ଗଜପତି : ଶିକ୍ଷା କ୍ଷେତ୍ରରେ ଗଜପତିର ଗୌରବ ବଢ଼ାଇଲେ ଜିଲ୍ଲା ଶିକ୍ଷାଅଧିକାରୀ ଡ଼. ମାୟାଧର ସାହୁ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୬/୮ : ଶିକ୍ଷା ପ୍ରଶାସନ କ୍ଷେତ୍ରରେ ନବସୃଜନ, ଉତ୍ତମ ପ୍ରଚଳନ ଓ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି।
ନୂଆଦିଲ୍ଲୀ ସ୍ଥିତ \” ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାନିଙ୍ଗ ଏଣ୍ଡ ଏଡମିନିଷ୍ଟ୍ରେସନ୍\” ପକ୍ଷରୁ ଶିକ୍ଷା ପ୍ରଶାସନରେ ଇନୋଭେସନ ଏଣ୍ଡ ଗୁଡ ପ୍ରାକ୍ଟିସେସ ପାଇଁ ଦିଆଯାଉଥିବା ସମ୍ମାନ ନିମନ୍ତେ ଡ଼. ମାୟାଧର ସାହୁ ଚୟନ ହୋଇଛନ୍ତି।
ଗଜପତି ଜିଲ୍ଲାରେ ଶିକ୍ଷାର ମାନବୃଦ୍ଧି ସମେତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଗତି ଏବଂ ବିଶେଷକରି ‘ପ୍ରୟାସ’ କାର୍ଯ୍ୟକ୍ରମ ମାଧ୍ୟମରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳରେ A1 ଆଣିବା ଏବଂ ଗତ ଦୁଇ ବର୍ଷ ହେବ ଓଡ଼ିଶା ରେ ସର୍ବଶ୍ରେଷ୍ଠ ପାସ ହାର ରଖି ଶିକ୍ଷା କ୍ଷେତ୍ର ରେ ଉନ୍ନତି ଆଣିବା ଦିଗରେ ତାଙ୍କର ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀ ଉଲ୍ଲେଖନୀୟ ରହିଛି।
ଅନ୍ୟପକ୍ଷରେ ଶିକ୍ଷକମାନଙ୍କର ସମନ୍ୱିତ ପ୍ରୟାସ, ନିୟମିତ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଅଗ୍ରଗତିର ନିରୀକ୍ଷଣ ଓ ଫଳାଫଳମୁଖୀ ଶିକ୍ଷା ପଦ୍ଧତି ମାଧ୍ୟମରେ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଦିଗ ସୃଷ୍ଟି କରିବାରେ ଡ଼. ମାୟାଧର ସାହୁଙ୍କ ଭୂମିକା ପ୍ରଶଂସନୀୟ।
ଏନ:ଆଇ:ଆଇ:ପି:ଏ ପକ୍ଷରୁ ଜାରି ପତ୍ରରେ ଶିକ୍ଷାଅଧିକାରୀ ଡ଼. ମାୟାଧର ସାହୁଙ୍କୁ ଓଡ଼ିଶାରୁ ମନୋନୀତ ଜିଲ୍ଲାସ୍ତରୀୟ ଶିକ୍ଷା ଅଧିକାରୀ ଭାବେ ଉଲ୍ଲେଖ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଗତ ଡିସେମ୍ବର ମାସରେ ଡ଼. ମାୟାଧର ସାହୁ ଏକ ସାକ୍ଷାତକାର ପ୍ରଦାନ କରିଥିଲେ ଏବଂ ଶିକ୍ଷା କ୍ଷେତ୍ରରେ ନିଜର ଚିନ୍ତା ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ଯୋଗୁଁ ସମଗ୍ର ଦେଶ ରେ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ବିବେଚିତ ହୋଇପାରିଛନ୍ତି ।
ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଏବଂ ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାର ଶିକ୍ଷା କ୍ଷେତ୍ର ରେ ଉନ୍ନତି ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିପାରିଛି । ଆସନ୍ତା ୨ ଓ ୩ ସେପ୍ଟେମ୍ବର ୨୦୨୬ରେ NIEPA, ନୂଆଦିଲ୍ଲୀ ଠାରେ ଆୟୋଜିତ ଜାତୀୟ ସମ୍ମିଳନୀ ଓ ପୁରସ୍କାର ପ୍ରଦାନ ସମାରୋହରେ ଚୟନିତ ଅଧିକାରୀ ମାନଙ୍କୁ ପୁରସ୍କାର ସମେତ ପ୍ରଶଂସାପତ୍ର ପ୍ରଦାନ କରାଯିବ।
ଡ଼. ମାୟାଧର ସାହୁଙ୍କ ଏହି ଜାତୀୟ ସ୍ୱୀକୃତି ଗଜପତି ଜିଲ୍ଲାର ଶିକ୍ଷା ବିଭାଗ, ଶିକ୍ଷକ ସମାଜ ଓ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ତାଙ୍କର ଏହି ସଫଳତା ଆଗାମୀ ଦିନରେ ଗଜପତି ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବାରେ ବିଶେଷ ସହାୟକ ହେବ। ।




