Odisha News

ଏସଆଇଆର-୨୦୨୬ ସଚେତନତା ଅଭିଯାନ: ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୪/ ୬: ସମଗ୍ର ବାଲିଗୁଡ଼ା ଉପଖଣ୍ଡରେ ଚାଲିଥିବା ଏସଆଇଆର- ୨୦୨୬ (Special Intensive Revision-2026) ସ୍ୱତନ୍ତ୍ର ସଘନ ସଂଶୋଧନ କାର‌୍ୟ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ- ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏଇଇଆରଓ (AERO) ଓ ବିଏଲଓ (BLO) ମାନଙ୍କ ସହ ଗୁରୁବାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ର ଉପାନ୍ତ ଅଞ୍ଚଳ ଦୁର୍ଗାପାଙ୍ଗା, ଲାସେରୀ, ରିନ୍ଦାବାଲି ଓ ସିରାଙ୍ଗ ଗ୍ରାମ ପରିଦର୍ଶନ କରିଥିଲେ।
ଏହି ଅବସରରେ ଉପଜିଲ୍ଲାପାଳ ଙ୍କ ସହ ଅଧିକାରୀ ମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରି ଭୋଟର ତାଲିକାର ସଠିକତା ରକ୍ଷାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।
ନୂତନ ଭୋଟରଙ୍କ ନାମ ସଂଯୋଜନ, ତଥ୍ୟ ସଂଶୋଧନ ଏବଂ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତି ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଲୋଡ଼ିଥିଲେ।
ଉପଜିଲ୍ଲାପାଳ ଲୋକମାନଙ୍କୁ ଗଣତନ୍ତ୍ରରେ ମତଦାନର ଭୂମିକା ଓ ନିର୍ବାଚନୀ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ହେବାର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ।
ଏସଆଇଆର-୨୦୨୬ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଜନସମ୍ପର୍କ ଓ ସଚେତନତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଉପଜିଲ୍ଲାପାଳ ପ୍ରଣୀତା ଦାସ ସୂଚନା ଦେଇଛନ୍ତି।
ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇ ଦୁଇ ବିଜେଡି ନେତା ଟୁନା ଦାସ ଓ ପ୍ରମୋଦ ସାହୁ ନିଲମ୍ବିତ
ବାଲିଗୁଡା, ୪/୬ : ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ବୁଧବାର ସକାଳେ ସମ୍ବର୍ଦ୍ଧନା କରି ସନ୍ଧ୍ୟା ରେ ଦଳରୁ ବିଜେଡିର ଦୁଇଜଣ ସ୍ଥାନୀୟ ନେତା ନିଲମ୍ବିତ ହୋଇଛନ୍ତି।
ସେ ହେଲେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ବିଜେଡି ଜିଲା ଉପସଭାପତି ଟୁନା ଦାସ ଓ ବିଧାୟକଙ୍କ ପ୍ରତିନିଧୂ ପ୍ରମୋଦ କୁମାର ସାହୁ। ଦଳ ବିରୋଧୀ କାର୍ଯ୍ୟ ଲାଗି ସେମାନଙ୍କୁ ନିଲମ୍ବିତ କରାଯାଇଛି। ଦଳୀୟ ସଭାପତିଙ୍କ ନିଷ୍ପତ୍ତି କ୍ରମେ ସାଧାରଣ ସମ୍ପାଦକ ବିଜୟ ନାୟକ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛନ୍ତି। ବାଲିଗୁଡା ବିଧାୟକ ଚକ୍ରମଣି କହଁର ଗତ ରାଜ୍ୟସଭା ନିର୍ବାଚନରେ ଦଳବିରୋଧୀ ଭୋଟ ଦେଇ ଦଳରୁ ନିଲମ୍ବିତ ହୋଇଥିଲେ।
ଏହା ପରଠାରୁ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀକୁ ଆସି ନ ଥିଲେ। ବୁଧବାର ବିଜେଡ଼ି ଜିଲା ଉପସଭାପତି ଟୁନା ଦାସଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀର ୪ଟି ବ୍ଳକର ଦଳୀୟ କର୍ମର୍କତ୍ତା ଓ ହଜାର ହଜାର ହଜାର କର୍ମୀ ଉପସ୍ଥିତ ରହି ନିଲମ୍ବିତ ବିଧାୟକ ଚକ୍ରମଣି କହଁରଙ୍କୁ ସମ୍ବର୍ଦ୍ଧନା କରିଥିଲେ।
ନିର୍ବାଚନ ମଣ୍ଡଳୀର ସମସ୍ତ ଆଗଧାଡିର ନେତା ଓ କର୍ମୀ ବିଧାୟକଙ୍କୁ ସାରଙ୍ଗଡ- ରାଇକିଆ ଛକ ଠାରୁ ସ୍ବାଗତ କରି ଏକ ବାଇକ୍ ଶୋଭଯାତ୍ରାରେ ପାଛୋଟି ନେଇଥିଲେ।
ମହାସିଙ୍ଗି ସ୍ଥିତ ଟୁନା ଦାସ ଙ୍କ ଫାର୍ମ ହାଉସରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ହୋଇଥିଲା। ସଭାରେ ବିଜେଡି ଜିଲା ଉପସଭାପତି ଟୁନା ଦାସ ଉଦ‌ବୋଧନ ଦେଇ ରାଜ୍ୟସଭା ନିର୍ବାଚନ ପରେ ବିଧାୟକଙ୍କୁ ବିଜେଡି ନିଲମ୍ବିତ କରିଥିଲେ ହେଁ ଦଳ ତାଙ୍କୁ ଭଲ ପାଉଥିବାରୁ କର୍ମୀମାନେ ଆଜି ଏକଜୁଟ ହୋଇ ସ୍ବାଗତ ଜଣାଇଛୁ ବୋଲି କହିଥିଲେ।
ବିଧାୟକ ଅନେକ ବିକାଶ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ୪୦ଟି ରାସ୍ତା କାମର ଅନୁମୋଦନ ହୋଇଯାଇଛି। ନିର୍ବାଚନମଣ୍ଡଳୀର ୫୪ ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ବିଧାୟକ ଆଣିପାରିଛନ୍ତି ବୋଲି କହି ସେ ବିଧାୟକଙ୍କୁ ପ୍ରଶଂସା କରିଥିଲେ।
ନିଲମ୍ବିତ ଥାଇ ମଧ୍ୟ ଟୁନା ଦାସଙ୍କ ନେତୃତ୍ବରେ ଜନସମାଗମରେ ମୋତେ ସମ୍ବଦ୍ଧିତ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ବୋଲି ବିଧାୟକ ଶ୍ରୀ କହଁର ସମ୍ବର୍ଦ୍ଧନା ସଭାରେ କହିଥିଲେ। ବିଗତ ଦିନରେ ସମସ୍ତଙ୍କ ସହିତ ଥୂଲି ଏବଂ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହି ଆମ ନିର୍ବାଚନ ମଣ୍ଡଳୀର ବିକାଶ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବିଧାୟକଙ୍କ ପ୍ରତିନିଧୂ ଅବନୀକାନ୍ତ ନାୟକ, ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢୀ, ଜିଲା ସମ୍ପାଦକ ପ୍ରମୋଦ ସାହୁ, ବିଧାୟକଙ୍କ କୋଟଗଡ଼ ପ୍ରତିନିଧୂ ମନୋଜ ସାବତ, ତିନୋଟି ବ୍ଲକର ଅଧ୍ୟକ୍ଷ, ଜିଲା ପରିଷଦ ସଭ୍ୟ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।
ବାଲିଗୁଡ଼ାରେ ଏସ ଆଇ ଆର-୨୦୨୬ ସଚେତନତା: ଫୁଟବଲ ମ୍ୟାଚରେ ଉପଖଣ୍ଡ କ୍ରୀଡ଼ା ସଂଘର ବିଜୟ
ବାଲିଗୁଡା, ୪/୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଏସ ଆର ଆର-୨୦୨୬ (Special Intensive Revision) ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ରୋମାଞ୍ଚକର ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।
ଏହି ମ୍ୟାଚ୍ ‘ପ୍ରଶାସନ ଏକାଦଶ’ ଏବଂ ‘ଉପଖଣ୍ଡ କ୍ରୀଡ଼ା ସଂଘ ଏକାଦଶ ‘ ମଧ୍ୟରେ ଖେଳା ଯାଇଥିଲା। ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ଏହି ମ୍ୟାଚରେ ଉପଖଣ୍ଡ କ୍ରୀଡ଼ା ସଂଘ ଏକାଦଶ ଦଳ ୪-୨ ଗୋଲରେ ପ୍ରଶାସନ ଏକାଦଶ ଦଳକୁ ପରାସ୍ତ କରି ବିଜୟୀ ହୋଇଛି। ଏହି କ୍ରୀଡ଼ା କାର୍ଯ୍ୟକ୍ରମ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ବିଡିଓ ଅକ୍ଷୟ କୁମାର ମଲ୍ଲିକ, ସହ ଉପଜିଲ୍ଲାପାଳ ସଞ୍ଜୀବ ରୂପାମାଝୀ, ସହକାରୀ ଜିଲ୍ଲାପାଳ ରୂପକ କୁଜୁର, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଉପଖଣ୍ଡ ସୂଚ଼ନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଙ୍କ ସମେତ ସମସ୍ତ କିରାଣୀ, ବିଲିଂ ଆସିଷ୍ଟାଣ୍ଟ ଏବଂ ପ୍ରଶାସନିକ କର୍ମଚାରୀମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ସଂସ୍କାର ଏବଂ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରାଯାଇଥିଲା।

Related Posts