ଗଜପତି:ତାଇକୋଣ୍ଡୋ ପ୍ରତିଯୋଗିତାରେ ଗଜପତିକୁ ୭ ପଦକ : ୩ ସ୍ୱର୍ଣ୍ଣ,୨ ରୌପ୍ୟ ଓ ୨ କାଂସ୍ୟ ପଦକ ହାସଲ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୫/୯ : କେନ୍ଦୁଝର ଜିଲ୍ଲା ସ୍ଥିତ ଏନ୍.ଏସ୍. ଗଭର୍ଣ୍ଣମେଣ୍ଟ ପୁଲିସ ହାଇସ୍କୁଲ ପରିସରରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିୟନସିପ୍-୨୦୨୬-୨୭ ପ୍ରତିଯୋଗିତା\’ରେ ଗଜପତି ଜିଲ୍ଲାର ଖେଳାଳି ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ଜିଲ୍ଲାର ଖେଳାଳି ମାନେ ମୋଟ ୩ଟି ସ୍ୱର୍ଣ୍ଣ ସହିତ ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ହାସଲ କରି ଗଜପତି ଜିଲ୍ଲାର ଗୌରବ ହାସଲ କରିବାରେ ସହାୟକ ହୋଇଛନ୍ତି।
ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଏସ୍.କେ.ସି.ଜି. ମହାବିଦ୍ୟାଳୟର ବର୍ଷିତା ଦାସ, ଭୁବନାନନ୍ଦ ଭୂୟାଁ ଓ ଅନୁକମ୍ପ ମଲ୍ଲିକ ଅଣ୍ଡର-୧୭ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ପି.ଏମ୍. ଶ୍ରୀ ଏମ୍.ଆର୍. ବାଳକ ଉଚ୍ଚ ବିଦ୍ୟାଳୟର କେ. ସ୍ମରଣ ତେଜ ଅଣ୍ଡର-୧୭ ବର୍ଗରେ ରୌପ୍ୟ ଏବଂ ଏନ୍. ହେମନ୍ତ କାଂସ୍ୟ ପଦକ ହାସଲ କରିଛନ୍ତି।
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜଗନ୍ନାଥ ଶବର ଅଣ୍ଡର୧୪ ବର୍ଗରେ ରୌପ୍ୟ ପଦକ ଏବଂ ଜ୍ଞାନେନ୍ଦ୍ର ଭୂୟାଁ କାଂସ୍ୟ ପଦକ ହାସଲ କରିଛନ୍ତି।
ଏହି ସଫଳତା ପାଇଁ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସୁଶ୍ରୀ ଭଗତ ସାମଲ କଲ୍ୟାଣରାଓ, ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧର, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାସ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ଖେଳାଳି ମାନଙ୍କୁ ଦୃଢ଼ ପରିଶ୍ରମ କରି ଆଗାମୀ ଦିନରେ ରାଜ୍ୟ ତଥା ଜାତୀୟ-ସ୍ତରରେ ଆହୁରି ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଛନ୍ତି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧର ଶିକ୍ଷା କ୍ଷେତ୍ର ଭଳି କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଗଜପତି ଜିଲ୍ଲାର ଗୌରବ ଅକ୍ଷୁଣ୍ଣ ରଖିବାକୁ କହି ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି।
ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ମନୋନୀତ ହୋଇଥିବା ଏହି ଖେଳାଳି ମାନେ ରାଜ୍ୟସ୍ତରୀୟ ଚାମ୍ପିୟନସିପ୍ ରେ ଗଜପତି ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିଲେ। ସେମାନଙ୍କ ଏହି ସଫଳତା ଜିଲ୍ଲାରେ ତାଇକୋଣ୍ଡୋ କ୍ରୀଡ଼ା ପ୍ରତି ନୂତନ ପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ଅନ୍ୟ ଯୁବ ଖେଳାଳି ମାନଙ୍କ ପାଇଁ ଏହା ନିଶ୍ଚିତ ପ୍ରେରଣା ସୃଷ୍ଟି କରିବାରେ ବେଶ୍ ସହାୟକ ହୋଇପାରିଛି।




