ରାଜ୍ୟରେ ବଢ଼ିବ ତାତି, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍ଆରସି

ଭୁବନେଶ୍ୱର, ୧୦/୩ : ରାଜ୍ୟରେ ଆଜିଠୁ ବଢିବ ତାତି । ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୪୦ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
କିନ୍ତୁ ୫ ଦିନ ପରେ ତାପମାତ୍ରା ପୁଣି ଥରେ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି । ଏନେଇ ଝଜଉ ପକ୍ଷରୁ ଆଡଭାଇଜରି ଜାରି ହୋଇଛି ।
ରବିବାର ବୌଦ୍ଧ ସବୁଠୁ ତତଲା ପାଲଟିଥିଲା । ଏଠାରେ ଦିନ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଟିଟିଲାଗଡ଼ରେ ୩୮, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୩୭.୪, ସୋନପୁରରେ ୩୭.୨, ଭବାନୀପାଟଣାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୩୪ଡିଗ୍ରୀ ଓ କଟକରେ ୩୩ ଡିଗ୍ରୀ ରହିଥିଲା ।
ସୁନ୍ଦରଗଡ଼ରେ ୪୦ଡିଗ୍ରୀ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ ନୂଆପଡ଼ା, ପାରଳାଖେମୁଣ୍ଡିରେ ତାପମାତ୍ରା ୩୯ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୨ ତାରିଖରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।