Odisha News

୧୬ରେ ବାତ୍ୟା, ୧୭ରେ ଭୀଷଣ ବାତ୍ୟା, ୧୯ରେ ଅତି ଭୀଷଣ ବାତ୍ୟା ସମ୍ଭାବନା ; ପ୍ରବଳ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହେଲା ୱାର୍ଣ୍ଣିଂ

ଭୁବନେଶ୍ବର, ୧୫।୧୧: ବଙ୍ଗୋପସାଗରରେ ଘନୀଭୂତ ହେବାରେ ଲାଗିଛି ଅବପାତ । ଆଗାମୀ ଦିନରେ ଏହା ଶକ୍ତିଶାଳୀ ବାତ୍ୟାର ରୂପ ନେବ ବୋଲି ଆଶଙ୍କା ବଢ଼ିଛି । ପାଣିପାଗ ବିଜ୍ଞାନ ବିଭାଗ ଆକଳନ ଅନୁଯାୟୀ, ନଭେମ୍ବର ୧୬ ତାରିଖରେ ଏହା ବାତ୍ୟାରେ ପରିଣତ ହୋଇପାରେ ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗରରେ ଭୀଷଣ ବାତ୍ୟାର ରୂପ ନେବ । ୧୭ ତାରିଖ ସୁଦ୍ଧା ଭୀଷଣ ବାତ୍ୟା ଏବଂ ୧୯ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇପାରେ ।
ଏ ପର‌୍ୟ୍ୟନ୍ତ ବାତ୍ୟାର ଲ୍ୟାଣ୍ଡଫଲ ନେଇ କୌଣସି ସ୍ପଷ୍ଟତା ଆସିପାରି ନାହିଁ । ତେବେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ଖୁବଶୀଘ୍ର ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ତେବେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କି.ମି ରହିବ । ୧୯ ତାରିଖରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ରହିଛି । ନଭେମ୍ବର ୧୮ ତାରିଖରୁ ରାଜ୍ୟରେ ବର୍ଷା ଓ ପବନର ପ୍ରଭାବ ଦେଖାଦେବ ।
ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିପାରେ । ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପବନକୁ ନଜରରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରଯାଇଛି ।

Related Posts