ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା; ଝାରସୁଗୁଡ଼ାରେ ଜନଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ୱର, ୨୦/୫: ରାଜ୍ୟରେ ଅସହ୍ୟ ହେଉଛି ତାତି । ଆଗକୁ ତାତି ବଢିବା ସହ ଅଗ୍ନି ବର୍ଷା ହେବାକୁ ଥିବା ବେଳେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ରାତ୍ରିର ସ୍ଥିତି ।
ଆସନ୍ତା ୨୪ ଘଣ୍ଟାରେ ନୟାଗଡ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ଖରା ଓ ଗରମକୁ ନେଇ ହିଟ୍ ୱେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ବଲାଙ୍ଗିର ଓ ସମ୍ବଲପୁର ଦୁଇ ଜିଲ୍ଲାରେ ଉଷ୍ମ ରାତ୍ରି ସହ କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୁନ୍ଦରଗଡ, ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ୧୬ ଜିଲ୍ଲାରେ ଉଷ୍ମ ଓ ଆଦ୍ରର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେପଟେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଏହି ୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୫୦ ରୁ ୬୦ କି.ମି. ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ଏହାସହ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ଏହି ୫ ଜିଲ୍ଲାକୁ ବାଦ୍ ଦେଇ ଅବଶିଷ୍ଟ ୨୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୩୦ ରୁ ୫୦ କି.ମି. ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ୟେଲୋ ଜାରି କରିଛି ବିଭାଗ ।
ସେହିପରି ଆସନ୍ତାକାଲି ଭଦ୍ରକ, ଯାଜପୁର, ନୟାଗଡ, ଅନୁଗୋଳ, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ଝାରସୁଗୁଡା ଏହି ୯ ଜିଲ୍ଲାକୁ ହିଟ୍ ୱେଭ ଓ୍ବାର୍ଣ୍ଣିଂ ଥିବାବେଳେ ସମ୍ବଲପୁର, ବଲାଙ୍ଗିରରେ ଉଷ୍ମ ରାତ୍ରି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ, ଗଞ୍ଜାମ ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ୱର ଏହି ୧୧ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଏହି ୩ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୫୦ ରୁ ୬୦ କି.ମି. ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ଏହାସହ ୧୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୩୦ରୁ ୫୦ କି.ମି. ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ୟେଲୋ ଜାରି କରିଛି ବିଭାଗ । ୨୩ ତାରିଖ ଯାଏ ଗ୍ରୀଷ୍ମର ଏଭଳି ସ୍ଥିତି ଲାଗିରହିବା ସହ ୨୬ ଯାଏ ଅର୍ଥାତ ୭ ଦିନ ଯାଏ କାଳବୈଶାଖୀର ଚେତାବନୀ ପାଇଁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ବର୍ତ୍ତମାନ ୬ରୁ ୭ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ନାହିଁ ।
ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଉତ୍ତରାୟଣ ଗତି ରହୁଛି । ଆକାଶ ମେଘାଚ୍ଛନ୍ନ ମଧ୍ୟ ରହୁଛି । ପ୍ରଭାବରେ ତାପମାତ୍ରା ବଢୁଛି । ବଙ୍ଗୋପସାଗର ଦେଇ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଛି । ବାୟୁମଣ୍ଡଳର ଉପରି ଭାଗରେ ଜଳୀୟବାଷ୍ପ ମଧ୍ୟ ଅଧିକ ରହୁଛି । ଯେଉଁଥି ପାଇଁ ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବଢୁଛି । ଆଜି ଠାରୁ ଆହୁରି ଅଧିକ ବଢିବ ତାପମାତ୍ରା । ବିଶେଷ ଭାବେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ । ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ଗତକାଲି ୨୧ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୪୪.୮ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ ଏଇ ସପ୍ତାହରେ ୪୫ ଡିଗ୍ରୀ ତାପମାତ୍ରା ପାର କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।




