Odisha News

ଅକ୍ଟୋବରରେ ବଢ଼ିଲା ବାତ୍ୟା ଭୟ: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଓ ଲଘୁଚାପ ଆଶଙ୍କା, ଚିନ୍ତାରେ ଓଡ଼ିଶାବାସୀ

ଭୁବନେଶ୍ୱର, ୩/୧୦ : ଅକ୍ଟୋବର ଆସିଲେ ଗଞ୍ଜାମବାସୀଙ୍କ ମନରେ ବାତ୍ୟା ଛନକା ପଶେ। ଫାଇଲିନ୍,ହୁଡ୍ହୁଡା,ତିତଲି,ଦାନା,ମୋନ୍ଥା ସମେତ ଗୁଲାବ (ସେପ୍ଟେମ୍ବର ଶେଷ ସପ୍ତାହ )- ଏମିତି ଅନେକ ବାତ୍ୟା ଆସିଛନ୍ତି ଅକ୍ଟୋବରରେ ।
କିଏ ପ୍ରଳୟ କରିଛନ୍ତି ତ କିଏ କେବଳ ଡରେଇ ଚାଲିଯାଇଛନ୍ତି। ଗତ ସେପ୍ଟେମ୍ବର ଶେଷ ସପ୍ତାହରେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ବ୍ରହ୍ମପୁର ସମେତ ଗଞ୍ଜାମ,ଗଜପତିର ଅର୍ଦ୍ଧେକ ଅଞ୍ଚଳ ବୁଡ଼ାଇଥିଲା।
ଲୋକେ ଭାବିଥିଲେ ଅକ୍ଟୋବରରେ ବୋଧହୁଏ ଆଉ କିଛି ବିପର‌୍ୟ୍ୟୟ ହେବନି। ହେଲେ ଆସନ୍ତା ୧୨ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଓ ୧୩ରେ ଲଘୁଚାପର ପୂର୍ବାନୁମାନ ପ୍ରବଳ ବର୍ଷାରେ କ୍ଷତିଗ୍ରସ୍ତଙ୍କ ଆଶଙ୍କା ବଢ଼ାଇଲାଣି। ୧୯୯୯ ଅକ୍ଟୋବର ୨୯ ତାରିଖ ମହାବାତ୍ୟା ପୂର୍ବରୁ,୧୭ ତାରିଖରେ ଗଞ୍ଜାମ ଜିଲ୍ଲାରେ ହୋଇଥିଲା ବଡ଼ ଧରଣର ବାତ୍ୟା।
ମହାସପ୍ତମୀ ମଧ୍ୟରାତ୍ରିରୁ ମହାଷ୍ଟମୀ ସକାଳ ଯାଏଁ ହୋଇଥିବା ଏହି ବାତ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଉଜୁଡ଼ା ଭିତ୍ତିଭୂମି ସଜାଡ଼ିବାକୁ ଦୀର୍ଘ ବର୍ଷ ଲାଗିଥିଲା ଗଞ୍ଜାମବାସୀଙ୍କୁ । ଏହାର ୧୪ ବର୍ଷ ପରେ ଅର୍ଥାତ ୨୦୧୩ ଅକ୍ଟୋବର ୧୨ ତାରିଖର ଫାଇଲିନ୍ ମହାବାତ୍ୟାକୁ ମନେ ପକାଇ ଦେଇଥିଲା । ଫାଇଲିନ୍ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବାରୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଞ୍ଜାମ ଜିଲ୍ଲା ।
ଉଜାଡ଼ି ଦେଇଥୁଲା ଲୋକଙ୍କ ଜୀବନଜୀବିକା। ହଜାର ହଜାର ଲୋକ ଜଳବନ୍ଦୀ ହେଲେ। ରାସ୍ତା ଧୋଇ ଯାଇଥିଲା,ବିଜୁଳି ଖୁଣ୍ଟ ଭାଙ୍ଗି ଯାଇଥିଲା,ବିଶାଳ ଗଛ ସବୁ ଉପୁଡ଼ି ଯାଇଥିଲା,ଶହ ଶହ ଘରର ଛପର ଉଡ଼ି ଯାଇଥିଲା। ସବୁଦିଗରୁ କ୍ଷତିଗ୍ରସ୍ତ ହୋଇଥିଲା ଗଞ୍ଜାମ।
ପରବର୍ଷ,ଅକ୍ଟୋବର ୨୦୧୪ରେ ପୁଣି ଏକ ବାତ୍ୟା‘ହୁଡହୁଡ୍’ର ପୂର୍ବାନୁମାନ ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଥିଲା। ମାତ୍ର ଏହା ବିଶାଖାପାଟଣାରେ ଲ୍ୟାଣ୍ଡଫଲ୍ କରିବାରୁ ଗଞ୍ଜାମ କ୍ଷୟକ୍ଷତିରୁ ବର୍ତ୍ତି ଯାଇଥିଲା। ସେହିପରି ଅକ୍ଟୋବର ୨୦୧୮ରେ ପୁଣି ଏକ ବାତ୍ୟା‘ତିତଲି’ଆସୁଥିବା ନେଇ ପାଣିପାଗ ବିଭାଗର ସୂଚନା ପରେ ବିଚଳିତ ହୋଇଥିଲେ ଜିଲ୍ଲାବାସୀ ।
ତେବେ ତିତଲି ଆନ୍ଧ୍ରପ୍ରଦେଶର ପଲାସାରେ ଲ୍ୟାଣ୍ଡଫଲ୍ କରିଥିଲା। ୨୦୨୧ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କଳିଙ୍ଗପଟନମ୍ ଓ ଗୋପାଳପୁର ମଧ୍ୟରେ ବାତ୍ୟା‘ଗୁଲାବ’ଲ୍ୟାଣ୍ଡଫଲ୍ କରିଥିଲେ ବି ଏହା ଦ୍ଵାରା ବିଶେଷ କ୍ଷୟକ୍ଷତି ହୋଇନଥିଲା । ୨୦୨୪ ଅକ୍ଟୋବର ୨୪ରେ ବାତ୍ୟା‘ଦାନା’ଗଞ୍ଜାମରେ ଭୟ ସୃଷ୍ଟି କରିଥିଲା। ପରେ ଏହା ପଶ୍ଚିମବଙ୍ଗ ମୁହାଁ ହେବାରୁ ଗଞ୍ଜାମରେ ପ୍ରଭାବହୀନ ଥିଲା ।
୨୦୨୫ ଅକ୍ଟୋବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ମୋନ୍ଥାକୁ ନେଇ ଗଞ୍ଜାମ ଜିଲ୍ଲାବାସୀ ପୁଣି ଚିନ୍ତିତ ହୋଇଥିଲେ। ପ୍ରଥମେ ଗୋପାଳପୁରରେ ଲ୍ୟାଣ୍ଡଫଲ୍ କରିବ ବୋଲି କୁହାଯାଇଥିଲା ।
କିନ୍ତୁ ପରବର୍ତ୍ତୀ ସମୟରେ ଗତିପଥ ବଦଳି ୨୭ ତାରିଖ ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ ମଛଲିପଟନମ୍ ଓ କଳିଙ୍ଗପଟନମ୍ ମଧ୍ୟଭାଗରେ ଲ୍ୟାଣ୍ଡଫଲ୍ କରିଥିଲା। ସ୍ଥଳଭାଗ ଛୁଇଁବାକୁ ପ୍ରାୟ ୪ଘଣ୍ଟା ଲାଗିଥିବାବେଳେ ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିଥିଲା । ପରେ ମୋନ୍ଥା ଦୁର୍ବଳ ହୋଇପଡିଥିଲା। ଲ୍ୟାଣ୍ଡଫଲ୍ ପୂର୍ବରୁ ଗଞ୍ଜାମ ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କେତେକ ସ୍ଥାନରେ ଗଛ ପଡ଼ିଥିଲା।
ବର୍ଷା ପ୍ରଭାବରେ ଅନେକ ଜାଗାରେ ରାସ୍ତା ଧୋଇଗଲା। ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଜାଗାରେ ଫସଲ ଧୋଇଗଲା,ଜଳବନ୍ଦୀ ହୋଇ ରହିଲେ ଲୋକ। ନିକଟରେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଗଭୀର ଅବପାତର ରୂପ ନେବା ପରେ ଗଞ୍ଜାମରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଜିଲ୍ଲାର ନଦୀ,ଡ୍ୟାମ୍ରେ ଜଳପୂର୍ଣ ହେବା ସହ ଫସଲ ବୁଡ଼ି ରହିଲା । ବ୍ରହ୍ମପୁର ସହର ଜଳବନ୍ଦୀ ହୋଇ ରହିଲା ଏବଂ କିଛି ଅଞ୍ଚଳରେ ଲୋକଙ୍କୁ ପାଣିଘେରରୁ ଓଡ୍ରାଫ୍ ଡଙ୍ଗାରେ ଉଦ୍ଧାର କରାଯାଇଥିଲା।
ଏବେ ପୁଣି ବାତ୍ୟା ଆଶଙ୍କା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଆକଳନ ଅନୁସାରେ ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଓ ୧୩ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି।
ଏହାର ରୂପରେଖ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗଞ୍ଜାମବାସୀଙ୍କ ମନରେ ଡର ପଶିଲାଣି। ପ୍ରାକୃତିକ ବିପର‌୍ୟ୍ୟୟପ୍ରବଣ ଗଞ୍ଜାମ ଜିଲ୍ଲା ବାରମ୍ବାର ବାତ୍ୟାର ସାମ୍ନା କରିଛି। ୧୯୯୯ ବାତ୍ୟାଠୁ ଆରମ୍ଭ କରି ୨୦୧୩ ଫାଇଲିନ୍ ପର‌୍ୟ୍ୟନ୍ତ,ପ୍ରତ୍ୟେକ ବିପର‌୍ୟ୍ୟୟକୁ ଅତି ନିକଟରୁ ଦେଖୁଛତି ଗଞ୍ଜାମ ଜିଲ୍ଲାବାସୀ । କେତେକ ବାତ୍ୟା ଅନ୍ୟତ୍ର ଲ୍ୟାଣ୍ଡଫଲ୍ କରିବା ଏବଂ ଗତିପଥ ପରିବର୍ତ୍ତନ ଯୋଗୁଁ ଜିଲ୍ଲା ପାଇଁ ପ୍ରଭାବହୀନ ସାବ୍ୟସ୍ତ ହୋଇଛି।

Related Posts