ସହରାଞ୍ଚଳର ଜାତୀୟ ଭୁ ସ୍ଥାନିକ ସର୍ଭେକ୍ଷଣ ନକ୍ସାର ଶୁଭାରମ୍ଭ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୯/୨ : ଭାରତୀୟ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ଆଜି ଠାରୁ ସହରାଞ୍ଚଳ ଜାତୀୟ ଭୂ ସ୍ଥାନିକ ସର୍ବେକ୍ଷଣ ନକ୍ସା ଶୁଭାରମ୍ଭ ହୋଇଛି।
ଦେଶର ୧୫୨ ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ଚାରିଗୋଟି ସହର ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି ।
ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ଠାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଉଦଘାଟନ କରିଛନ୍ତି।
ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ରାଜ୍ୟ ଜମି ରେକର୍ଡ ନିଦ୍ଦେର୍ଶକ ବିଜୟ କୁମାର ଖଣ୍ଡାୟତରାୟ, କେନ୍ଦ୍ର ସର୍ଭେ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଆଶିଷ କୌଶଳ, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଅତ୍ୟାଧୁନିକ ଜ୍ଞାନ କୌଶଳ ଯଥା ସାଟେଲାଇଟ ମାଧ୍ୟମରେ ଛବି ଉତ୍ତୋଳନ, ଡ୍ରୋନ୍ ସର୍ଭେ, GIS (ଭୂସ୍ଥାନିକ ସର୍ବେକ୍ଷଣ) ଆଧାରରେ ସହରାଞ୍ଚଳର ଭୂମି ରେକର୍ଡକୁ ଆଧୁନିକୀକରଣ କରିବା ନିମନ୍ତେ ଏହା ଭାରତ ସରକାରଙ୍କର ଏକ ଅଭିନବ ପ୍ରୟାସ।
ଏହାଦ୍ବାରା ସହରାଞ୍ଚଳର ଭୂମି ସମ୍ବନ୍ଧିତ ରେକର୍ଡକୁ ସଠିକ ଭାବେ ଡିଜିଟାଲ ପୋର୍ଟାଲରେ ଉପଲବ୍ଧ କରାଯାଇପାରିବ ଏବଂ ନିୟମିତ ଭାବେ ଅପଡେଟ୍ ମଧ୍ୟ କରାଯାଇପାରିବ ।
ଏହି ସର୍ବେକ୍ଷଣ ଜମିଜମା ସମ୍ବନ୍ଧିତ ବିବାଦକୁ ସହଜରେ ଦୂର କରିବା ସହ ସହରାଞ୍ଚଳର ଜମିର ସଠିକ ମୂଲ୍ୟ ଆକଳନ ତଥା ସଠିକ ଭାବରେ ଭୂମି କର ଆଦାୟ କରିବାରେ ସହାୟକ ହେବ ।
ଏହି ସର୍ବେକ୍ଷଣ ଦ୍ବାରା ସହରାଞ୍ଚଳର ସ୍ବଳ୍ପ ଜମିର ସନ୍ତୁଳିତ ଉପଯୋଗ, ନିୟମାବଳୀ କୁ ସଠିକ ଭାବେ ଲାଗୁ କରିବା , ସ୍ଥାବର ସମ୍ପଭି ସମ୍ବନ୍ଧିତ ସେବା ପ୍ରଦାନ କରିବା , ପରିବହନ ତଥା ଅନ୍ୟାନ୍ୟ ଆପଦକାଳୀନ ସେବାକୁ ସୁଦୃଢ କରିବା ସହ ସହରାଞ୍ଚଳର ନିରନ୍ତର ବିକାଶକୁ ସୁନିଶ୍ଚିତ କରାଯାଇପାରିବ ।
ଖୋର୍ଦ୍ଧା ଭାରପ୍ରାପ୍ତ ତହସିଲଦାର ନିବେଦିତା ପରିଡ଼ା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ,ଜନ ପ୍ରତିନିଧି ସମେତ ସାଧାରଣ ଲୋକ ଉପସ୍ଥିତ ରହିଥିଲେ।