Odisha News

ଶିଶୁଙ୍କ ଅଧିକାର ସୁରକ୍ଷା “ଜୁଭେଣ୍ଟିକା” ଖୋରଧାର ସମସ୍ତ ଥାନାରେ ଶୁଭାରମ୍ଭ : ପୁଲିସ ହେଉଛି ଶିଶୁ ଫ୍ରେଣ୍ଡଲି-ଏସ୍ପି

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୦/୫ : ଶିଶୁ ଓ କିଶୋରୀ କିଶୋରଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଥାନାରେ ଜୁଭେଣ୍ଟିକା ( ଶିଶୁ ଓ ପୋଲିସ ଫ୍ରେଣ୍ଡଲି) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ସେମାନେ ପୋଲିସ ସହ କିପରି ସୁସମ୍ପର୍କ ରକ୍ଷା କରିବେ ଏବଂ ନିର୍ଭୟରେ ନିଜ ଭାବ ପ୍ରକାଶ କରିପାରିବେ ସେ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଏହିକ୍ରମରେ ଖୋରଧା ପୋଲିସ ଜିଲ୍ଲା ଅନ୍ତର୍ଗତ ୧୨ ଟି ଥାନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଦର୍ଶ ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଶିଶୁ ଅଧିକାର, ସୁରକ୍ଷା ଏବଂ ଭବିଷ୍ୟତ ଗଠନ ଉପରେ ପରାମର୍ଶ ଦେଇଥିଲେ।
ଏହି ପ୍ରୟାସ ଯୁବ ପିଢ଼ି ଓ ପୁଲିସ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏସ୍‌ପି ଶର୍ମା ପିଲାଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆଜିଠାରୁ ପ୍ରତି ଥାନାରେ ଜୁଭେଣ୍ଟିକାର ଶୁଭାରମ୍ଭ ହୋଇଛି। କୌଣସି ଶିଶୁ ଅସୁବିଧାରେ ପଡ଼ିଲେ ବିନା କୌଣସି ସଙ୍କୋଚରେ ଥାନାକୁ ଆସି ନିଜର ଅଭିଯୋଗ କରିପାରିବେ।
ଏଥିଲାଗି ପ୍ରତି ଥାନାରେ ଶିଶୁ ହେଲ୍ପ ଡେସ୍କ ରହିଛି। ଏହି ଡେସ୍କରେ ଜଣେ ମହିଳା ଏସ୍‌ଆଇ ଦାୟିତ୍ୱରେ ରହିଛନ୍ତି। ଥାନାକୁ ଆସିବାକୁ କୌଣସି ଭୟ କରିବାର ଆବଶ୍ୟକ‌ତା ନାହିଁ। ପୋଲିସ ହେଉଛି ଶିଶୁ ଫ୍ରେଣ୍ଡ୍‌ଲି। ଶିଶୁଙ୍କ ସହ ସମ୍ପର୍କକୁ ଜୁଭେଣ୍ଟିକା ସୁଦୃଢ଼ କରିବ।
ଶିଶୁଙ୍କ ପାଇଁ ଥାନା ପରିସର ସବୁବେଳେ ମୁକ୍ତ ରହିଛି। ପୋଲିସର କାମ ହେଉଛି ଆଇନଶୃଙ୍ଖଳା ଏବଂ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା। ଏହି ଅବସରରେ ଆଦର୍ଶ ଥାନା ପୁଲିସ ପକ୍ଷରୁ ପିଲାଙ୍କୁ ଗୋଲାପ ଫୁଲ, ଚକଲେଟ ଦେଇ ଶୁଭେଚ୍ଛା ଜଣାଇଥିଲେ। ପରେ ପିଲାମାନେ ଥାନା ପରିସର ବୁଲିଥିଲେ।
ଆଦର୍ଶ ଥାନାଧିକାରୀ ସଞ୍ଜୟ ନାୟକ ପିଲାମାନଙ୍କୁ ଥାନାର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ। ମହିଳା, ପୁରୁଷଙ୍କ ପାଇଁ ରହିଥିବା ହାଜତ ମାଲଖାନା, ଅସ୍ତ୍ରାଗାର, ସିସିଟିଭି କଣ୍ଟ୍ରୋଲରୁମ୍ ତଥା ଥାନାକାରୀଙ୍କ କକ୍ଷ ବୁଲି ବିଭିନ୍ନ ପ୍ରସଙ୍ଗରେ ବୁଝିଥିଲେ।
ସେହିପରି ଶିଳ୍ପାଞ୍ଚଳ ଥାନା, ସଦର ଥାନା, ଜଙ୍କିଆ ଥାନା, ନିରାକାରପୁର ଥାନା ଟାଙ୍ଗୀ ଥାନା, ବାଲୁଗାଁ ଥାନା, ବାଣପୁର ଥାନା, ନାଚୁଣୀ ଥାନା ପ୍ରଭୃତି ସ୍ଥାନରେ କୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Related Posts