ଯଯାତି ୨୦୨୬: ଧର୍ମଶାଳାରେ ଧୁମଧାମରେ ପାଳିତ ହେଲା ପଥ ଉତ୍ସବ
ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୯/୩ : ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଉପଲକ୍ଷେ ଧର୍ମଶାଳା ବ୍ଲକରେ ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଆୟୋଜିତ ହୋଇଛି। ମହୋତ୍ସବର ମାହୋଲକୁ ଆହୁରି ମନୋରଞ୍ଜନଧର୍ମୀ କରିବା ତଥା ସାରା ଜିଲ୍ଲାରେ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ପଥ ଉତ୍ସବ ହୋଇଥିଲା।
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ପଥ ଉତ୍ସବର ବେଶ୍ ମଜା ନେଇଥିଲେ। ଲୋକନୃତ୍ୟ, ସଙ୍ଗୀତ ସାଙ୍ଗକୁ ଢୋଲ, ମୃଦଙ୍ଗ, ସଂକୀର୍ତ୍ତନ ଓ ପାରମ୍ପରିକ ଲୋକବାଦ୍ୟର ତାଳେତାଳେ ଧର୍ମଶାଳାବାସୀ ନାଚିଥିଲେ ଝୁମିଥିଲେ।
ଲୋକକଳାର ପ୍ରଦର୍ଶନ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ସାଜିଥିଲା ଏହି ପଥ ଉତ୍ସବ। କଳାକାରମାନେ ମୁଖା ଏବଂ ପୌରାଣିକ ଦେବାଦେବୀଙ୍କ ପୋଷାକ ପରିଧାନ କରି ନାଗାନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ଉପରେ ସଙ୍ଗୀତର ଆସର ଜମିଥିଲା।
କଳାକାରମାନେ ଓଡ଼ିଶୀ, ଡାଲଖାଇ ଭଳି ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷୟତ୍ରୀ ଏବଂ ଆଇସିଡିଏସ କର୍ମଚାରୀମାନେ ପଥରେ ଅତି ସୁନ୍ଦର ରଙ୍ଗୋଲି ଓ ଝୋଟି ଆଙ୍କିଥିଲେ। କୁନି କୁନି ପିଲାମାନଙ୍କ ଖୁସି ପାଇଁ ଗେମ୍ ଜୋନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେଲ୍ଫି ଜୋନରେ ଫୋଟ ନେବା ପାଇଁ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା।
ଏହାସହ କଳାକାର ଏବଂ କ୍ରୀଡାବିତମାନେ ସମର କଳା, ପିରାମିଡ୍, ଜୁଡୋ
କରାଟେ, ଚକ୍ର ବନାଟି, ମାଲ ଖମ୍ବ ଭଳି ଶାରୀରିକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ଧର୍ମଶାଳାରେ ପଥ ଉତ୍ସବ ଜିଲ୍ଲା ମହୋତ୍ସବକୁ ଆହୁରି ରଙ୍ଗିନ କରିବା ସହ ଜିଲ୍ଲାବାସୀଙ୍କ ଉତ୍ସାହକୁ ବହୁଗୁଣିତ କରିଛି।
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମହେଶ୍ୱର ସାହୁ, ସମାଜସେବୀ ଶ୍ରୀମତୀ ମିନତି ସାହୁ, ବିଡ଼ିଓ ଶ୍ରୀ ଜ୍ୟୋତିର୍ମୟ କର, ତହସିଲଦାର ଶ୍ରୀ ସମୀର ଦାସ, ଅତିରିକ୍ତ ତହସିଲଦାର, ମେଡିକାଲ ଅଫିସର, ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।




