Odisha News

ରୋଷେଇ ବେଳେ ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଗୋଟିଏ ପରିବାରର ୫ ଗୁରୁତର

ଅନୁଗୋଳ,୩/୪: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଗାଁରେ ଘଟିଛି ଅଘଟଣ। ଘରେ ରୋଷେଇ କରୁଥିବା ବେଳେ ଫାଟି ଯାଇଛି ଗ୍ୟାସ୍ ଟାଙ୍କି। ଏଥିରେ ଗୋଟିଏ ପରିବାର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଦମ୍ପତି ଓ ଜଣେ ନାବାଳକ ରହିଛନ୍ତି। ସେହିପରି ଆହତଙ୍କ ମଧ୍ୟରୁ ୩ ଜଣ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ୧୧.୩୦ରୁ ୧୨ଟା ମଧ୍ୟରେ ପୂରା ଘଟଣା ଘଟିଥିଲା। ସର୍ବେଶ୍ୱର ସାହୁ ଓ ତାଙ୍କ ପୁଅ ରଞ୍ଜିତ ଆଜି ରୋଷେଇ କରୁଥିଲେ। ଏହି ସମୟରେ ଗ୍ୟାସ୍ ଲିକ ହୋଇଥିଲା। ଏହାକୁ ଦେଖି ପୁଅ ରଞ୍ଜିତ ଗ୍ୟାସ ଟାଙ୍କିକୁ ବାହାରକୁ ଫିଙ୍ଗି ଦେଇଥିଲେ। କିନ୍ତୁ ଏହା ଘର ବାହାରକୁ ଯାଇ ନଥିଲା। ଘର ଭିତରେ ହିଁ ଏହା ବିସ୍ଫୋରଣ କରିବା ସହ ରୋଷେଇ ଘରେ ନିଆଁ ଲାଗି ଯାଇଥିଲା।
ଫଳରେ ସର୍ବେଶ୍ୱର ଓ ରଞ୍ଜିତ ରୋଷେଇ ଘରେ ଫସି ଯାଇଥିଲେ। ସେମାନଙ୍କୁ ବଞ୍ଚାଇବାକୁ ସର୍ବେଶ୍ୱରଙ୍କ ଭାଇ ବାବୁଲା, ପତ୍ନୀ ସୁମ୍ରିତା ଓ ବାବୁଲାଙ୍କ ପତ୍ନୀ ତପସ୍ୱୀନ ଆଗେଇ ଆସିଥିଲା। କିନ୍ତୁ ନିଆଁର ପ୍ରଖର ଏତେ ଅଧିକ ଥିଲା ଯେ ପରିବାରର ସମସ୍ତ ୫ ଜଣ ନିଆଁରେ ପୋଡ଼ି ଯାଇ ଆହତ ହୋଇଥିଲେ।
ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ନିଆଁ ଲିଭାଇବାକୁ ଧାଇଁ ଆସିଥିଲେ। ସେମାନେ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରି ପରିବାରର ୫ ଜଣଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟାଳୟକୁ ନେଇଥିଲେ। ସେଠାରେ ସର୍ବେଶ୍ୱର, ବାବୁଲି ଓ ରଞ୍ଜିତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଏହି ୩ ଜଣଙ୍କ ଶରୀରର ପ୍ରାୟ ୪୦% ଅଂଶ ପୋଡ଼ି ଯାଇଛି। ଅନ୍ୟ ୨ ଆହତ ସୁମିତ୍ରା ଓ ତପସ୍ୱୀନ ଏବେ ଅନୁଗୋଳ ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସିତ ହେଉଛନ୍ତି। ଦରକାର ପଡ଼ିଲେ ସେମାନଙ୍କୁ ମଧ୍ୟ କଟକଟ ସ୍ଥାନାନ୍ତର କରାଯାଇ ପାରେ ବୋଲି ଡାକ୍ତର କହିଛନ୍ତି।

Related Posts

Seo wordpress plugin by www.seowizard.org.