ସଡ଼କ ସୁରକ୍ଷା ଶୋଭାଯାତ୍ରା ଅନୁଷ୍ଠିତ
ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧/୧ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରୁ କୁସୁମା ଯାଏଁ ଏକ ସଡ଼କ ସୁରକ୍ଷା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏହି ଶୋଭାଯାତ୍ରାର ଉଦଘାଟନ କରିଥିଲେ।
ଜାନୁଆରୀ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ ହେଉ ଥିବା ବେଳେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗକୁ ନେଇ ସଚେତନତା ରାଲି କରାଯାଇଛି। ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ୍ୟ ପାନ କରି ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା, ମୋବାଇଲରେ କଥା ହୋଇ ଗାଡ଼ି ଚଲାଇବା ଇତ୍ୟାଦି ଦୁର୍ଘଟଣାର ମୁଖ୍ୟ କାରଣ।
ତେଣୁ ଏସବୁକୁ ରୋକିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଉଛି। ରାଲି ମାଧ୍ୟମରେ ସଡ଼କ ସୁରକ୍ଷା ନିୟମାବଳୀ ପାଳନ କରିବା ପାଇଁ ଜନସାଧାରଣଙ୍କୁ ବାର୍ତ୍ତା ଦିଆଯାଇଥିଲା।
ଏହି ସଚେତନତା ରାଲିରେ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।ଯାଜପୁର ଓ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାରେ ବ୍ୟାପକ ଭାବେ ଗାଡି, ମୋଟର ସାଇକେଲ ଆଦି ତନଖି କରାଯାଉଛି।




