ସରକାରୀ ନିୟମକୁ ଫୁ’ କରୁଛନ୍ତି ମଦ ଦୋକାନୀ : ଖୋଲିବା ଓ ବନ୍ଦ କରିବା ସମୟରେ ରହୁନି ତାଳମେଳ; ବିଳମ୍ବିତ ରାତି ଯାଏଁ ଚାଲୁଛି ବେଆଇନ ମଦ କାରବାର, ଅବକାରୀ ବିଭାଗର ନିରବତାକୁ ନେଇ ପ୍ରଶ୍ନ ?
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୫/୧୧: ରାଜ୍ୟ ସରକାର ମଦ ବିକ୍ରି ଓ ମଦ ଦୋକାନ ପରିଚାଳନା ପାଇଁ ସ୍ୱତନ୍ତ୍ର ନୀତିନିୟମ ପ୍ରଣୟନ କରିବା ସହ ଦୋକାନ ଖୋଲିବା ଓ ବନ୍ଦ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିଛନ୍ତି।
ମଦ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା, ସାଧାରଣ ଲୋକଙ୍କ ଯାତାୟାତ ଓ ସାମାଜିକ ପରିବେଶକୁ ସୁରକ୍ଷିତ ରଖିବା ଏବଂ ଅବାଞ୍ଛିତ ପରିସ୍ଥିତିକୁ ରୋକିବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ। ମାତ୍ର ଖୋରଧା ସହର ଓ ଏହାର ଆଖପାଖ ଅଞ୍ଚଳରେ କେତେକ ମଦ ଦୋକାନ, ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ ହେଉଛି।
ସରକାରଙ୍କ ନିର୍ଦ୍ଧାରିତ ସମୟ ଓ ନିୟମକୁ ଖାତିର ନକରି ମନଇଚ୍ଛା ଦୋକାନ ଖୋଲାଯିବା ଓ ବନ୍ଦ କରାଯିବା ଏବେ ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି।
ସୂଚନା ଅନୁଯାୟୀ, ମଦ ବିକ୍ରି ବ୍ୟବସ୍ଥାକୁ ସରକାର ଦୁଇଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ଅଫ-ସପ ମଦ ଦୋକାନରୁ ଗ୍ରାହକ ମଦ କ୍ରୟ କରିପାରିବେ।
ଏହି ଦୋକାନ ପରିସରରେ ବସି ମଦ ପିଇବାକୁ ଅନୁମତି ନାହିଁ। ଅନ୍ୟପକ୍ଷରେ ଅନ-ସପ ମଦ ଦୋକାନ ଅର୍ଥାତ ବାର, ହୋଟେଲ ଓ ରେଷ୍ଟୁରାଣ୍ଟରେ ଗ୍ରାହକମାନେ ବସି ମଦ ପିଇବାର ସୁବିଧା ପାଇଥାନ୍ତି।
ନିୟମ ଅନୁଯାୟୀ, ଅଫ-ସପ ମଦ ଦୋକାନ ଗୁଡ଼ିକ ସକାଳ ୧୦ଟାରୁ ରାତି ୧୦ଟା ମିନିଟ୍ ପର୍ୟ୍ୟନ୍ତ ଖୋଲା ରହିବାକୁ ଥିବାବେଳେ ଅନ-ସପ ଦୋକାନ, ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ଦିନ ୧୧ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବାର ସମୟ ଧାର୍ଯ୍ୟ ହୋଇଛି।
ଏହାସହ ଗ୍ରାହକ ମଦ କିଣିବା ପରେ ରସିଦ ମାଗିଲେ ସମ୍ପୃକ୍ତ ଦୋକାନୀ କିମ୍ବା ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ ତାଙ୍କୁ ରସିଦ ପ୍ରଦାନ କରିବା ବାଧ୍ୟତାମୂଳକ।
ତେବେ ଅଭିଯୋଗ ହେଉଛି ଯେ, ଖୋରଧା ସହରର କେତେକ ମଦ ଦୋକାନ ଧାର୍ଯ୍ୟ ସମୟକୁ ଅଣଦେଖା କରି ସକାଳୁ ଅତି ଶୀଘ୍ର ଖୋଲାଯାଉଥିବା ବେଳେ ବିଳମ୍ବିତ ରାତି ପର୍ୟ୍ୟନ୍ତ ମଦ ବିକ୍ରି ଚାଲୁ ରହୁଛି।
ବିଶେଷକରି କେତେକ ଅଫ-ସପ ମଦ ଦୋକାନ ସକାଳ ୬ଟାରୁ ଖୋଲାଯାଇ ରାତି ଅଧିକ ଯାଏଁ ଚାଲୁ ରହୁଥିବା ଅଭିଯୋଗ ହୋଇଛି।
ସେହିପରି କେତେକ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ଧାର୍ଯ୍ୟ ସମୟ ଅତିକ୍ରମ କରିବା ପରେ ମଧ୍ୟ ଦୋକାନ ଖୋଲା ରହୁଥିବା କୁହାଯାଉଛି।
ଏହାର କୁପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ରାସ୍ତାରେ ଯାତାୟାତ କରୁଥିବା ଲୋକ, ବିଶେଷକରି ମହିଳା, ବୃଦ୍ଧ ଓ ଛାତ୍ରଛାତ୍ରୀ ମାନେ ମଦ୍ୟପ ବ୍ୟକ୍ତିଙ୍କ ଅଶାଳୀନ ବ୍ୟବହାର ଓ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ ରହିଛି।
କେତେକ ସ୍ଥାନରେ ମଦ୍ୟପଙ୍କ ଭିଡ଼ ଯୋଗୁଁ ରାସ୍ତାରେ ଅଯଥା ବିଶୃଙ୍ଖଳା ସୃଷ୍ଟି ହେବା ସହ ସାଧାରଣ ଶାନ୍ତିଶୃଙ୍ଖଳା ମଧ୍ୟ ବ୍ୟାହତ ହେଉଛି। ଏପରିକି ମଦ ଦୋକାନ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ଦେଖାଦେଉଛି।
ଏଠାରେ ପ୍ରଶ୍ନ ଉଠୁଛି, ସରକାର ନିର୍ଦ୍ଧାରିତ ସମୟ ଓ ନିୟମ ପ୍ରଣୟନ କରିଥିବା ସତ୍ତ୍ୱେ ଏହାର ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ? ଅବକାରୀ ବିଭାଗର କ୍ଷେତ୍ରୀୟ ଅଧିକାରୀମାନେ ଏସବୁ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି କି ନାହିଁ, ତାହା ମଧ୍ୟ ସାଧାରଣରେ ଆଲୋଚନାର ବିଷୟ ହୋଇଛି।
ତେଣୁ ଖୋରଧା ଜିଲ୍ଲା ଅବକାରୀ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ମଦ ଦୋକାନ, ବାର, ହୋଟେଲ ଓ ରେଷ୍ଟୁରାଣ୍ଟବ ଗୁଡ଼ିକରେ ନିୟମିତ ଯାଞ୍ଚ କରିବା ସହ ଧାର୍ଯ୍ୟ ସମୟରେ ଦୋକାନ ଖୋଲିବା ବା ବନ୍ଦ କୁ ତଦାରଖ କରିବା ଦରକାର। ଯେଉଁ ଦୋକାନି ନିୟମ ଅନୁଯାୟୀ ଗ୍ରାହକ ମାଗୁଥିବା ରସିଦ ଦେଉଛନ୍ତି କି ନାହିଁ, ମୁଲ୍ୟ ଠାରୁ ଅଧିକ ପଇସା ନେଉଛନ୍ତି କି ,ବିକ୍ରି ଦୋକାନ ସମ୍ମୁଖରେ ମଦ ପିଉଛନ୍ତି କି ଏ ସବୁ ବିଷୟରେ ବିଭାଗ ନିୟମିତ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।
ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ ପଦକ୍ଷେପ ନିଆଗଲେ ହିଁ ସରକାରୀ ନିୟମର ମର୍ଯ୍ୟାଦା ରହିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରହିପାରିବ।




