ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ସମ୍ପୂର୍ଣ୍ଣ ଆକଳନ ପାଇଁ ଆହୁରି ଲାଗିବ ୮ ଦିନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୫/୧୧: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିବା ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବନ୍ୟା, ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ପରି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି । ଏହାଦ୍ୱାରା ରାଜ୍ୟର ବିକାଶ କାମ ବାଧାପ୍ରାପ୍ତ ହେଉଛି ।
ତେଣୁ, କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ତତ୍କାଳ ରିଲିଫ ଓ ପୁନନିର୍ମାଣ ପାଇଁ ସହାୟତା ସହିତ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମିର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏହାଦ୍ୱାରା ଓଡ଼ିଶାର ଲୋକମାନେ ସ୍ଥାୟୀ ସମାଧାନ ପାଇ ପାରିବେ ଏବଂ ରାଜ୍ୟର ବିକାଶ ବାଧାପ୍ରାପ୍ତ ନହୋଇ ତ୍ୱରାନ୍ୱିତ ହେବ ।
ଟିମ୍ର ମୁଖ୍ୟ ରବିଶଙ୍କର କହିଲେ ଯେ, ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି । ବାସ୍ତବିକ ବନ୍ୟା ଯୋଗୁ ଜନସାଧାରଣଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଛି ।
ଗଞ୍ଜାମରେ ଋଷିକୁଲ୍ୟା ନଦୀରୁ ପାଣି ମାଡି ଆସିବା ଦ୍ୱାରା ଅନେକ ଅଞ୍ଚଳରେ ବାଲିଚର ମାଡି ଯାଇଛି । ଚାଷଜମି ସହିତ ରାସ୍ତା ଘାଟ, ଘର ଦ୍ୱାର, କାର୍ଯ୍ୟାଳୟ ଇତ୍ୟାଦିରେ ବାଲି ମାଡିଯାଇଛି ।
ଅନେକ ସ୍ଥାନରେ ଘର ଭାଙ୍ଗି ନଥିଲେ ମଧ୍ୟ ଏହା ଦୁର୍ବଳ ହୋଇଯାଇଛି । ଦୀର୍ଘକାଳୀନ ଭିତ୍ତିରେ ଋଷିକୁଲ୍ୟା ନଦୀରୁ ବାଲି ଓ ମାଟି ଉଦ୍ଧାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ବ୍ୟାପକ ବିପର୍ଯ୍ୟୟ ଯୋଗୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ପାଇଁ ୭/୮ ଦିନ ସମୟ ଲାଗିବ ବୋଲି ସେ କହିଥିଲେ ।
ବାତ୍ୟା ଓ ବନ୍ୟା ପରେ ରାଜ୍ୟ ସରକାର ଦ୍ରୁତ ଗତିରେ ରିଲିଫ ଓ ପୁନସ୍ଥାପନ କାମ କରିଛନ୍ତି ବୋଲି ମତ ଦେଇ ରବିଶଙ୍କର ଓଡ଼ିଶା ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।
ରାସ୍ତା ଘାଟ ପ୍ରାୟତଃ ଗମନାଗମନ ଉପଯୋଗୀ ହୋଇସାରିଛି ଏବଂ ବିଦ୍ୟୁତ ସରବରାହ ପୁନସ୍ଥାପନ କରାଯାଇଛି ବୋଲି ସେ କହିଥିଲେ । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କ୍ଷୟକ୍ଷତି ଓ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।
ମୁଖ୍ୟ ଶାସନ ଅନୁ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ କରାଯାଇ ରିଲିଫ ଓ ରିଷ୍ଟୋରେସନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଦାବି ପତ୍ର ଦିଆଯାଇଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ୍ ଓ କେନ୍ଦ୍ରୀୟ ଟିମ୍ର ସଦସ୍ୟଗଣ ଉପସ୍ଥିତ ଥିଲେ ।




