Odisha News

ଖୋରଧା ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ; ୬୫.୪୦୦ କେଜି ଗଞ୍ଜେଇ ଜବତ, ୩ ଦାମୀ ଗାଡ଼ି ସହ ୪ ଅଭିଯୁକ୍ତ ଗିରଫ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୦/୭ : ଓଡ଼ିଶାରେ ନିଶା କାରବାର ବିରୋଧରେ ଚାଲିଥିବା କଠୋର ଅଭିଯାନ ମଧ୍ୟରେ ଖୋରଧା ଜିଲ୍ଲା ଅବକାରୀ ବିଭାଗ ପୁଣିଥରେ ଏକ ବଡ଼ ସଫଳତା ହାସଲ କରିଛି। ଗୁଇନ୍ଦା ସୂଚନାକୁ ଆଧାର କରି ଜିଲ୍ଲାର ତିନୋଟି ପୃଥକ ସ୍ଥାନରେ ଏକକାଳୀନ ଚଢ଼ାଉ କରି ମୋଟ ୬୫.୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ଚୋରାଚାଲାଣରେ ବ୍ୟବହୃତ ତିନୋଟି ଦାମୀ ଚାରିଚକିଆ ଗାଡ଼ି, ଛଅଟି ମୋବାଇଲ ଫୋନ ଜବତ କରାଯାଇଛି।
ଏହି ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ବିରୋଧରେ ଏନ.ଡି.ପି.ଏସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଏ ସମ୍ପର୍କରେ ଗୁରୁବାର ଖୋରଧା ଜିଲ୍ଲା ଅବକାରୀ କାର‌୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ, ନିଶା କାରବାର ବିରୋଧରେ ଜିଲ୍ଲାରେ ଲଗାତାର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି।
ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଅନ୍ତଃରାଜ୍ୟ ରାକେଟ କୁ ଧରିବା ପାଇଁ ଅବକାରୀ ବିଭାଗ ଗୁଇନ୍ଦା ତଥ୍ୟ ସଂଗ୍ରହକୁ ଆହୁରି ଜୋରଦାର କରିଛି।
ପ୍ରଥମ ଘଟଣାରେ ଗୁରୁବାର ସକାଳ ପ୍ରାୟ ୧୧ଟା ସମୟରେ ବେଗୁନିଆ ଅବକାରୀ ଷ୍ଟେସନ ପକ୍ଷରୁ ବାଘମାରି ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ମହିନ୍ଦ୍ରା ବୋଲେରୋ ପିକ୍‌ଅପ୍ ଭ୍ୟାନ କୁ ଅଟକାଇ ତଲାସି କରାଯାଇଥିଲା।
ଗାଡ଼ିରେ ଲୁଚାଇ ରଖାଯାଇଥିବା ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର କୃଷ୍ଣ ଚନ୍ଦ୍ର ନାୟକ (୫୨) ଙ୍କୁ ଗିରଫ କରାଯାଇଥିଲା।
ତାଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଦ୍ୱିତୀୟ ଘଟଣାରେ ଖୋରଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ସାରୁଅ ସୁଖୁଆ ବଜାର ନିକଟରେ ଚଢ଼ାଉ କରି ଏକ ଧଳା ରଙ୍ଗର କ୍ରେଟା କାର ରୁ ୨୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା।
ଏହି ମାମଲାରେ କନ୍ଧମାଳ ଜିଲ୍ଲା କାସିନିପଦର ଗ୍ରାମର ଅକ୍ଷୟ କୁମାର ଦିଗାଲଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।
ତୃତୀୟ ଘଟଣାରେ ଟାଙ୍ଗୀ ଅବକାରୀ ଷ୍ଟେସନ ପକ୍ଷରୁ ଛଣଗିରି-ଓଳସିଂ ରାସ୍ତା ନିକଟରେ ଚଢ଼ାଉ କରାଯାଇ ଏକ ମହିନ୍ଦ୍ରା ବୋଲେରୋ ରୁ ୨୦.୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।
ଏହି ଘଟଣାରେ ପଶ୍ଚିମବଙ୍ଗର ଗୋପାଳ ସରକାର (୨୦)ଙ୍କୁ ଗିରଫ କରାଯିବା ସହ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।
ଏହି ଘଟଣାରେ ଆଉ ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିବାରୁ ମୋଟ ଗିରଫ ସଂଖ୍ୟା ଚାରିରେ ପହଞ୍ଚିଛି।
ଅବକାରୀ ବିଭାଗର ସୂଚନା ଅନୁସାରେ, ଜବତ ହୋଇଥିବା ୬୫.୪୦୦ କିଲୋଗ୍ରାମ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୫୪ ହଜାର ୮୦୦ ଟଙ୍କା ହେବ।
ଜବତ ହୋଇଥିବା ତିନୋଟି ଗାଡ଼ିର ମୂଲ୍ୟ ମଧ୍ୟ ଲକ୍ଷାଧିକ ଟଙ୍କା ହେବାରୁ ଏହି ଚଢ଼ାଉକୁ ଚଳିତ ବର୍ଷର ଅନ୍ୟତମ ବଡ଼ ସଫଳତା ବୋଲି ବିଭାଗ ମନେ କରୁଛି।
ତଦନ୍ତକାରୀ ଅଧିକାରୀମାନେ ବର୍ତ୍ତମାନ ଏହି ଗଞ୍ଜେଇ କେଉଁଠାରୁ ଆସୁଥିଲା, କେଉଁଠିକୁ ଚାଲାଣ ହେଉଥିଲା ଏବଂ ଏହା ପଛରେ କୌଣସି ସଂଗଠିତ ଅନ୍ତଃରାଜ୍ୟ ଚୋରାଚାଲାଣ ରାକେଟ କାର୍ଯ୍ୟ କରୁଛି କି ନାହିଁ, ସେ ଦିଗରେ ତଦନ୍ତକୁ ଜୋରଦାର କରିଛନ୍ତି।
ଜବତ ହୋଇଥିବା ମୋବାଇଲ ଫୋନଗୁଡ଼ିକର କଲ ଡିଟେଲ୍ସ ଓ ଡିଜିଟାଲ ତଥ୍ୟ ଯାଞ୍ଚ କରାଯାଇ ଚୋରାଚାଲାଣ ନେଟୱାର୍କର ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି।
ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ କହିଛନ୍ତି ଯେ, ନିଶା କାରବାର ବିରୋଧରେ ଖୋରଧା ଜିଲ୍ଲାରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଇଛି।
ଆଗାମୀ ଦିନରେ ଏଭଳି ଅଚାନକ ଚଢ଼ାଉ, ଯାନବାହନ ଯାଞ୍ଚ ଓ ଗୁଇନ୍ଦା ଅଭିଯାନକୁ ଆହୁରି ବ୍ୟାପକ କରାଯିବ, ଯାହାଦ୍ୱାରା ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ଅବୈଧ କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ କରାଯାଇପାରିବ।

Related Posts