ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି
ଭୁବନେଶ୍ୱର, ୨୪/୯ : ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତର ପ୍ରଭାବରେ ସମଗ୍ର ଓଡ଼ିଶାରେ ବର୍ଷାର ତାଣ୍ଡବ ଜାରି ରହିଛି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାବେଳେ ନବରଙ୍ଗପୁର ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ (ଓଗଊ) ରେଡ୍ ୱାର୍ଣ୍ଣିଂ ଜାରି କରିଛି।
ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ୪୭୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ କେଉଁଠି ଝିପିଝିପି ତ କେଉଁଠି ତୁହାକୁ ତୁହା ବର୍ଷା ଜାରି ରହିଛି। ଏତେ ବର୍ଷା ସତ୍ତ୍ୱେ ଜିଲ୍ଲାରେ ଏପର୍ୟ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ ଆଗାମୀ କିଛି ଘଣ୍ଟାରେ ବର୍ଷାର ପରିମାଣ ବଢ଼ିଲେ ସ୍ଥିତି ବଦଳିପାରେ ବୋଲି ପ୍ରଶାସନ ସତର୍କ ରହିଛି।
ଏପଟେ ଇନ୍ଦ୍ରାବତୀ ଜଳଭଣ୍ଡାରର ୬ ନମ୍ବର ଗେଟ୍ ଦେଇ ପାଣି ନିଷ୍କାସନ ଜାରି ରହିଛି। କୋଲାବ-ଇନ୍ଦ୍ରାବତୀ ବେସିନ୍ କାର୍ଯ୍ୟାଳୟର ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରାଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଇନ୍ଫ୍ଲୋ ଓ ଆଉଟ୍ଫ୍ଲୋ ସମାନ ରହିଥିବାରୁ ଅଧିକ ଗେଟ୍ ଖୋଲିବାର ଆବଶ୍ୟକତା ପଡ଼ିନାହିଁ।
ବନ୍ୟାପ୍ରବଣ କୋଷାଗୁମୁଡ଼ା ବ୍ଲକରେ ମଧ୍ୟ ଏବେ ସ୍ଥିତି ସ୍ୱାଭାବିକ ରହିଛି। ତଥାପି ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ସମସ୍ତ ବ୍ଲକରେ ଅଗ୍ନିଶମ ବାହିନୀ ଆବଶ୍ୟକୀୟ ସରଞ୍ଜାମ ସହ ପ୍ରସ୍ତୁତ ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗର୍ଭବତୀ ମହିଳାମାନଙ୍କୁ ଉମରକୋଟସ୍ଥିତ ‘ମା’ ଘରକୁ ସ୍ଥାନାନ୍ତର କରାଯାଇଛି।
ଓଗଊ ଅନୁସାରେ, ଆଜି ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପାଣିପାଗ ବିଭାଗ ସତର୍କ କରିଛି।




