Odisha News

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୮/୧୦ : କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ ବ୍ଲକ୍’ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ୍ ପ୍ରତ୍ୟାହାର ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟ କଂଗ୍ରେସ ଓ ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ବନ୍ଦ ପାଳନରେ ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ), ଏନସିପି, ଫରୱାର୍ଡ ବ୍ଳକ, ସମାଜବାଦୀ ପାର୍ଟି, ଆରଜେଡି, ଜେଏମଏମ୍ ସାମିଲ ହେବ। ଏ ନେଇ ବୁଧବାର ଭୁବନେଶ୍ୱରରେ ଏକ ପଦଯାତ୍ରା ଓ ବାଇକ୍ ରାଲି ହୋଇଥିଲା।
ବନ୍ଦ ପାଳନ ବେଳେ ଗାଡ଼ି ମୋଟର ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଟ୍ରକ୍, ବସ୍, ଅଟୋ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଆହ୍ବାନ ଦେଇଛି କଂଗ୍ରେସ। ସେହିପରି ବନ୍ଦ ରହିପାରେ ଦୋକାନ, ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନ। ସରକାରୀ ଓ ବେସରକାରୀ କାର‌୍ୟ୍ୟାଳୟ ପ୍ରଭାବିତ ହୋଇପାରେ।
ପେଟ୍ରୋଲ ପମ୍ପ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ଅନ୍ୟପଟେ ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିବ।
ବନ୍ଦ ସମୟରେ ରାସ୍ତାରେ ଶାନ୍ତିପୂର୍ଣ୍ଣ ପିକେଟିଂ, ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ କରିବାକୁ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ସାଧାର ସାଧାରଣ ଲୋକଙ୍କ ସହିତ ନମ୍ର, ଭଦ୍ର ଓ ଗଣତାନ୍ତ୍ରିକ ବ୍ୟବହାର, ଜରୁରୀ ଆବଶ୍ୟକତାରେ ଯାଉଥିବା ଲୋକକ୍ସ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଦାସ ।

Related Posts