Odisha News

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୨ ସରକାରୀ ବାବୁ

ଭୁବନେଶ୍ବର, ୨୭/୫: ଲାଞ୍ଚୁଆ ସରକାରୀ ବାବୁଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ଆଜି ୨ଜଣ ସରକାରୀ କର୍ମଚାରୀଙ୍କୁ ଚଢ଼ଉ କରି ଧରିଛି। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସରକାରୀ ବାବୁ ହେଲେ କେନ୍ଦୁଝରଜିଲ୍ଲା ଚମ୍ପୁଆ ଏସିଏସ୍‌ଓ ଧୁମାରାମ ମୁର୍ମୁ ଏବଂ ସୁନ୍ଦରଗଡ଼ ଜନସ୍ବାସ୍ଥ୍ୟ ବିଭାଗରେ କାର‌୍ୟ୍ୟରତ କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକ।
ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି, ଧାନ କିଣା ନେଇ ଜଣେ ଲାମ୍ପ ପ୍ରଭାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଶ୍ରୀ ମୁର୍ମୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶ୍ରୀ ମୁର୍ମୁ ଆଜି ନିଜ ଅଫିସରରେ ଏହି ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ୧୫,୦୦୦ ଟଙ୍କା ଜବତ ହୋଇଛି। ଏହି ଘଟଣା ପରେ ଭିଜିଲାନ୍ସ ବିଭାଗ ଶ୍ରୀ ମୁର୍ମୁଙ୍କର ବିଭିନ୍ନ ଠିକଣାରେ ସର୍ଚ୍ଚ ଅପରେସନ ଜାରି ରଖିଛି। ଏନେଇ ଏକ ମାମଲା ରୁଜୁ ହୋଇଛି।
ସେହିପରି ଅନ୍ୟ ଏକ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧୀନରେ କାର‌୍ୟ୍ୟରତ କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ଇନସିଆଲ ସିକ୍ୟୁରିଟି ଡିପୋଜିଟ (ଆଇଏସ୍‌ଡି) ସଂପର୍କିତ ଆବେଦନ ପ୍ରୋସେସ ପାଇଁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଏବଂ ଶ୍ରୀ ନାୟକ ୫୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗର ଟିମ୍ ଅତର୍କିତ ଚଢ଼ଉ କରି ଏହାକୁ ଜବତ କରିଛନ୍ତି। ଏହି ଘଟଣା ପରେ ଭିଜିଲାନ୍ସ ବିଭାଗ ଶ୍ରୀ ନାଏକଙ୍କ ୩ଟି ଠିକଣାରେ ସର୍ଚ୍ଚ ଅପରେସନ ଜାରି ରଖିଛି।

Related Posts