Odisha News

ଅନ୍ଧାରୀମୂଲକର ଆଶାର କିରଣ, ମଙ୍ଗଳା କରିବେ ବଣ୍ଡାଘାଟିର ମଙ୍ଗଳ

ମାଲକାନଗିରି, ୨୯/୮ : ଅନ୍ଧାରିମୂଲକ ଭିତରେ ଆଶାର କିରଣ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍ ବଣ୍ତାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି । ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରଥମ ଡାକ୍ତର ହେବେ ମଙ୍ଗଳା । ସେ ଚୟନ ହେବା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଆସନ୍ତା ୩୦ ତାରିଖରେ ନାମ ଲେଖାଇବେ । ବଣ୍ତାଘାଟିର ଅଣ୍ଡ୍ରାହଲ ପଞ୍ଚାୟତ ଅଧୀନ ବଡ଼ବେଲ ଗାଁର ମେଧାବୀ ଛାତ୍ର ମଙ୍ଗଳା। ବାପା ହାଡ଼ି ମୁଦୁଲି ଏବଂ ମାଆ ମଙ୍ଗଳି ମୁଦୁଲିଙ୍କ ବଡ଼ ପୁଅ ।
ପିଲାଟି ଦିନରୁ ଅଭାବ ଅନଟନରେ ପାଠ ପଢ଼ିବାକୁ ସଂଘର୍ଷ କରିଥିଲେ । ପ୍ରଥମେ ମୁଦୁଲିପଡ଼ା ସରକାରୀ ଆବାସିକ ବିଦ୍ୟାଳୟରେ ପ୍ରଥମରୁ ୧୦ ଯାଏ ପଢ଼ି ସେଠାରୁ ୧୦ ମରେ ଦ୍ବିତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ସେଠାରୁ ମାଥିଲିରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ। ପିଲାଟି ଦିନରୁ ଡାକ୍ତର ହେବା ପାଇଁ ମଙ୍ଗଳାଙ୍କର ଏକ ସ୍ବପ୍ନ ଥିଲା। ଏହାକୁ ପୂରଣ ପାଇଁ ବଣ୍ତାଘାଟିର ଶିକ୍ଷକ ଉତ୍କଳ କେଶରୀ ଦାସ ପିଲାଟି ପାଇଁ ଦେବଦୂତ ସାଜିଥିଲେ।
ମେଧାବୀ ପିଲାର ପାଠପଢା ଆଗ୍ରହ ଦେଖି ତାଙ୍କୁ ଡାକ୍ତରୀ ପଢିବା ପାଇଁ ନିଜ ଗାଁରେ ରଖି ଅଭ୍ୟାସ କରାଉଥିଲେ। ସେହିପରି ସାମାଜିକ କର୍ମୀ ଜୟନ୍ତୀ ବୁରୁଦା ମଙ୍ଗଳାଙ୍କ ପାଠପଢା ଦେଖି ଏକ ମୋବାଇଲ ଫୋନ ଦେଇଥିଲେ। ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମଙ୍ଗଳା। ଆସନ୍ତା ୩୦ ତାରିଖରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ସେ ନାମ ଲେଖାଇବେ । ଡାକ୍ତର ହୋଇ ଲୋକଙ୍କ ସେବା କରିବା ସହ ସ୍ବପ୍ନ ପୂରଣ କରିବାକୁ ପାଠପଢାରେ ଉଦ୍ୟମ ଜାରି ରଖିବା ସହିତ ତାଙ୍କ ସଫଳତା ପଛରେ ଥିବା ବଦାନ୍ୟ ବ୍ୟକ୍ତିଙ୍କୁ ଏହାର ଶ୍ରେୟ ଦେଇଛନ୍ତି ମଙ୍ଗଳା।

Related Posts

Seo wordpress plugin by www.seowizard.org.