Odisha News

୬୨ ବର୍ଷ ପରେ ଏକାସଙ୍ଗରେ ଦିଲ୍ଲୀ ଏବଂ ମୁମ୍ୱାଇ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୨୫/୬: ଭାରତର ପ୍ରତ୍ୟେକ ସ୍ଥାନକୁ ଚଳିତବର୍ଷ ଯଥାସମୟରେ ମୌସୁମୀ ଆସିଛି। ବିଶେଷ କରି ଗୁଜୁରାଟ, ରାଜସ୍ଥାନ, ହରିଆନା, ପଞ୍ଜାବ ଓ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ରବିବାର ଦିଲ୍ଲୀ ଓ ମୁମ୍ବାଇକୁ ମୌସୁମୀ ଏକତ୍ର ଛୁଇଁଛି।
୬୨ ବର୍ଷ ପୂର୍ବେ ଅର୍ଥାତ ୧୯୬୧ ମସିହା ଜୁନ ୨୧ ତାରିଖରେ ମୁମ୍ବାଇ ଓ ଦିଲ୍ଲୀକୁ ଏକତ୍ର ମୌସୁମୀ ଛୁଇଁଥିଲା। ଦୀର୍ଘ ୬୨ ବର୍ଷ ପରେ ରବିବାର ମୌସୁମୀ ଉକ୍ତ ଦୁଇ ସ୍ଥାନକୁ ଗୋଟିଏ ସମୟରେ ଆସିଛି। ଦିଲ୍ଲୀରେ ଦୁଇଦିନ ପରେ ଓ ଗୋଟିଏ ସପ୍ତାହ ପରେ ଭରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। କିନ୍ତୁ ଏହା ପୂର୍ବରୁ ଉପରୋକ୍ତ ଦୁଇ ସ୍ଥାନରେ ଗୋଟିଏ ସମୟରେ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡି.ଏସ.ପାଇ କହିଛନ୍ତି।
ଦିଲ୍ଲୀର ସଫଦରଜଙ୍ଗ ଓବଜରଭେଟୋରୀଠାରେ ଥିବା ପ୍ରାଥମିକ ପାଣିପାଗ ଷ୍ଟେସନ ପକ୍ଷରୁ ଆକଳନ କରାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୮.୩ ଏମଏମ ବର୍ଷା ହୋଇଛି। ଧନସ ପାଣିପାଗ ଷ୍ଟେସନ ପକ୍ଷରୁ ମୋଟାମୋଟି ୮୦ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜଫରପୁର ଏବଂ ଲୋଧି ରୋଡରେ ୬୦ ଏମଏମ, ଆୟାନଗର ଓ ମୁଙ୍ଗେସପୁରରେ ୫୦ ଏମଏମ ଏବଂ ଏସପିଏସ ମୟୂର ବିହାରରେ ୪୦ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ହରିଆନା, ଚଣ୍ଡିଗଡ ଏବଂ ଦିଲ୍ଲୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସେହିପରି ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ୮୬ ଏମଏମ ବର୍ଷା ହୋଇଛି ବୋଲି କୋଲାବା ଓଭରେଜଭେଟୋରୀ ପକ୍ଷରୁ ରେକର୍ଡ କରାଯାଇଛି। ମୁମ୍ବାଇର ଅନ୍ୟାନ୍ୟ ଅଞ୍ଚଳରେ ୧୭୬.୧ ଏମଏମ ବର୍ଷା ହୋଇଛି ବୋଲି ସାନ୍ତାକ୍ରୁଜ ପାଣିପାଗ ଷ୍ଟେସନ ପକ୍ଷରୁ ରେକର୍ଡ କରାଯାଇଛି। ମହାରାଷ୍ଟ୍ର ସହିତ ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜୁରାଟର କିଛି ଅଞ୍ଚଳ, ରାଜସ୍ଥାନ ଏବଂ ହରିଆନା, ଉତ୍ତରାଖଣ୍ଡର କିଛି ଅଞ୍ଚଳ, ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ, ଜାମ୍ମୁ କଶ୍ମୀର ଏବଂ ଲଦାଖ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗୁଆ ଆସିଛି। ବିଭାଗୀୟ ବୈଜ୍ଞାନିକ ଶ୍ରୀ ପାଇ କହିଛନ୍ତି ଯେ, ବାତ୍ୟା ବିପର‌୍ୟ୍ୟୟ ପ୍ରଭାବ ହିଁ ଏହାର କାରଣ ହୋଇଥିବା ଅନୁମାନ କରାଯାଉଛି।

Related Posts

Seo wordpress plugin by www.seowizard.org.