Odisha News

ପେଟକୁ ଥଣ୍ଡା ରଖୁଥିବା ବେଲପଣା ପିଇବାକୁ ମୋଦୀଙ୍କ ପରାମର୍ଶ, ଗ୍ରୀଷ୍ମ ଋତୁରେ ଦେଶୀ ପାନୀୟର ମଜା ନିଅନ୍ତୁ

ନୂଆଦିଲ୍ଲୀ, ୩୧/୫: ଦେଶର ସବୁଠୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପୁଣିଥରେ ଚର୍ଚ୍ଚାରେ ଆସିଛି ଓଡ଼ିଶା। ୧୩୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପାରମ୍ପରିକ ବେଲପଣା ଓ ପ୍ରସିଦ୍ଧ ସୁବର୍ଣ୍ଣରେଖା ଆମ୍ବର ଭୁରିଭୁରି ପ୍ରଶଂସା କରିଛନ୍ତି। ତାଙ୍କ ମୁଖରୁ ଓଡ଼ିଶାର ଏହି ଦୁଇ ସ୍ୱତନ୍ତ୍ର ପରିଚୟର ଉଲ୍ଲେଖ ଶୁଣି ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଗ୍ରୀଷ୍ମ ଋତୁରେ ଦେଶର ବିଭିନ୍ନ ପାରମ୍ପରିକ ପାନୀୟ ଓ ଫଳ ସମ୍ପର୍କରେ ଆଲୋଚନା କରିବା ବେଳେ ମୋଦୀ କହିଥିଲେ, ଭାରତର ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ସ୍ୱାଦ ଓ ପରମ୍ପରା ରହିଛି। ଯେପରି ପ୍ରତ୍ୟେକ ରାଜ୍ୟର ଆମ୍ବର ସ୍ୱାଦ ଅଲଗା, ସେହିପରି ପ୍ରତ୍ୟେକ ଅଞ୍ଚଳର ପାରମ୍ପରିକ ପାନୀୟ ମଧ୍ୟ ସ୍ୱତନ୍ତ୍ର ପରିଚୟ ବହନ କରେ।
ଏହି ଅବସରରେ ସେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଚାଷ ହେଉଥିବା ସୁବର୍ଣ୍ଣରେଖା ଆମ୍ବର ବିଶେଷ ଉଲ୍ଲେଖ କରିଥିଲେ। ହାପୁସ୍‌, କେଶର, ଦଶେରୀ, ଲଙ୍ଗଡା, ହିମସାଗର ଓ ବଙ୍ଗନାପଲ୍ଲୀ ଭଳି ଦେଶର ପ୍ରସିଦ୍ଧ ଆମ୍ବ ସହ ସୁବର୍ଣ୍ଣରେଖାର ନାମ ନେଇ ସେ ଏହାର ସ୍ୱାଦ ଓ ଲୋକପ୍ରିୟତାକୁ ପ୍ରଶଂସା କରିଥିଲେ।
ସେହିପରି ଓଡ଼ିଶାର ପାରମ୍ପରିକ ବେଲପଣାକୁ ମଧ୍ୟ ମୋଦୀ ଦେଶର ଅନନ୍ୟ ଦେଶୀ ପାନୀୟ ଭାବେ ବର୍ଣ୍ଣନା କରିଥିଲେ। ବେଲ ଫଳରୁ ପ୍ରସ୍ତୁତ ଏହି ପାନୀୟ ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ ଶରୀରକୁ ଶୀତଳ ରଖିବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଥିଲେ।
ଆମ୍ ପାନ୍ନା, ଲସି, ସତୁ ସରବତ, କୋକମ୍ ସରବତ ସହ ବେଲପଣାର ନାମ ଉଲ୍ଲେଖ କରି ଭାରତର ଖାଦ୍ୟ ସଂସ୍କୃତିର ବିବିଧତାକୁ ସେ ପ୍ରଶଂସା କରିଥିଲେ।
ମୋଦୀ ଆମ୍ବ ଚାଷୀଙ୍କ ଅବଦାନକୁ ମଧ୍ୟ ସ୍ୱୀକାର କରି କହିଥିଲେ ଯେ, ସେମାନଙ୍କ ପରିଶ୍ରମ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ରପ୍ତାନି କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି କରୁଛି।

Related Posts