ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୩/୭ : ମହାନଦୀ ଜଳ ବିବାଦ ଖୁବ ଶୀଘ୍ର ସମାଧାନ ହେବାର ରାସ୍ତା ଫିଟିଛି । ଆଜି ନୂଆଦିଲ୍ଲୀରେ ହୋଇଥିବା ଶୁଣାଣିରେ ମହାନଦୀ ଜଳ ଆବଣ୍ଟନର ସମାଧାନ ପାଇଁ କେନ୍ଦ୍ର ଜଳ ଆୟୋଗ ଏବଂ କେନ୍ଦ୍ର ଜଳ ଶକ୍ତି ବିଭାଗକୁ ମଧ୍ୟସ୍ଥତା କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଏକ ଯୁଗ୍ମ ବୈଷୟିକ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଯେ ଟ୍ରିବ୍ୟୁନାଲରେ ଆଜି ହୋଇଥିବା ଶୁଣାଣିରେ ସମାଧାନର ରାସ୍ତା ଫିଟିଛି । ଗତ ୨୫ ଜୁଲାଇ ୨୦୨୫ରେ ଓଡ଼ିଶା ସରକାର ସହଯୋଗ ଓ ସମବାୟ ଭିତ୍ତିରେ ଉଭୟ ରାଜ୍ୟର ପ୍ରଗତି ପାଇଁ ଲେଖିଥିବା ଚିଠିର ଉତ୍ତର ଛତିଶଗଡ଼ ସରକାର ଦେଇଛନ୍ତି । ଗତକାଲି ଛତିଶଗଡ଼ ସରକାର ବିସ୍ତୃତଭାବେ ନିଜର ଜବାବ ଦାଖଲ କରିଛନ୍ତି ।
ଆଜି ଉକ୍ତ ଚିଠିର ନକଲ ଟ୍ରିବ୍ୟୁନାଲ ଆଗରେ ଦାଖଲ କରାଯାଇଛି । ଟ୍ରିବ୍ୟୁନାଲ ଉଭୟ ରାଜ୍ୟର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ ଏକ ତୃତୀୟ ପକ୍ଷ ହିସାବରେ ଯୁଗ୍ମ ବୈଷୟିକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଯେଉଁଥିରେ ସିଡବ୍ଲ୍ୟୁସି, ଜଳ ଶକ୍ତି ମିଶନ ବିଭାଗ ଓ ଦୁଇ ରାଜ୍ୟର ବୈଷୟିକ ଦଳ ସଦସ୍ୟ ରହିବେ । ଯୁଗ୍ମ କମିଟି ତୁରନ୍ତ ଖସଡ଼ା ପ୍ରସ୍ତୁତ କରି ଟ୍ରିବ୍ୟୁନାଲ ନିକଟରେ ଦାଖଲ କରିବେ । ଆଗାମୀ ଦୁଇ ମାସ ମଧ୍ୟରେ ବିବାଦର ସମାଧାନ ନେଇ ସୁଫଳ ଆସିବାର ସମ୍ଭାବନା ରହିଛି । ଏହି ସମସ୍ୟାର ଅଗଷ୍ଟ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।




