Odisha News

ସେଲ୍‌ଫି ନେବା ହେଲା କାଳ, ଜଳପ୍ରପାତରୁ ଖସି ଯୁବକ ନିଖୋଜ

କୋକସରା,୨୮/୫: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲରେ ଥିବା ଡୋକରିଦର ଜଳପ୍ରପାତରେ ଗାଧୋଇବା ସମୟରେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସୂଚନା ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୂଚନା ଅନୁସାରେ ପର୍ଯ୍ୟଟନସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରାକୁ ବୁଲିବା ପାଇଁ ରବିବାର ଧର୍ମଗଡ଼ ସହରର ୪ ଜଣ ସାଙ୍ଗ ଯାଇଥିଲେ। ବୁଲାବୁଲି କରିବା ଭିତରେ ଡୋକରିଦର ଜଳପ୍ରପାତରେ ସେମାନେ ଗାଧୋଇବା ପାଇଁ ପାଣି ଭିତରକୁ ପସିଥିଲେ। ହେଲେ ଏଠାକାର ଅକାତ ଗଭୀରରେ ଗାଧେଇବା ସମୟରେ ହଠାତ ଜଣେ ସାଙ୍ଗ ପାଣିର ଗଭୀର ଭିତରକୁ ଯାଇ ଆଉ ଆସିବାରେ ସକ୍ଷମ ହୋଇ ପାରିଲା ନାହିଁ।
ଅନ୍ୟ ୩ ଜଣ ସାଙ୍ଗ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିଖୋଜ ଯୁବକ ହେଉଛନ୍ତି ଧର୍ମଗଡ ସହରର ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କ ପୁଅ ଅମନ ଅଗ୍ରୱାଲ(୨୫) ବୋଲି ଜଣାପଡିଛି। ଅନ୍ୟ ୩ ଜଣ ଯୁବକ ହେଲେ ଧର୍ମଗଡର ଅଭିଜିତ ପାଟଯୋଶୀ(୨୬), ଦିପେଶ ଅଗ୍ରୱାଲ(୨୬) ଓ ପ୍ରଭୁଦତ୍ତ ବେହେରା (୨୬)।
ସାଙ୍ଗ ପାଣିରେ ବୁଡ଼ିବା ଦେଖି ଅନ୍ୟ ୩ ଜଣ ସାଙ୍ଗ ସ୍ଥାନୀୟ ଉନ୍ନୟନ କମିଟିର ସଦସ୍ୟଙ୍କୁ ଜଣାଇଥିଲେ। ପରେ ଉନ୍ନୟନ କମିଟି ପକ୍ଷରୁ ଆମପାଣି ପୁଲିସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ଆମପାଣି ପୁଲିସ ଓ କୋକସରା ଦମକଲ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଲିଛି। ତେବେ ସନ୍ଧ୍ୟା ପର୍ଯ୍ୟ ନ୍ତ ଉଦ୍ଧାର କାର୍ଯ୍ୟ ପରେ ମଧ୍ୟ ନିଖୋଜ ଯୁବକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।
ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ପୁଲିସ ସୂଚନା ଦେଇଛି। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ,ଉନ୍ନୟନ କମିଟିର କର୍ମକର୍ତ୍ତା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ,ଦମକଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର‌୍ୟ୍ୟରେ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.