Odisha News

୪ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ଆୟୋଜନ ହେବ, ଏ ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯାଇଛି ।
ଚଳିତ ମାସ ଫେବୃଆରୀ ୪ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ଉପଖଣ୍ଡ କ୍ରୀଡା ସଂଘ କପ ର ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଆୟୋଜନ ହେବ କ୍ଷ ୪ ତାରିଖ ଉଦଘାଟନ ମ୍ୟାଚ ଏଫ ସି ସମ୍ବଲପୁର ସହ ଡାଇମଣ୍ଡ କ୍ଲବ ଖୋର୍ଦ୍ଧା ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହେବ ।
ଏଥିରେ ରାଜ୍ୟର ବଛାବଛା ଫୁଟବଲ ଟିମ ମଧ୍ୟରେ ସମ୍ବଲପୁର ଏଫ ସି, ଡାଇମଣ୍ଡ କ୍ଲବ ଖୋର୍ଦ୍ଧା, ଦୋସ୍ତି ବ୍ରଦର ସୁନ୍ଦରଗଡ଼, ପପୁଲାର କ୍ଲବ- ଢେଙ୍କାନାଳ, ୟୁଏସସି ଟିମ – ବରଗଡ଼, ଏଫପିଏସଏ ଟିମ – ଜଟଣୀ, ଜଗା ଯୁନାଇଟେଡ଼- ଭୁବନେଶ୍ୱର, ଜେ.ଡି. କ୍ଲବ-ଫୁଲବାଣୀ ଭଳି ବିଭିନ୍ନ ଦଳ ଅଂଶ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।
ସେଥିମଧ୍ୟରେ ୧୦ ତାରିଖ ଦିନ ସବୁଠାରୁ ବିଶେଷ ଆକର୍ଷଣ ମହିଳା ଫୁଟବଲ ମ୍ୟାଚ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ ଆୟୋଜିତ ହେବ ।
୧୧ ତାରିଖ ଫାଇନାଲ ତଥା ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରତିଦିନ ର ମ୍ୟାଚ ଅପରାହ୍ନ ୨ଟା ୩୦ମି. ରେ ଆରମ୍ଭ ହେବାକୁ ଥିବା ବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅପରାହ୍ନ ୨ଘଣ୍ଟ ରେ ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଛି ।
ଉପଦେଷ୍ଟା ଶେଖ ସାଦିକ, ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ସାଧାରଣ ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଏ. ଶ୍ରୀନିବାସ ଦୋରା, କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିବେ ।
ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘର ଭାଙ୍ଗିଲେ : ପରିବାରକୁ ଗାଁ ରୁ ବାଛନ୍ଦ ସହ ମାରିବାକୁ ଧମକ
ବାଲିଗୁଡ଼ା , ୨/୨ : ସଂଘବଦ୍ଧ ଭାବେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ରାତି ଅଧରେ ଗୋଟିଏ ପରିବାରକୁ ଘରୁ ତଢ଼ିବା ସହ ନିର୍ମାଣାଧିନ ଗୋଟିଏ ଘରକୁ ଭାଙ୍ଗିଲେ ଦୁର୍ବୃତ୍ତ । ବେସାହାରା ପରିବାର ଏବେ ଥାନାର ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦୁର୍ଗମ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ସୁବର୍ଣ୍ଣଗିରୀ ପଞ୍ଚାୟତର ବାଣ୍ଡିଗୁଡ଼ା ଗ୍ରାମରେ ।
ସୂଚନା ପ୍ରକାରେ ଗତ ୨୮ ତାରିଖ ଦିନ ବାଣ୍ଡିଗୁଡ଼ା ଗ୍ରାମର ବିଶ୍ବନାଥ ବଳିୟାରସିଂ ରାତ୍ରି ଭୋଜନ ପରେ ନିଜ ପରିବାର ସହ ଘରେ ଶୋଇଥିବା ବେଳେ ସେହି ଗ୍ରାମରେ ରହୁଥିବା ବିଶ୍ୱନାଥଙ୍କ ଦାଦା ପୁଅ ଭାଇ ଓ କିଛି ଲୋକ ସଂଘବଦ୍ଧ ଭାବେ ବିଶ୍ଵନାଥଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ତାଙ୍କୁ ଘରୁ ତଡ଼ି ଦେଇଥିଲେ ।
ପରେ ତାଙ୍କର ଆଉ ଏକ ନିର୍ମାଣଧୀନ ଘରକୁ ଭାଙ୍ଗି ଦେଇଥିଲେ । ଏଥିସହିତ ଗାଁ କୁ ଆସିଲେ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଏବେ ବେସାହାରା ପରିବାର ବର୍ଗ ଭୟଭୀତ ଅବସ୍ଥାରେ ଥିବା ସହ ଥାନାର ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ଏନେଇ କୋଟଗଡ଼ ଥାନା କେସ୍ ନଂ-୧୮/୨୦୨୬ ରେ ପାଞ୍ଚଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସେପଟେ ଆମ ପୂର୍ବ ପୁରୁଷ ସମୟରୁ ଆମେ ଏଠାରେ ବସବାସ କରିବା ସହ ଚାଷବାସ କରି ଆମେ ପରିବାର ପ୍ରତିପୋଷଣ କରୁଥିଲୁ ।
କିନ୍ତୁ ଆମ ଭାଇ ଗୁଙ୍କୁଲୁଟୁ ବଳିୟାରସିଂ ଆମ ଜାଗା ଛଡ଼ାଇ ନେବାକୁ ଚକ୍ରାନ୍ତ କରି କିଛି ଗ୍ରାମବାସୀଙ୍କୁ ଏକଜୁଟ କରି ଆମକୁ ଗାଁ ରୁ ତଡ଼ିଦେଇଛି ବୋଲି କହିଛନ୍ତି ବିଶ୍ବନାଥ ବଳିୟାରସିଂ । ଆମେ ଏବେ କୁଆଡେ଼ ଯିବୁ, କୋଉଠି ରହିବୁ,ଆମକୁ ନ୍ୟାୟ ଦିଅନ୍ତୁ ବୋଲି ପରିବାର ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି।
ବାଲିଗୁଡାରୁ ପଶ୍ଚିମବଙ୍ଗ ପଇଡ଼ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚାଲାଣ : ଡ୍ରାଇଭର ଓ ଚାଲାଣକାରୀ ଚମ୍ପଟ
ବାଲିଗୁଡା, ୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ପୋଲିସ ଆଉଟ ପୋଷ୍ଟ ରେ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଏକ ପଇଡ଼ ବୋଝେଇ ଟ୍ରକ ସହ ଗଞ୍ଜେଇ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଓ ଚାଲାଣକାରୀ ବ୍ୟକ୍ତି ଚମ୍ପଟ ମାରିଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ବାଲିଗୁଡ଼ା ପୋଲିସ ଷ୍ଟେସନ ଅଧୀନରେ କାର୍ଯ୍ୟ କରୁଥିବା ବାରଖାମା ପୋଲିସ ଆଉଟପୋଷ୍ଟର ଏକ ସ୍ୱତନ୍ତ୍ର ପୋଲିସ ଦଳ ନିୟମିତ ରାତ୍ରି କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ାରୁ ବାରଖାମା ଅଞ୍ଚଳ ଦେଇ ପଶ୍ଚିମବଙ୍ଗ ଅଞ୍ଚଳ କୁ ଏକ ପଇଡ଼ ବୋଝେଇ ଟ୍ରକ ଦ୍ରୁତ ଗତିରେ ଯାଉଥିବାର ଦେଖିବାକୁ ମିଳିଥିଲା।
ଗାଡିର ଚାଳନାରେ ପୋଲିସ ସନ୍ଦେହ ସୃଷ୍ଟି କରିଥିଲା, ପୋଲିସ ଦଳ ଯାଞ୍ଚ ପାଇଁ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଡ୍ରାଇଭର ତାହା ପାଳନ କରିବାରେ ବିଫଳ ହୋଇଥିଲେ ଏବଂ ଦ୍ରୁତ ଗତିରେ ଗାଡି ଚାଳନା ଜାରି ରଖିଥିଲେ। ପାଟ୍ରୋଲିଂ ଦଳ ଉକ୍ତ ଅଞ୍ଚଳ ଦେଇ ଯାଉଥିବା ସମୟରେ ଟ୍ରକକୁ ପିଛା କରିଥିଲା। ସୁଡ୍ରା ପଞ୍ଚାୟତ ନିକଟସ୍ଥ କାମ୍ବେରିକିଆ ଘାଟି ନିକଟରେ ଟ୍ରକ୍ ଛାଡ଼ି ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ଉକ୍ତ ପଇଡ଼ ବୋଝେଇ ଟ୍ରକ କୁ ପୋଲିସ ତଲାସ କରିଥିଲା ଏବଂ ସେଥିରେ ଥିବା ପଇଡ଼ ବୋଝେଇ ଭିତରେ ଲୁଚାଇ ରଖାଯାଇଥିବା ୧୯୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ପଶ୍ଚିମବଙ୍ଗରେ ପଞ୍ଜିକୃତ ଟ୍ର କନଂ.ଡବ୍ଲୁ ବି-୨୩-ସି -୯୮୫୫ ଟିକୁ ଜବତ ଚୋରା ଗଞ୍ଜେଇ ସହିତ ପୋଲିସ ହେପାଜତକୁ ନିଆଯାଇଥିଲା। ଏ ନେଇ ବାରଖମା ଆଉଟ ପୋଷ୍ଟ ଅଧିକାରୀ ବାହୁବଳୀ ଅମରେନ୍ଦ୍ର ସୁବୁଦ୍ଧି କହିଛନ୍ତି ଯେ, ଗଞ୍ଜେଇ ଚାଲାଣକାରୀ ମାନେ ଏବେ ନୂଆ ନୂଆ ଫର୍ମୁଲା ଆପଣାଉଛନ୍ତି, ଯାହାକି ପଇଡ଼ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚାଲାଣ ଏହି ଅଞ୍ଚଳ ରେ ପ୍ରଥମ ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି । ଏ ସମ୍ପର୍କ ରେ ବାଲିଗୁଡା ଥାନା କେଶ ନଂ. ୩୦/୨୬ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ବେଆଇନ ପରିବହନରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ସହ ଛାନଭିନ ଜାରୀ ରହିଥିବା ବିଷୟ ପ୍ରକାଶ କରିଛନ୍ତି।
ବେଲଘର ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ଓ ଶିକାରୀ ଗିରଫ
ବାଲିଗୁଡ଼ା, ୨/୨ : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବେଲଘର ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଜଣ ଗିରଫ । ଜେସିବି ଡ୍ରାଇଭର ପ୍ରଶାନ୍ତ ସାହୁ ଓ ଝିରିପାଣି ଗ୍ରାମର ଶିକାରୀ ଜୟମଙ୍ଗଳ ପାତ୍ରକୁ ଗିରଫ କରିଛି ବନ ବିଭାଗ । ଜୟମଙ୍ଗଳ ଘରୁ ତାର ଓ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିବା ଜଣାପଡ଼ିଛି । ବେଲଘର ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଯୋର୍ ଧରିଥିଲା ।
ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମେ ବେଲଘର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯିବା ପରେ ତାଙ୍କ ଡ଼୍ରାଇଭର ହୃଷିକେଶ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତରେ ଅବହେଳା ଯୋଗୁଁ ଗତକାଲି ଏସିଓଏଏଫ୍ ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ବନ କରିବା ସହ ଘଟଣାରେ ସଂପୃକ୍ତ ଜେସିବି ଡ୍ରାଇଭର ପ୍ରଶାନ୍ତ ସାହୁ ଓ ଝିରିପାଣି ଗ୍ରାମର ଜଣେ ଶିକାରୀ ଜୟମଙ୍ଗଳ ପାତ୍ରକୁ ଗିରଫ କରିଛି ବନ ବିଭାଗ ।
ମା\’ ପାଟଖଣ୍ଡା ମନ୍ଦିରର ଦାନ ହୁଣ୍ଡି ର ୫୪, ୩୦୦ ବାହାରିଲା
ବାଲିଗୁଡା, ୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା\’ ପାଟଖଣ୍ଡା ଙ୍କ ମନ୍ଦିର ର ଭିତରେ ଓ ବାହାରେ ଥିବା ହୁଣ୍ଡି କୁ ରବିବାର ସନ୍ଧ୍ୟା ରେ କମିଟି ର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ମହେଶ୍ୱର ଡାକୁଆ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଖୋଲା ଯାଇଥିଲା କ୍ଷ ସେଥିରୁ ନଗଦ ୫୪ ହଜାର ୩୦୦ ଟଙ୍କା ମିଳିଥିବା ବେଳେ ୭୪୦ ମିଲି ଗ୍ରାମର ଏକ ଗହଣା ମିଳିଥିବା ବିଷୟ କମିଟି ପକ୍ଷରୁ ସୂଚନା ମିଳିଛି ।
ଏ ସମସ୍ତ ଟଙ୍କା ଓ ଜିନିଷ ଗୁଡିକୁ ସମସ୍ତ ଙ୍କ ଉପସ୍ଥିତ ରେ କୋଷାଧକ୍ଷ ଶ୍ରୀ ଡାକୁଆ ଙ୍କୁ କମିଟି ର ନିଜସ୍ୱ ଲକର ରେ ସୁରକ୍ଷିତ ଭାବେ ରଖିବା ପାଇଁ ଦାୟିତ୍ୱ ଦିଆଯାଇଥିଲା ।
ଦୀର୍ଘଦିନ ପରେ କମିଟି ର ସମସ୍ତ ସଦସ୍ୟ, ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଗୋଚର ରେ ଅବଗତ କରାଯାଇଥିବାରୁ ନୂତନ କମିଟି କର୍ତ୍ତୃପକ୍ଷ ଙ୍କୁ ଅଞ୍ଚଳବାସୀ ଙ୍କ ତରଫରୁ ସାଧୁବାଦ ଜଣାଯାଇଛି ।
ଏ ସମ୍ପର୍କ ରେ ସମ୍ପାଦକ ଶ୍ରୀ ପାତ୍ର ନିଜ ବକ୍ତବ୍ୟ ରେ କହିଛନ୍ତି ଯେ, ଆମ୍ଭେ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ମନ୍ଦିର ସମ୍ମୁଖରେ ପ୍ରତ୍ୟେକ ମାସର ଆୟ ବ୍ୟୟ ର ସବିଶେଷ ତଥ୍ୟ ସହ ଲିଖିତ ଆକାରରେ ଜନସାଧାରଣ ଙ୍କ ଅବଗତ ଉଦେଶ୍ୟରେ ପ୍ରକାଶିତ କରାଯାଉଛି ।
ଆଗାମୀ ଦିନରେ ମନ୍ଦିର ପରିଚାଳନା କାର୍ଯ୍ୟକ୍ରମ କୁ ମଧ୍ୟ ତ୍ରୁଟି ମୁକ୍ତ କରିବା ପାଇଁ ଚେଷ୍ଟା ଜାରୀ ରଖିବୁ ବୋଲି ପ୍ରକାଶ କରିଥିଲେ ।
ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଗୁଡା, ୨/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ବଡ଼ିମୁଣ୍ଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର କହଁରଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀଣି ଶ୍ରୀମତୀ ବିନୋଦିନୀ ସାମଲ , ସମ୍ନାନିତ ଅତିଥି ଭାବେ ବଡ଼ିମୁଣ୍ଡା ସରପଞ୍ଚ ବଦନ ପ୍ରଧାନ, ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ କାମରାଜ କହଁର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ନିରଦ ଦିଗାଲ, ପି.ଏସ.ଏସ ସଭାପତି ବିଜୟ ପ୍ରଧାନ,ପୂର୍ବତନ ପ୍ରଧାନ ଶିକ୍ଷକ ନନ୍ଦ କିଶୋରେ ବେହେରା, ପୂର୍ବତନ ସରପଞ୍ଚ ଜନକ ପ୍ରଧାନ, ଯୁବ ରାଜନୀତିଜ୍ଞ ତଥା ଶିକ୍ଷାବିତ ଗୋଲକ ନାୟକ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲାଲମୋହନ କହଁର ଓ ପୂର୍ବତନ ଏସ ଏମ ସି ସଭାପତି ରୋହିତ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ସହ ସଂଗୀତ ଓ ନୃତ୍ୟର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ \’\’ ମିଠା ମିଠା ଧୁମ ମିଠା \’\’ ପରିବେଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାଜ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ପ୍ରଭାତ କୁମାର ବାଇ, ଶିକ୍ଷୟତ୍ରୀ ଶ୍ରୀମତୀ ଶ୍ରାବଣୀ ପଟ୍ଟନାୟକ, ଶଶୀନାଥ ମଲ୍ଲିକ, ଶ୍ରୀମତୀ ଭାରତୀ ମିଶ୍ର, ଶ୍ରୀମତୀ ପ୍ରଣତି କୁମାରୀ ସାହୁ,ଶ୍ରୀମତୀ ଫାଲ୍ଗୁନୀ ପ୍ରିୟଦର୍ଶିନୀ, ଶ୍ରୀମତୀ ପ୍ରଭାତୀ ରାଣୀ ନାୟକ ଏବଂ ଶ୍ରୀ ପ୍ରତ୍ୟୁଷ ଦିଗାଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବାଲିଗୁଡା, ୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ଓ ଚତୁର୍ଥ ଶ୍ରଣୀ କର୍ମଚାରୀ ଦିବାକର ମଲ୍ଲିକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଓଡ଼ିଆ ବିଭାଗ ଅଧ୍ୟାପକ ଡ.ବିଭୂତି ଭୂଷଣ ଆଚାର‌୍ୟ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କର୍ମଚାରୀ ସଂଘର ସଂପାଦକ ତେଜେଶ୍ୱର ନାୟକ ଅଧ୍ୟକ୍ଷ ଓ କର୍ମଚାରୀ ଙ୍କ ନିଯୁକ୍ତି ଠାରୁ ଆଜି ଅବସର ଗ୍ରହଣ ପର‌୍ୟ୍ୟନ୍ତ ସେମାନଙ୍କ କାର‌୍ୟ୍ୟାବଳୀ, ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଂକ୍ଷିପ୍ତ ଉଦାହରଣ ମାଧ୍ୟମରେ ବୁଝାଇଥିଲେ ।
ଅଧ୍ୟାପକ ସରୋଜକୁମାର ପାଠୀ, ଗଣନାଥ ସୋରେନ୍ ହିମାଂଶୁ ଚରଣ ସାହୁ, ଆଲିପମା ସାହୁ, ବର୍ଷାରାଣୀ ସୁନ୍ଦରା ଉପସ୍ଥିତ ରହି ନିଜନିଜର ଅନୁଭୂତି ବାଖ୍ୟା କରିଥିଲେ । ଶେଷରେ ଅଧ୍ୟାପକ ଡ଼. ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts