଳ। ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲାର ବାତ୍ୟା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କିତ କାର୍ଯ୍ୟର ତଦାରଖ ଦାୟିତ୍ୱ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଓ ଜିଲ୍ଲା ପ୍ରଭାରୀ ପଦ୍ମନାଭ ବେହେରା।
ଶୁକ୍ରବାର ଶ୍ରୀ ବେହେରାଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଘୁ.ଉଦୟଗିରି ଓ ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ।
ଏଥିସହ ପୂର୍ବରୁ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ମଧ୍ୟ ଯାଇ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।
ବିଶେଷକରି ଆଶ୍ରୟସ୍ଥଳୀ ରେ ରହୁଥିବା ଲୋକଙ୍କୁ ମିଳୁଥିବା ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ଶୌଚାଳୟ ଏବଂ ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସୁବିଧାର ସ୍ଥିତି ନିଜେ ବୁଲି ଦେଖିଥିଲେ ଶ୍ରୀ ବେହେରା। ବିପଦ ସମୟରେ ଆଶ୍ରୟ ନେଇଥିବା ଲୋକଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ସତର୍କ ରହିବା ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ।
ତେଣୁ ଦଳୀୟ ଭେଦଭାବ ନରଖି ଆବଶ୍ୟକ ସ୍ଥଳେ ପ୍ରତ୍ୟେକ ବିପନ୍ନ ପରିବାରକୁ ସହଯୋଗ କରିବା ସହ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳ ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବାରୁ ଆଗାମୀ ବିପର୍ଯ୍ୟୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି।
ଏଭଳି ସ୍ଥିତିରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ମନୋବଳ ବଢ଼ାଇବା ସହ ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ବିଜେଡି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
\”ବିପଦରେ ଲୋକଙ୍କ ପାଖରେ, ସବୁବେଳେ ବିଜୁ ଜନତା ଦଳ\” । ଏହି ବାର୍ତ୍ତା ସହ ଦଳ ପକ୍ଷରୁ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ପାଖରେ ରହି ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରାଯାଇଛି।
ଋଷିମାଳ ମହାବାରୁଣୀ ତୀର୍ଥକ୍ଷେତ୍ରରେ ଭକ୍ତିର ମହା ସମାଗମ, ୩୦୦ ଅସହାୟଙ୍କୁ କମ୍ବଳ ବଣ୍ଟନ
ବାଲିଗୁଡ଼ା, ୨୦/୧୧: ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା ପ୍ରସିଦ୍ଧ ଋଷିମାଳ ମହାବାରୁଣୀ ତୀର୍ଥକ୍ଷେତ୍ର। ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନାର ଏକ ଅପୂର୍ବ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି ଭବ୍ୟ ଭକ୍ତି ଜାଗୃତି ହରିନାମ ସଂକୀର୍ତ୍ତନ ଯାତ୍ରା।
ହରିନାମର ମଧୁର ଧ୍ୱନି, ଯଜ୍ଞର ପବିତ୍ର ଆହୁତି ଓ ଆଧ୍ୟାତ୍ମିକ ପ୍ରବଚନରେ ସମଗ୍ର ତୀର୍ଥକ୍ଷେତ୍ର ଭକ୍ତିମୟ ହୋଇଉଠିଥିବା ବେଳେ ଏହି ଆୟୋଜନରେ ଦୂରଦୂରାନ୍ତରୁ ପ୍ରାୟ ୨ ହଜାର ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇ ଥିଲେ। ଏଥିସହ ଅଞ୍ଚଳର ୩୦୦ ଜଣ ଗରିବ ଓ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇ ସେବାର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି। ଶ୍ରୀଯୋଗ ବେଦାନ୍ତ ସେବା ସମିତି ଏବଂ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ କେଶରାପଲ୍ଲୀ ଆଶ୍ରମ, ଗଞ୍ଜାମ ପକ୍ଷରୁ ଏହି ମହତ୍ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।
ଗତ ନଭେମ୍ବର ୧୩ ତାରିଖରେ ଗଞ୍ଜାମ ଜିଲ୍ଲାର କୋଟଗଡ଼ରୁ ଆରମ୍ଭ ହୋଇଥିବା ଏହି ସଂକୀର୍ତ୍ତନ ଯାତ୍ରା ଧରାକୋଟ, ଓରା, ସ୍ୱର୍ଣ୍ଣଗିରି, ଯୁବାଗୁଡ଼ା, ଶ୍ରୀରାମପୁର, ଗଦାପୁର ଓ ବ୍ରାହ୍ମଣୀଗାଁ ଆଦି ଅଞ୍ଚଳ ଦେଇ ନଭେମ୍ବର ୧୭ ତାରିଖରେ ଋଷିମାଳ ମହାବାରୁଣୀ ତୀର୍ଥକ୍ଷେତ୍ରରେ ପହଞ୍ଚିଥିଲା।
ଯାତ୍ରାରେ ପ୍ରାୟ ୪୦୦ ଜଣ ଭକ୍ତ ଓ ସାଧକ ସାମିଲ ହୋଇ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ଅଞ୍ଚଳବାସୀଙ୍କ ମଧ୍ୟରେ ଧର୍ମୀୟ ଚେତନା ଓ ଭକ୍ତିଭାବ ଜାଗ୍ରତ କରିଥିଲେ।
ଋଷିମାଳରେ ପହଞ୍ଚିବା ପରେ ପ୍ରଥମେ ଘୃତଯଜ୍ଞ ମାଧ୍ୟମରେ ଧାର୍ମିକ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ପରେ ପୀଡ଼ିକାରିପି, ତମାଙ୍ଗି, ହାତୀମୁଣ୍ଡା, ପାନସପଦର ଓ କାସପଙ୍କା ସମେତ ଆଖପାଖ ଗ୍ରାମ ଗୁଡ଼ିକ ରେ ହରିନାମ ସଂକୀର୍ତ୍ତନ ପରିକ୍ରମା କରାଯାଇଥିଲା।
ଗାଁ ଗାଁରେ ସଂକୀର୍ତ୍ତନ ଦଳକୁ ଶ୍ରଦ୍ଧାଳୁମାନେ ଭକ୍ତିପୂର୍ଣ୍ଣ ସ୍ୱାଗତ କରିଥିଲେ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା।
ଏହି ଅବସରରେ ଶ୍ରୀ ଓଁକାର ନନ୍ଦ ଓ ଧର୍ମେନ୍ଦ୍ରଜୀଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରାଯାଇଥିଲା। ମାନବ ଜୀବନରେ ଭକ୍ତି, ସତକର୍ମ, ନୈତିକତା, ମାନବିକତା ଓ ସେବାଭାବର ଗୁରୁତ୍ୱ ସମ୍ପର୍କରେ ପ୍ରବଚନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
ଭକ୍ତମାନେ ଏକାଗ୍ରଚିତ୍ତରେ ପ୍ରବଚନ ଶ୍ରବଣ କରିବା ସହ ହରିନାମ ସଂକୀର୍ତ୍ତନରେ ସାମିଲ ହୋଇଥିଲେ। ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ଭୋଜନର ବ୍ୟବସ୍ଥା କରାଯାଇଥିଲା।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଗରିବ ଓ ଅସହାୟଙ୍କ ପ୍ରତି ସେବାମୂଳକ ପଦକ୍ଷେପ। ଶୀତଋତୁରେ ଆବଶ୍ୟକତା ଥିବା ଲୋକଙ୍କୁ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଅଞ୍ଚଳର ପ୍ରାୟ ୩୦୦ ଜଣଙ୍କୁ କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା।
ଫଳରେ ଧାର୍ମିକ ଆୟୋଜନ ସହିତ ସାମାଜିକ ଦାୟିତ୍ୱବୋଧ ଓ ମାନବସେବାର ଏକ ସୁନ୍ଦର ଉଦାହରଣ ସୃଷ୍ଟି ହୋଇଥିଲା।
ଏହି ଭବ୍ୟ କାର୍ଯ୍ୟକ୍ରମକୁ ଋଷିମାଳରେ ଅବସ୍ଥାନ କରୁଥିବା ସାଧୁ ଧର୍ମେଷ କୁମାର ପାଳ ସଂଚାଳନ କରିଥିଲେ।
ଏଥିରେ ଋଷିମାଳ ଟ୍ରଷ୍ଟର ସଭାପତି ପ୍ରଭାକର ବିଶୋଇ, ସମ୍ପାଦକ ଯୋଗେଶ୍ୱର ପାତ୍ର, କାର୍ୟ୍ୟକର୍ତ୍ତା ପ୍ରଦୀପ ବିନ୍ଧାଣି, ସୂର୍ଯ୍ୟ ଦେଶମାଝି ଓ ସୁରେନ୍ଦ୍ର ଦେଶମାଝିଙ୍କ ସମେତ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ ଓ ସେବାକର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ହରିନାମ ସଂକୀର୍ତ୍ତନ, ଘୃତଯଜ୍ଞ, ଆଧ୍ୟାତ୍ମିକ ପ୍ରବଚନ, ଅନ୍ନପ୍ରସାଦ ବଣ୍ଟନ ଓ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଋଷିମାଳ ମହାବାରୁଣୀ ତୀର୍ଥକ୍ଷେତ୍ରରେ ଏହି ଆୟୋଜନ ଧର୍ମ ସହ ମାନବସେବାର ମହତ୍ତ୍ୱକୁ ପ୍ରତିପାଦିତ କରିଥିଲା।




