ମହାନଦୀରେ ଆସୁଛି ବନ୍ୟା
ଭୁବନେଶ୍ୱର, ୨୭/୯ : ରାଜ୍ୟରେ ବର୍ଷାର ପରିମାଣ କମୁଥିଲେ ମଧ୍ୟ ମହାନଦୀ ଅବବାହିକାରେ ପୁଣି ଏକ ଛୋଟ ବନ୍ୟା ଆସୁଛି। ଛତିଶଗଡ଼ ଉପରମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଏବଂ ଲଘୁଚାପ ପ୍ରଭାବରୁ ମହାନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇଛି। ଚଳିତ ମୌସୁମୀରେ ମହାନଦୀରେ ଏହା ଚତୁର୍ଥ ଛୋଟ ବନ୍ୟା ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତଙ୍କ ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୨୮.୧୯ ଫୁଟ ରହିଥିବାବେଳେ ଜଳଭଣ୍ଡାରର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ଆସାମକାଲି ଆଉ କିଛି ଗେଟ୍ ମଧ୍ୟ ଖୋଲାଯାଇପାରେ। ମୁଣ୍ଡୁଳିଠାରେ ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ୯ଟା ଭିତରେ ପ୍ରାୟ ୭ରୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆକଳନ କରାଯାଇଛି।
ଏହି ବନ୍ୟା ଯୋଗୁ କଟକ, ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ନିମ୍ନ ଅଞ୍ଚଳଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବିଶେଷ କରି ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଏବଂ ପାଟକୁରା ଆଦି ଅଞ୍ଚଳରେ ଆଗାମୀ ୨୪ରୁ ୪୮ ଘଣ୍ଟା ପର୍ୟ୍ୟନ୍ତ ଜଳବନ୍ଦୀ ସ୍ଥିତି ଲାଗିରହିପାରେ। ତେବେ ଏହା ଏକ ବଡ଼ ଧରଣର ବନ୍ୟା ନୁହେଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅନ୍ୟପକ୍ଷରେ, ଉତ୍ତର ଓଡ଼ିଶାର ଅନ୍ୟ ନଦୀଗୁଡ଼ିକର ସ୍ଥିତିରେ କ୍ରମଶଃ ସୁଧୁରିବାରେ ଲାଗିଛି। ସୁବର୍ଣ୍ଣରେଖା, ବୈତରଣୀ ଏବଂ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର କମୁଥିବାବେଳେ ଜଳକା ନଦୀର ଜଳସ୍ତର ସ୍ଥିର ରହିଛି। ତଥାପି ଜଳକା ଓ ସାଳନ୍ଦୀ ଅଞ୍ଚଳରେ ଆଗାମୀ ୨୪ରୁ ୪୮ ଘଣ୍ଟା ପର୍ୟ୍ୟନ୍ତ ଜଳବନ୍ଦୀ ଅବସ୍ଥା ଜାରି ରହିବ। ବ୍ରାହ୍ମଣୀ ନଦୀରେ କୌଣସି ବନ୍ୟା ଭୟ ନାହିଁ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବନ୍ୟାର ପ୍ରଭାବ କମିବାରେ ଲାଗିଛି।




